କାଉନସିଲର ପ୍ରାର୍ଥୀଙ୍କ ମାନବିକତା: ପ୍ରଚାରକୁ ପଛ କରି ଛେଉଣ୍ଡ ଛୁଆ ପାଖରେ ପହଞ୍ଚିଲେ 

ସୁନ୍ଦରଗଡ଼: ହୋଲି ପ୍ରସ୍ତୁତିରେ ଲାଗିଥିଲେ ସମସ୍ତେ। ପିଲାମାନେ ନାନା ରଙ୍ଗର ଫଗୁ, ପିଚକାରୀ ଓ କିସମ କିସମର ଟୋପି କିଣି ଅପେକ୍ଷା କରିଥିଲେ ରଙ୍ଗ ଖେଳକୁ। ଠିକ୍ ଏହି ସମୟରେ ସୁନ୍ଦରଗଡ଼ ସହର ଠାରୁ ୪୮ କିଲୋମିଟର ଦୂର କୁତ୍ରା ବସ୍ ଷ୍ଟପେଜରେ  ଘୂରି ବୁଲୁଥିଲା ୪ ବର୍ଷର ନିଷ୍ପାପ ଝିଅଟେ, ଯାହାକୁ ଦେଖୁଥିଲା ହାତ ପତାଇ ଖାଇବାକୁ ମାଗୁଥିଲା। ସୁନ୍ଦରଗଡ଼ର ବେଣୁଧର ତାଣ୍ଡିଆଙ୍କୁ କୁତ୍ରାର କେହି ଜଣେ ଫୋନ୍ କରି ସେ ଅସହାୟ ଝିଅ ସମ୍ପର୍କରେ ସୂଚନା ଦେଇ ଉଦ୍ଧାର ପାଇଁ ଅନୁରୋଧ କରିଥିଲା। ସେ ସମୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ ବେଣୁଧର।

ପୌର କାଉନସିଲର ପ୍ରାର୍ଥୀ ଭାବେ ସେ ନିଜ ସମର୍ଥକମାନଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଥିଲେ। କିନ୍ତୁ ଅସହାୟ ଝିଅ କଥା ଶୁଣି ସେ ସମର୍ଥକଙ୍କ ହାତରେ ପ୍ରଚାରକୁ  ଛାଡ଼ି  ଛୁଟି ଯାଇଥିଲେ କୁତ୍ରା।  ବସ୍ ଷ୍ଟପେଜରେ ହିଁ ବୁଲୁଥିବା  କୁନି ଝିଅ ପାଖକୁ ବେଣୁଧର ଯିବା ପରେ ସେ ତାଙ୍କୁ ମଧ୍ୟ ହାତ ପତାଇଥିଲା। କିଛି ଖାଇବା କିଣି ଦେବା ପରେ ସେ ଚାଲି ଯାଇଥିଲା। ତା’ ପଛେ ପଛେ ଯାଇଥିଲେ ବେଣୁଧର।

କୁତ୍ରା ବସ୍ ଷ୍ଟପେଜଠାରୁ ମାତ୍ର କିଛି ଦୂରରେ ସେ ଏକ ଗଛ ମୂଳେ ଆଉ କିଛି ଅସହାୟ ଲୋକଙ୍କ ସହ ଆଶ୍ରୟ ନେଇଥିବା ଦେଖିବାକୁ ପାଇଥିଲେ। କି ଖରା କି ବର୍ଷା କି ଶୀତ, ସେହି ଗଛ ମୂଳ ହିଁ ଥିଲା ତା’ ଘର। ବାପାମା ଛେଉଣ୍ଡ ଛୁଆର ଆଉ କେହି ଆପଣାର ନଥିବା ଜାଣିବାକୁ ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚୀତ କରି ତୁରନ୍ତ ତାର ଥଇଥାନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ବେଣୁଧର। କିନ୍ତୁ ଝିଅଟି ସେ ଗଛମୂଳ ଛାଡ଼ି କୁଆଡ଼େ ଯିବାକୁ ରାଜି ହୋଇ ନଥିଲା। ଶିଶୁ ସୁରକ୍ଷା ୟୁନିଟ କୁନି ଝିଅକୁ କାଉନସେଲିଂ କରି ସେଠାରୁ ଆଣିବାକୁ ଚେଷ୍ଟା ଚଲାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର