ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ: ପନିପରିବା, ଡାଲିଜାତୀୟ ଫସଲ ନଷ୍ଟ

ନୂଆପଡ଼ା/ କୋମନା: ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ତଥା କରାମାଡ଼ରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ ବିଶେଷ କରି ପନିପରିବା, ଡାଲି ଓ ତୈଳବୀଜଜାତୀୟ ଫସଲ ଉଜୁଡ଼ି ଯାଇଛି। ୨୦ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

କୋମନା ବ୍ଲକ୍‌ର ଉଲଭା କଟାପଡ଼ା, ସୁନାବେଡ଼ା, ସୋସେଙ୍ଗ ଗ୍ରାମରେ ଅଧିକ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଉଲଭା ଓ କଟାପଡ଼ାର ଉପାସୁ କଟାଙ୍କ ୨ ଏକର, ସୁକଲ ସିଂ କଟାଙ୍କ ୨.୫୦ ଏକର, ପଣ୍ଡୁ କଟାଙ୍କ ୨ ଏକର, ଶତ୍ରୁଘ୍ନ କଟାଙ୍କ ୧ ଏକର, ବିଶ୍ବାମିତ୍ର କଟାଙ୍କ ୧ ଏକର, ଯୁଗେ କଟାଙ୍କ ୧ ଏକର, ଶୁକଧର କଟାଙ୍କ ୧ ଏକର, ମହାଦେବ କଟାଙ୍କ ୧ ଏକର, କୀର୍ତ୍ତନ କଟାଙ୍କ ୧ ଏକର, ଡମ୍ବରୁଧର କଟାଙ୍କ ୧ଏକର, କ୍ଷୀରମୋହନ କଟାଙ୍କ ୧ ଏକର, କାଳିଦାସ କଟାଙ୍କ ୧ ଏକର ଜମିର ଫସଲ ନଷ୍ଟ ହୋଇଛି। ସେହିପରି ସୁନାବେଡ଼ାରେ ମଧ୍ୟ ଷ୍ଟ୍ରବେରି ଚାଷ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତା’ ସହ ମୁଗ ଓ ଚଣା ଫୁଲ ଧରିବା ସମୟରେ ଏହି କାଳବୈଶାଖୀ ହୋଇଥିବାରୁ ସବୁ ନଷ୍ଟ ହୋଇଯାଇଛି। ବିଭିନ୍ନ ଫଳଗଛ ଭାଙ୍ଗିବା ସହ ଫୁଲ ଝଡ଼ିଯାଇଛି। ତେଣୁ କୃଷି, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗ ଚାଷୀଙ୍କ କ୍ଷୟକ୍ଷତି ଠିକ୍‌ ଭାବେ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏ ବାବଦରେ ନୂଆପଡ଼ା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦାକୁ ପଚାରିବାରୁ ସେ କହିଛନ୍ତି, ବିଭାଗର କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯିବ।

ସମ୍ବନ୍ଧିତ ଖବର