ଶିକ୍ଷକଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ, କବାଟ ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦରରେ କିଛି ଦିନର ବିରତି ପରେ ପୁଣି ଚୋରି ଆରମ୍ଭ ହୋଇଛି | ଡାବୁଗାଁ ସଦର ଜୟନ୍ତିନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରୁ ଗତ ସୋମବାର ବିଳମ୍ବିତ ରାତିରେ ତାଙ୍କ ଅନୁପସ୍ଥିତିରେ ଘର ତାଲା ଭାଙ୍ଗି ଘରର ଆସବାବପତ୍ର ନେଇଯାଇଛନ୍ତି | ଏନେଇ ଶିକ୍ଷକ ଜଣକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି |ସୂଚନା ଅନୁଯାୟୀ ଜୟନ୍ତିନଗରରେ ରହୁଥିବା ଶିକ୍ଷକ ଧନଞ୍ଜୟ ବଡ଼ଜେନା ପୁରୀରେ ଥିବା ନିଜ ସମ୍ପର୍କୀୟଙ୍କ ଲୋକର ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ସପରିବାର ଘର ତାଲା ପକାଇ ଅଗଷ୍ଟ ମାସ ୨୩ ତାରିଖରେ ଯାଇଥିଲେ | ତେବେ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଦୁର୍ବୃତ୍ତମାନେ ଗତ ସୋମବାର ବିଳମ୍ବିତ ରାତିରେ ତାଙ୍କ ଘର କାନ୍ଥ ଡେଇଁ ମୁଖ୍ୟ କବାଟର ତାଲା ଭାଙ୍ଗି ଘରେ ପଶିଥିଲେ | ଆଉ ଲୁଟେରାମାନେ ମୂଲ୍ୟବାନ ସାମଗ୍ରୀ ସହ ନଗଦ ୪ ହଜାର ଟଙ୍କା ନେଇ ଯାଇଥିଲେ |

ଘରେ ଥିବା ୩୨ ଇଞ୍ଚର ଏଲଇଡି କଲର ଟିଭି, ଇଣ୍ଡକସନ୍ କରେଣ୍ଟ ଚୁଲା, ଟେବୁଲ୍ ଫ୍ୟାନ, ବାଜାଜ କମ୍ପାନୀର ମୂଲ୍ୟବାନ କିଚେନ୍ ସେଟ, ନଗଦ ୪ ହଜାର ଟଙ୍କା ସହ ଲୁଗାପଟା ନେଇ ଯାଇଛନ୍ତି | ଚୋରମାନେ ଘର ମଧ୍ୟରେ ତିନୋଟି କବାଟ ତାଲା ଭାଙ୍ଗି ସମସ୍ତ ସାମଗ୍ରୀ ଚୋରି ନେଇଥିଲେ | ମଙ୍ଗଳବାର ସକାଳ ସମୟରେ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡ଼ିବା ପରେ ସାହି ପଡିଶା ଲୋକେ ଶିକ୍ଷକ ଧନଞ୍ଜୟ ବଡ଼ଜେନାଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ |

ଶିକ୍ଷକ ଜଣକ ତୁରନ୍ତ ପୁରୀରୁ ବାହାରି ବୁଧବାର ଦିନ ଡାବୁଗାଁରେ ପହଞ୍ଚିଥିଲେ | ଜୟନ୍ତିନଗର ନିଜ ଘରେ ଆସି ଦେଖିବାବେଳକୁ ଘରର ପ୍ରାୟ ସାମଗ୍ରୀ ଚୋରି ହୋଇଥିବା ଜାଣିଥିଲେ | ଏନେଇ ବୁଧବାର ଶିକ୍ଷକ ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି | ପ୍ରକାଶ ଥାଉ କି ଡାବୁଗାଁ ସଦରରେ ଗତ ଦୁଇରୁ ତିନି ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚୋରି କରିଥିଲେ | ଯାହାକି ପୁଲିସର ମୁଣ୍ଡ ବ୍ୟଥା ହୋଇଥିଲା | ତେବେ ପୁଲିସ ଡାବୁଗାଁ ରେଭିନ୍ୟୁ ସାହିର ୪ ଜଣ ଚୋରକୁ ଧରିବାରେ ସକ୍ଷମ ହେବା ସହ ତାଙ୍କ ନିକଟରୁ ଚୋରି ସାମଗ୍ରୀ ଉଦ୍ଧାର କରି କୋର୍ଟ ଚାଲାଣ କରିଛି |

ସମ୍ବନ୍ଧିତ ଖବର