ସର୍ବଭାରତୀୟ ପୁଲିସ ଭାରୋତ୍ତଳନ ପ୍ରତିଯୋଗିତା: କୋରାପୁଟର ଶୁଭସ୍ମିତାଙ୍କୁ ରୌପ୍ୟ ପଦକ

କୋରାପୁଟ: ପୁଣେରେ ଅନୁଷ୍ଠିତ ୭୧ତମ ପୁଲିସ କ୍ରୀଡା ଉତ୍ସବରେ ଭାଗ ନେଇ କୋରାପୁଟ ପୁଲିସର ନାଁ ରଖିଛନ୍ତି ସିପାହୀ ଶୁଭସ୍ମିତା ମହାନ୍ତି। ୮୭ କେଜି ଭାରୋତ୍ତଳନ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟପଦକ ହାସଲ କରିଛନ୍ତି। ଆଜି ଭୁବନେଶ୍ୱରରୁ ରେଳ ଯୋଗେ କୋରାପୁଟ ପହଞ୍ଚିବା ପରେ ରେଳ ଷ୍ଟେସନରେ କୋରାପୁଟ ପୁଲିସ ବିଭାଗ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ବୈପାରିଗୁଡାରେ ଜନ୍ମ ହୋଇ କ୍ରୀଡା କ୍ଷେତ୍ରରେ ନିଜ ସାଧନା ବଳରେ ଅନେକ ପୁରସ୍କାର ପାଇବା ପରେ ଓଡ଼ିଶା ପୁଲିସରେ କ୍ରୀଡା କୋଟାରେ ଏକ ସିପାହି ଭାବେ ଶୁଭସ୍ମିତା ନିଯୁକ୍ତି ପାଇଥିଲେ। ତେବେ ପୁଲିସ ସିପାହୀର ଦାୟିତ୍ଵକୁ ସମ୍ପାଦନ କରିବାସହ ଭାରୋତ୍ତଲନର ଅଭ୍ୟାସ ଜାରି ରଖିଥିଲେ।

Sambad

ଜାତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ କୋରାପୁଟରେ ପାଞ୍ଚ ମାସ ଓ ଭୁବନେଶ୍ୱରରେ ଏକ ମାସର ଅଭ୍ୟାସ କରିଥିଲେ ବୋଲି ଶୁଭସ୍ମିତା ଜଣାଇଛନ୍ତି। ତେବେ କମ ସମୟ ଓ ଅପେକ୍ଷାକୃତ କମ ସାଧନର ପରିଧିରେ ରହି ସେ ରୌପ୍ୟ ପଦକ ହାସଲ କରିପାରିଥିବା ଯୋଗୁଁ ଅଧିକ ସମୟ ଓ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ମିଳିଲେ ସ୍ଵର୍ଣ୍ଣ ପଦକ ପାଇବାରେ ସମର୍ଥ ହେବେ ବୋଲି ଆଶାପୋଷଣ କରିଛନ୍ତି।
ସର୍ବଭାରତୀୟ ପୁଲିସ ଭାରୋତ୍ତଳନ ପ୍ରତିଯୋଗିତାରେ କୋରାପୁଟର ଶୁଭସ୍ମିତା ରୌପ୍ୟପଦକ ହାସଲ କରିବା କୋରାପୁଟ ପୁଲିସ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର