ଜଂଗଲରେ ଖାଦ୍ୟର ଅଭାବ: ଜଂଗଲି ମାଙ୍କଡ଼ ଏବେ ସହର ମୁହାଁ, ଭୟ ନକରି ଲୋକଙ୍କ ହାତରୁ ଖାଦ୍ୟ ନେଉଛନ୍ତି

ମାଲକାନଗିରି: ମାଲକାନଗିରିରେ ଏବେ ଗ୍ରୀଷ୍ଣର ପ୍ରଖର ଗରମରେ ଜଂଗଲି ଜନ୍ତୁ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଗୋଟିଏ ପଟେ ପ୍ରବଳ ଗରଣ ଓ ଅନ୍ୟପଟେ ଖାଦ୍ୟର ଅଭାବ ଯୋଗୁଁ ଏବେ ଜଂଗଲି ଜନ୍ତୁ ସହର ମୁହାଁ ହେଲେଣି। ସେଥିମଧ୍ୟରୁ ଭାଲୁ, ମାଙ୍କଡ, ଅଜଗର ସାପ ସହ ଅନ୍ୟ ଜନ୍ତୁ ମଧ୍ୟ ସହର ମୁହାଁ ହେଲେଣି। ବିଶେଷ କରି ଜଂଗଲରୁ ଶହ ଶହ ମାଙ୍କଡ ଜିଲ୍ଲାର ବିଭିନ୍ନ ଗାଁଗୁଡିକରେ ପଶିବା ସହ ରାସ୍ତାରେ ଠିଆ ହୋଇ ଖାଦ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ ଲୋକେ ମଧ୍ୟ ମାଙ୍କଡମାନଙ୍କୁ ଖାଦ୍ୟ ଦେବାରେ ହେଳା କରୁନାହାନ୍ତି। ନିଜ ଘରେ ଯାହା ରହୁଛି ତାକୁ ଦେବା ସହ ରାସ୍ତାରେ ଗଲାବେଳେ ମାଙ୍କଡମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି। ଜଂଗଲି ଜନ୍ତୁ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ଆକ୍ରମଣ କରିନାହାନ୍ତି। ଲୋକଙ୍କ ହାତରୁ ଖାଦ୍ୟ ନେଇ ଖାଉଥିବା ଦେଖିବାକୁ ମିଳିଛି।

ଶହଶହ ମାଙ୍କଡ ପାଇଁ ପ୍ରତିଦିନ ଖାଦ୍ୟ ଦେବା ସମ୍ଭବ ପର ହେଉନଥିଲେ ମଧ୍ୟ ବୟସ୍କ ମାଙ୍କଡମାନେ ଜବରଦସ୍ତ ଲୋକଙ୍କ ଖାଦ୍ୟକୁ ନେଇ ଖାଉଥିବା ଦେଖିବାକୁ ମିଳିଛି।ଛୋଟ ଛୋଟ ମାଙ୍କଡ ଖାଦ୍ୟ ନପାଇ ବହୁ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି।କେବଳ ମାଙ୍କଡ ହିଁ ନୁହେଁ ବରଂ ଅଜଗର ସାପ ପାହାଡ ପାଖରେ ଥିବା ଗାଁଗୁଡିକରେ ଏବଂ ସହରରେ ପଶି କୁକୁଡା ଖାଉଥିବା ଲକ୍ଷ୍ୟ କରାଯାଇଛି।

ସେହିପରି ଭାଲୁ ମଧ୍ୟ ଜଂଗଲରେ ଖାଦ୍ୟ ନମିଳିବାରୁ ପଣସ,ଆମ୍ବ ଖାଇବାକୁ ଗାଁ ମୁହାଁ ହେଲେଣି। ଏଥିପାଇଁ ଲୋକେ ମଧ୍ୟ ଆତଙ୍କିତ ରହିଛନ୍ତି। ଲୋକେ ଅନ୍ୟ ଜନ୍ତୁକୁ ଭୟ କରୁଥିଲେ ମଧ୍ୟ ମାଙ୍କଡମାନଙ୍କୁ ଖାଦ୍ୟ ଦେବାକୁ ଭଲ ପାଉଛନ୍ତି। ଗୋଟିଏ ଦିଗରେ ଭଗବାନର ଆଖ୍ୟା ଦେଇ ମାଙ୍କଡମାନଙ୍କୁ ଖାଦ୍ୟ ଦେବାରୁ ସେମାନେ ମଧ୍ୟ ଜଂଗଲ ମୁହାଁ ହେଉନଥିବା ଦେଖିବାକୁ ମିଳିଛି। ଅନ୍ୟ ଦିଗରେ ବନ ବିଭାଗର କହିବା ହେଲା ମାଙ୍କଡମାନଙ୍କୁ ଖାଦ୍ୟ ଦେବା ଏକ ଧର୍ତ୍ତବ୍ୟ ଅପରାଧ।କାରଣ ସେମାନେ ଧୀରେଧୀରେ ଜଂଗଲ ଛାଡି ସହରରେ ବସା ବନ୍ଧିବେ।ଆଗକୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବେ। ଯଦ୍ବାରା ଭୟଙ୍କର ସ୍ଥିତି ସୃଷ୍ଟି ହେବ। ତେଣୁ ସେମାନଙ୍କୁ ଖାଦ୍ୟ ତେବା ଉଚିତ ନୁହେଁ।ସେମାନେ ଜଂଗଲରେ ବୁଲି ଖାଦ୍ୟ ଅନ୍ବେଷଣ କରିପାରନ୍ତି। ଲୋକଙ୍କ ଠାରୁ ସହଜରେ ଖାଦ୍ୟ ପାଇଯାଉଥିବାରୁ ଜଂଗଲକୁ ନଯାଇ ସ୍ଥାନୀୟ ଗଛଗୁଡ଼ିକରେ ରାତ୍ରୀଯାପନ କରି ପୁଣି ସକାଳେ ରାସ୍ତାରେ ଏବଂ ଗାଁରେ ପଶୁଛନ୍ତି। ଏହାକୁ ଏବେ ଠାରୁ ରୋକାନଗଲେ ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ହେବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ମତ ଦିଅନ୍ତି।

ସମ୍ବନ୍ଧିତ ଖବର