ଉପର ମୁଣ୍ଡରେ ପ୍ରବଳ ବର୍ଷା,ଜମିରୁ ଛିଡ଼ୁନି ପାଣି

ଭଞ୍ଜନଗର: ସଦ୍ୟ ତଳି ବୁଣା ଯାଇଥିବା ଚାଷଜମି ବର୍ତ୍ତମାନ ଘାଇର ଭ୍ରମ ସୃଷ୍ଟି କରୁଛି। ବାରମ୍ବାର ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବର୍ଷା ଜଳ ଜମି ଭିତରେ ଆଣ୍ଠୁଏ ଉଚ୍ଚରେ ଲହଡି ମାରୁଛି। ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ମଧ୍ୟ ବୃଦ୍ଧି ହୋଇଛି। କେନାଲ ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି।ନିୟମିତ ବ୍ୟବଧାନରେ ବର୍ଷା ଜାରି ରହିଥିବାରୁ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇପାରୁ ନାହିଁ। ଆଜି ସକାଳୁ ମୃଶଳ ଧାରାରେ ବର୍ଷା ଲାଗି ରହିଛି। ଯାହାକି ଜମିରେ ପାଣି ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ବର୍ଷା ପାଇଁ ବୁଣା ତଳି ନଷ୍ଟ ହୋଇଯାଇଥିବା ବେଳେ ଚାଷୀ ମାନେ ପୁଣି ତଳି ବୁଣି ଯେନତେନ କ୍ଷେତକୁ ବଞ୍ଚାଇବାକୁ ପ୍ରୟାଶ କରିଥିଲେ। ବର୍ତ୍ତମାନ ବର୍ଷା ଜଳ କିପରି ନିଷ୍କାସନ ହେବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ। ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନଥିବା ବେଳେ ଲଗାଣ ବର୍ଷାରେ ସାଧାରଣ ଲୋକ ପ୍ରଭାବିତ ହେଉଥିବା ବେଳେ ବିଶେଷ ମାତ୍ରାରେ ଚାଷୀର ବହୁ ଫସଲ ନଷ୍ଟ ହୋଇଯାଉଛି। ଚଳିତ ମାସରେ ବାରମ୍ବାର ଲଘୁଚାପ ଜନିତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି।

କନ୍ଧମାଳ ଜିଲ୍ଲାରେ ବଡ ବର୍ଷା ଜାରି ରହିଥିବାରୁ ତାର ପ୍ରଭାବରେ ସୀମାନ୍ତ ଗଞ୍ଜାମର ବହୁ ଅଞ୍ଚଳ ବର୍ତ୍ତମାନ ପାଣି ମାଡିଛି। ଦଦରଲୁଣ୍ଡା ପଞ୍ଚାୟତରେ ବିସ୍ତୀର୍ଣ୍ଣ ଇଲାକାରେ ଧାନ କ୍ଷେତରେ ପାଣି ଜମି ଘାଇର ଭ୍ରମ ସୃଷ୍ଟି କରୁଛି। ଗୋଟିଏ କିମ୍ବା ଦୁଇଟି ନୁହେଁ ଭଞ୍ଜନଗର ଅଞ୍ଚଳର ଅନେକ ଖାଲୁଆ ଜାଗାରେ ଥିବା କ୍ଷେତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଧାନ କ୍ଷେତରେ ଆଣ୍ଠୁଏ ଉଚ୍ଚତାରେ ପାଣି ଲହଡି ମାରୁଛି। ପ୍ରାୟ ୮୦ ପ୍ରତିଶତ ବୁଣା ସରିଥିବା ବେଳେ ବର୍ଷା ଜଳରେ ତାହା ବୁଡି ହୋଇ ରହିଛି। ବଦାଙ୍ଗି ଗାଲେରୀ ଓ ବ୍ରାହ୍ମଣପଦର ଇଲାକାର ଶତାଧିକ ଏକର ଜଳମଗ୍ନ ହୋଇଛି। ବର୍ଷାର ମାତ୍ରା କମିଥିଲେ ମଧ୍ୟ ମଝିରେ ମଝିରେ ପୁଣି ବର୍ଷା ହେଉଛି। ଏଭଳି ସ୍ଥିତିରେ ଚାଷ ଜମିରୁ ଯଦି ଶ୍ରୀଘ୍ର ବର୍ଷା ପାଣି ନିଷ୍କାସନ ନହୁଏ ତେବେ ପୁଣି ବର୍ଷାରେ ଚାଷ ଜମି ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏକର ଏକର ଜମିରେ ବର୍ଷା ଜଳ ପଶିଥିବା ବେଳେ ଚାଷୀମାନେ ହୁଡାରେ ଆସି କେତେବେଳେ ଜମିରୁ ପାଣି ଖସିବ ଓ ପୁନର୍ବାର ଫସଲ କ୍ଷେତକୁ ସଜାଡିବ ସେ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ଗାଲେରୀ ଅଞ୍ଚଳ ଚାଷୀ ରବିନ୍ଦ୍ର ଶତପଥୀଙ୍କ କହିବାନୁଯାୟୀ, କିଛି ଦିନର ବର୍ଷା ପାଣି ଜମିରେ ପଶିବାରୁ କୋଡି ସାହାଯ୍ୟରେ ହୁଡା କାଟି ଦେଇଥିବାରୁ ପାଣି ନିଷ୍କାସନ ହେଉଥିଲା। କିନ୍ତୁ ବର୍ଷାର ମାତ୍ରା ବଢିବା ସାଙ୍ଗକୁ ପାଣିର ମାତ୍ରା ବଢ଼ିଯାଇିବା ବେଳେ ସବୁ ଜମିରେ ପାଣି ଭରି ହୋଇ ହୋଇଯାଇଥିଲା। ଯାହା ଫଳରେ ଜମିରୁ ପାଣି ବାହାର କରିବା କଷ୍ଟକର ହୋଇପଡିଲା। ସଂପୂର୍ଣ୍ଣ ତଳି ନଷ୍ଟ ହୋଇଥିବା ସେ କହିଛନ୍ତି। ସେହିପରି ଅନ୍ୟଜଣେ ଚାଷୀ ପ୍ରଦିପ ଜେନା କହିଛନ୍ତି, ଚଳିତ ଥର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଚାଷକାମ ଆଗେଇ ନେଇଥିଲୁ। ଚାଷକୁ ଦେଖିଲେ ବର୍ଷାର ପରିମାଣ ଠିକ୍ ରହିଛି କିନ୍ତୁ ଜମିରୁ ଯଦି ପାଣି ଖାଲି ନହୁଏ ତେବେ ଫସଲ ପ୍ରତି ବିପଦ ଆଶଙ୍କା ରହିଛି। ପାଣି କମିବାକୁ ଅପେକ୍ଷା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର