ନିଆଁ ବର୍ଷା: ବିଶ୍ବର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା, ବାଲେଶ୍ବର, ଭୁବନେଶ୍ବର

ସ୍ବାଭାବିକଠାରୁ ୧୦.୧ ଡିଗ୍ରି ଉପରେ ବାରିପଦା, ଆହୁରି ୪୮ ଘଣ୍ଟା ଲାଗିରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା। କେବଳ ବାରିପଦା ନୁହେଁ, ବାଲେଶ୍ବର, ଭୁବନେଶ୍ବର, ତାଳଚେର, କେନ୍ଦୁଝର, କଟକ ସହରରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିବା ସହ ଦେହହାତ ଜାଳି ପକାଇଥିଲା। ତାତିରେ ଆଉଟୁପାଉଟୁ ହେଉଥିଲେ ଲୋକେ। ପୂର୍ବାହ୍ନ ସାଢ଼େ ୧୧ଟା ‌ବେଳକୁ ବାରିପଦା ଓ ବାଲେଶ୍ବରର ପାରଦ ୪୪ ଡିଗ୍ରି ଏବଂ ଭୁବନେଶ୍ବର, ଝାରସୁଗୁଡ଼ା, କଟକରେ ୪୨ ଡିଗ୍ରି ପାର୍‌ ହୋଇଯାଇଥିଲା। ପ୍ରତି ଘଣ୍ଟାରେ ତାପମାତ୍ରା ଏଭଳି ବଢ଼ିଥିଲା ଯେ ଅପରାହ୍ଣ ସାଢ଼େ ଗୋଟିଏ ବେଳକୁ ସମସ୍ତ ସହରର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ପାଣିପାଗ ସଂସ୍ଥା ଓଗିମେଟ୍‌ ତଥ୍ୟ ଅନୁଯାୟୀ ବିଶ୍ବର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ତିନିଟି ସହର ରହିଛି। ଓମାନର ଜୋବା ୪୯.୨ ସହିତ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ବାରିପଦା ଦ୍ବିତୀୟ, ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ଦଶମ ସ୍ଥାନରେ ରହିଛି। ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରିରେ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ। ଆଗରୁ ୨୦୧୦ ଏପ୍ରିଲ ୨୧ରେ ୪୬.୧ ଡିଗ୍ରି ରହିଥିଲା। ସେହିପରି ବାଲେଶ୍ବର ସହରର ତାପମାତ୍ରା ୪୬ ଡିଗ୍ରି ଛୁଇଁବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କାରଣ ୨୦୧୦ ଏପ୍ରିଲ ୨୦ରେ ବାଲେଶ୍ବରର ତାପମାତ୍ରା ୪୫ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ମଧ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ ଦିନର ତାପମାତ୍ରା ୪୫.୪ ଡିଗ୍ରିରେ ପହଞ୍ଚିବା ସହ ଏପ୍ରିଲ ମାସରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରହିଥିଲା। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରି ସର୍ବକାଳୀନ ରେକର୍ଡ ଭାବେ ରହିଛି। ତେବେ ଏପ୍ରିଲ ମାସରେ ସର୍ବକାଳୀନ ରେକର୍ଡ ୧୯୭୬ ମସିହା ଏପ୍ରିଲ ୨୬ରେ ଟିଟିଲାଗଡ଼ରେ ୪୯.୬ ଡିଗ୍ରି ରେକର୍ଡ ହୋଇଥିଲା। ୧୯୭୩ ଏପ୍ରିଲ ୨୨ରେ ବଲାଙ୍ଗୀରରେ ୪୯ ଡିଗ୍ରି ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ସବୁଠାରୁ ଚିନ୍ତାଜନକ ସ୍ଥିତି ହେଉଛି ଯେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିଛି। ବାଲେଶ୍ବରରେ ଏହି ସମୟରେ ସ୍ବାଭାବିକ ତାପମାତ୍ରା ୩୫.୯ ଡିଗ୍ରି ରହିବା କଥା। ମାତ୍ର ଆଜି ତାହା ୪୬ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ୍‌ ସ୍ବାଭାବିକଠାରୁ ୧୦.୧ ଡିଗ୍ରି ଅଧିକ ରହିଥିଲା। ଅନୁରୂପ ଭାବେ ବାରିପଦାରେ ଆଜି ତାପମାତ୍ରା ସ୍ବାଭାବିକଠାରୁ ୮.୯, ଭୁବନେଶ୍ବରରେ ୭.୬, କଟକରେ ୭.୧, ଚାନ୍ଦବାଲିରେ ୫.୭, କେନ୍ଦୁଝରରେ ୫.୪, ଅନୁଗୁଳରେ ୪.୫, ଝାରସୁଗୁଡ଼ାରେ ୩.୬, ଫୁଲବାଣୀରେ ୩.୪, ସମ୍ବଲପୁରରେ ୩.୨, ଭବାନୀପାଟଣାରେ ୨.୪, ପୁରୀରେ ସ୍ବାଭାବିକଠାରୁ ୨.୩ ଡିଗ୍ରି ଅଧିକ ରହିଥିଲା।୧୫ଟି ସହରର ତାପମାତ୍ରା ୪୪ ଡିଗ୍ରି ଡେଇଁ ଯାଇଥିବା ବେଳେ ୨୯ ସହରର ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି। ବାରିପଦା ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୬. ୪ ଡିଗ୍ରି ରହିଥିବା ବେଳେ ବାଲେଶ୍ୱରରେ ୪୬, ଭୁବନେଶ୍ୱର ୪୫.୪, ଅନୁଗୁଳରେ ୪୪.୭, ତା‌ଳଚେର, ଯାଜପୁର ଓ ଢେଙ୍କାନାଳରେ ୪୪.୫, ବୌଦ୍ଧରେ ୪୪.୩, ଝାରସୁଗୁଡ଼ା, କଟକ ଓ କେନ୍ଦ୍ରାପଡ଼ାରେ ୪୪,୨, ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକରେ ୪୪ ଡିଗ୍ରି ରେକର୍ଡ ହୋଇଛି।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ତାତିରୁ ନିସ୍ତାର ମିଳିବାର ନାହିଁ। ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ମାଲକାନଗିରିରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ମେ’ ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ସାମାନ୍ୟ କମିବ। ମାତ୍ର ୪୦ ଡିଗ୍ରି ତଳକୁ ଖସିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି।

ସେଣ୍ଟର ଫର ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ କ୍ଲାଇମେଟ(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ କ୍ରମାଗତ ପାଣିପାଗରେ ପରିବର୍ତ୍ତନ ହେବା ଦ୍ୱାରା ସେଠାରେ ବର୍ଷା ଲାଗିରହୁଛି। ଫଳରେ ଏବର୍ଷ ଭାରତର ପାଣିପାଗ ଉପରେ ପ୍ରଭାବ ପଡ଼ୁଛି। ଦେଶରେ ବର୍ଷା ହେବା ଭଳି ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉନାହିଁ। ପୂର୍ବ ଭାରତକୁ ଶୁଷ୍କ ଉତ୍ତର-ପଶ୍ଚିମ ଦିଗରୁ ଉତ୍ତପ୍ତ ପବନ ପ୍ରବାହିତ ହେଉଥିବାରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହିଛି। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ କମିବ। ମାତ୍ର ସେତେଟା ଫରକ ଦେଖିବାକୁ ମିଳିବ ନାହିଁ।

ସମ୍ବନ୍ଧିତ ଖବର