ୟୁରୋପରେ ମରୁଡ଼ି : ଶୁଖିଲା ନଦୀରେ ଦେଖାଗଲା ବିଶ୍ବଯୁଦ୍ଧ ଅମଳର ଜାହାଜ, ବୋମା

ମାଦ୍ରିଦ୍ : ୟୁରୋପରେ ଏବର୍ଷ ଭୟଙ୍କର ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ମରୁଡ଼ି ପଡ଼ିଛି । ବର୍ଷା ଅଭାବରୁ ନଦୀଗୁଡ଼ିକ ଶୁଖି ଯାଉଛନ୍ତି । ନଦୀରେ ପାଣି କମିବା ସହ ପୂର୍ବରୁ ନଦୀ ପାଣିରେ ଲୁଚି ରହିଥିବା ଅନେକ ବିରଳ ଐତିହାସିକ ସାମଗ୍ରୀ ଦେଖିବାକୁ ମିଳୁଛି ।

ସ୍ପେନରେ ଥିବା ଜଳଭଣ୍ଡାରର ତଳେ ଲୁଚି ରହିଥିବା ପ୍ରାକ-ଐତିହାସିକ ଯୁଗର ପଥରେ ଏବେ ଦୃଶ୍ୟମାନ ହୋଇଛି । ଏହାକୁ ସ୍ପାନିଶ ଷ୍ଟୋନହେଞ୍ଜ୍ ବୋଲି କୁହାଯାଇଥାଏ । ଡ୍ୟାମର ପାଣି ଶୁଖିବା ଫଳରେ ଏସବୁ ପଥର ପୁଣି ଦେଖାଯାଉଛି । ୧୯୨୬ରେ ଜର୍ମାନର ପ୍ରତ୍ନତତ୍ତ୍ବବିତ୍ ହ୍ୟୁଗୋ ଓବରମାଇଅର ଏହାକୁ ଆବିଷ୍କାର କରିଥିଲେ ।

ମରୁଡ଼ି ଯୋଗୁଁ ୟୁରୋପର ଏକ ବଡ଼ ନଦୀ ହେଉଛି ଡାନୁବେର ଜଳସ୍ତର ଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ କମ ସ୍ତରରେ ପହଞ୍ଚିଛି । ଏହା ଫଳରେ ଏକ ଅଦ୍ଭୁତ ଘଟଣା ଘଟିଛି । ୨ୟ ବିଶ୍ବଯୁଦ୍ଧ ଅମଳରେ ବୁଡ଼ିଯାଇଥିବା ଜର୍ମାନିର ପ୍ରାୟ ୨୦ଟି ଜାହାଜ ପୁଣି ଦୃଶ୍ୟମାନ ହୋଇଛି । ସର୍ବିଆର ବନ୍ଦର ନଗରୀ ପ୍ରହୋଭୋ ନିକଟରେ ଏଗୁଡ଼ିକ ଦେଖାଯାଉଛି । ଏସବୁ ଯୁଦ୍ଧଜାହାଜଗୁଡ଼ିକ ନାଜି ଜର୍ମାନିର ବ୍ଲାକ ସି ଫ୍ଲିଟର ଅନ୍ତର୍ଭୁକ୍ତ । ସୋଭିଏତ ରୁଷ ଆକ୍ରମଣରେ ଏଗୁଡ଼ିକ ବୁଡ଼ିଯାଇଥିଲେ ।

ଇଟାଲୀରେ ଥିବା ପୋ ନଦୀରେ ଗତ ଜୁଲାଇ ମାସରେ ଏକ ୨ୟ ବିଶ୍ବଯୁଦ୍ଧ ଅମଳର ୪୫୦ କିଲୋଗ୍ରାମ ଓଜନର ବଡ଼ ବୋମା ଆବିଷ୍କାର କରାଯାଇଥିଲା । ଏହାକୁ ଦୃଷ୍ଟିରେ ସେଠାକାର ସରକାର ଉକ୍ତ ଅଂଚଳରେ ଜରୁରୀପରିସ୍ଥିତି ଘୋଷଣା କରିଥିଲେ । ବୋମା ବିଶେଷଜ୍ଞମାନଙ୍କ ଦ୍ବାରା ବୋମାକୁ ଅକାମୀ କରାଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

 

ସମ୍ବନ୍ଧିତ ଖବର