ଠିକ୍‌ ପଚାଶ ବର୍ଷ ତଳେ ଆଜିର ତାରିଖରେ ଅର୍ଥାତ୍‌ ୧୯୭୩ ମସିହା ଏପ୍ରିଲ ମାସ ୩ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କସ୍ଥିତ ବେଲ୍‌ ଲ୍ୟାବ୍‌ରେ ଗବେଷଣାରତ ଇ˚ଜିନିଅର ଜୋଏଲ୍‌ ଏନ୍‌ଜେଲ ଏକ ଫୋନ୍‌ କଲ୍‌ ପାଇବା ସହିତ ଯାହା ଘଟିବା ଆରମ୍ଭ ହୋଇଥିଲା, ତାହା ଯେ ଇତିମଧୢରେ ପୃଥିବୀର ଗତିରୀତିକୁ ସ˚ପୂର୍ଣ୍ଣ ରୂପେ ବଦଳାଇ ସାରିଲାଣି, ତାହା କହିବା ବାହୁଲ୍ୟ ମାତ୍ର! ପ୍ରକାଶ ଥାଉ କି କଲ୍‌ଟି ଆସିଥିଲା ସେହି ଯୁକ୍ତରାଷ୍ଟ୍ର ଆମେରିକାର ମୋଟରଲା କ˚ପାନିରୁ ଯେଉଁଠି ମାର୍ଟିନ୍‌ କୁପର ତାଙ୍କ ଟିମ୍‌ ଦ୍ବାରା ବିକଶିତ ପୃଥିବୀର ପ୍ରଥମ ସେଲ୍‌ ଫୋନ୍‌ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଏନ୍‌ଜେଲଙ୍କ ସହିତ ଆଳାପ କରିବାକୁ ଚାହିଁଥିଲେ; ଶିଳପୁଆ ତୁଲ୍ୟ ଦିଶୁଥିବା ସେହି ଫୋନ୍‌ଟିର ଓଜନ ଥିଲା ପ୍ରାୟ ଏକ କିଲୋଗ୍ରାମ୍‌ ଏବ˚ ଦୈର୍ଘ୍ୟ ପ୍ରାୟ ୩୩ ସେଣ୍ଟିମିଟର ଏବ˚ ଏହି ଅତିକାୟ ଫୋନ୍‌ର ବ୍ୟାଟେରିଟି ୧୦ ଘଣ୍ଟା କାଳ ଚାର୍ଜରେ ବସିବା ପରେ ସ˚ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ମାତ୍ର ୨୫ ମିନିଟ୍‌ ସକାଶେ ଗପସପ କରିବାର ସୁଯୋଗ ପ୍ରଦାନ କରୁଥିଲା। ଯଥାର୍ଥ ଭାବେ ‘ବ୍ରିକ୍‌’ (ଇଟା) ନାମରେ ପରିଚିତ ଏହି ସେଲ୍‌ ଫୋନ୍‌ ୧୯୮୩ ମସିହାରେ ଅର୍ଥାତ୍‌ ଦଶ ବର୍ଷ ପରେ ‘ଡାଇନା ଟିଏସି ୮୦୦୦ ଏକ୍‌ସ’ ଭଳି ଏକ ବ୍ରାଣ୍ତ ନାମ ଧାରଣ କରି ବଜାର ପ୍ରବେଶ କରିଥିଲା, ଯାହାର ମୂଲ୍ୟ ଥିଲା ଅତ୍ୟନ୍ତ ଉଚ୍ଚା ୩,୯୯୫ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଦୁଇ ଲକ୍ଷ ଟଙ୍କାରୁ ଅଧିକ। ତେବେ, କଥା ହେଲା, ଭୀତି-ସ˚ଚାରକାରୀ କଳେବର ଏବ˚ ମୂଲ୍ୟ ସହିତ ସେଲ୍‌ ଫୋନ୍‌ ପ୍ରାରମ୍ଭ କରିଥିବା ଯାତ୍ରା ଯେ ଅବଲୀଳା କ୍ରମେ ଏକ ବିଶ୍ବ ବିଜୟୀ ଅଭିଯାନରେ ପରିଣତ ହେବ, ସେ କଥା ସମ୍ଭବତଃ ସେତେବେଳେ କେହି ହେଲେ ଅନ୍ଦାଜ କରି ପାରି ନ ଥିବେ। କିନ୍ତୁ ବର୍ତ୍ତମାନ ଯେତେବେଳେ ସେଲ୍‌ ଫୋନ୍‌ର ଆବିର୍ଭାବକୁ ମନୁଷ୍ୟ ଜୀବନ ମଧୢକୁ ‘ଚକ’ର ପ୍ରବେଶ ଭଳି ସଭ୍ୟତାର ମୋଡ଼ ପରିବର୍ତ୍ତନକାରୀ ଘଟଣା ସହିତ ତୁଳନା କରାଯାଉଛି, ସେତେବେଳେ ଏ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

Advertisment

ଯଦି ସେଲ୍‌ ଫୋନ୍‌କୁ ଏକ ଜୀବନ୍ତ ସତ୍ତା ରୂପରେ ଦେଖାଯାଏ, ତେବେ କହି ହେବ ଯେ ତହିଁରେ ତା’ର ଆତ୍ମା ରୂପେ ‘ଇଣ୍ଟରନେଟ୍‌’ ବିଦ୍ୟମାନ ରହି ଏକ ଦ୍ବିତୀୟ ପୃଥିବୀ ସୃଷ୍ଟି କଲାଣି, ଯାହାକୁ ପ୍ରତୀୟମାନ ପୃଥିବୀ ବା ଆଭାସୀ ପୃଥିବୀ ରୂପେ ପରିଭାଷିତ କରାଯାଉଛି। ଏହି ପ୍ରତୀୟମାନ ପୃଥିବୀ ପ୍ରତି ମନୁଷ୍ୟର ଆକର୍ଷଣ କିଭଳି ଦୁର୍ବାର ହୋଇ ପଡ଼ିଛି, ତାହାର ପ୍ରମାଣ ଏହି ପରିସ˚ଖ୍ୟାନ ଯେ ସ˚ପ୍ରତି ପ୍ରତ୍ୟେକ ଭାରତୀୟ ତାଙ୍କ ଜାଗ୍ରତ ସମୟରୁ ହାରାହାରି ଦୈନିକ ପାଞ୍ଚ ଘଣ୍ଟା ଏହି ପୃଥିବୀରେ ବିଚରଣ କରୁଛନ୍ତି ଏବ˚ ପ୍ରତି ସାତ ମିନିଟ୍‌ରେ ଥରେ ତାହା ମଧୢକୁ ପ୍ରବେଶ କରିବାର ଦୁର୍ବଳତା ପ୍ରକାଶ କରୁଛନ୍ତି। ଏହି ଆକର୍ଷଣର କାରଣ ହେଲା ଶାରୀରିକ ଭାବେ ଅନୁପସ୍ଥିତ ରହି ଏପରିକି ଅଦୃଶ୍ୟ ରହି ମଧୢ ଏଠାରେ ଜୀବନ ସ˚ଚାଳନ କରିପାରିବାର ସୁଯୋଗ: ଯେମିତି କି ଇ-ବଜାରରେ ବିଚରଣ କରି ଦ୍ରବ୍ୟ କ୍ରୟ-ବିକ୍ରୟ କରିବା ବା ସ୍କୁଲ ବା କଲେଜରେ ଅନୁପସ୍ଥିତ ରହି ଶିକ୍ଷା ଆହରଣ କରି ପାରିବା ବା ଅଫିସ ନ ଯାଇ ମଧୢ ଯେ କୌଣସି ସ୍ଥାନରୁ କାମ କରି ପାରିବା ଇତ୍ୟାଦି। ଏହି ଆଭାସୀ ପୃଥିବୀରେ ଅଦୃଶ୍ୟ ରହି ବନ୍ଧୁତା, ଶ୍ରଦ୍ଧା, ପ୍ରେମ ଅଥବା ଘୃଣା, ତିକ୍ତତା ଓ ହି˚ସାର ପ୍ରସାର କରାଯାଇପାରେ; ଉଭୟ ଅଭୀଷ୍ଟ ଏବ˚ ଅଭିସନ୍ଧି ଚରିତାର୍ଥ କରାଯାଇପାରେ। କୋଭିଡ୍‌ ପାନ୍‌ଡେମିକ୍‌ ସମୟରେ ସେଲ୍‌ ଫୋନ୍‌ ମାଧୢମରେ ପ୍ରତୀୟମାନ ପୃଥିବୀରେ ପ୍ରବେଶ କରି ହିଁ ବାସ୍ତବ ପୃଥିବୀରେ ମନୁଷ୍ୟ ତା’ର ଜୀବନକୁ ଚଳମାନ କରି ରଖି ପାରିଥିଲା, ଯାହାକୁ ସେଲ୍‌ ଫୋନ୍‌ର ଏକ ଦୃଷ୍ଟାନ୍ତ ସୃଷ୍ଟିକାରୀ ଆଶୀର୍ବାଦ ରୂପେ ଇତିହାସ ଲିପିବଦ୍ଧ କରି ରଖିବ। କିନ୍ତୁ ବିଡ଼ମ୍ବନାଟି ହେଲା ଆଭାସୀ ପୃଥିବୀ ପ୍ରତି ଦୁର୍ଲ˚ଘ୍ୟ ଆକର୍ଷଣ ହେତୁ ମାନବ ଦୃଷ୍ଟିରେ ବାସ୍ତବ ପୃଥିବୀ ତା’ର ସମସ୍ତ ସ˚ଜୀବନୀ ତତ୍ତ୍ବ ସତ୍ତ୍ବେ ଗୌଣ ହେବାରେ ଲାଗିଛି, ଯାହା କ୍ରମେ ପ୍ରକୃତି ପ୍ରତିକୂଳ ହୋଇ ତୀବ୍ର ଅସ୍ତିତ୍ବ ସ˚କଟର କାରଣ ହୋଇପଡ଼ିବା ଅନୁମାନସାପେକ୍ଷ।

୧୯୮୩ ମସିହାର ‘ବ୍ରିକ୍‌’ ଏବେ ହାଲୁକା, କୃଶାଙ୍ଗ ଏବ˚ ଅତ୍ୟନ୍ତ ସୌଖୀନ ରୂପରେ ଅଧିକା˚ଶ ମନୁଷ୍ୟଙ୍କ ହାତମୁଠାମାନରେ ବିରାଜମାନ ହୋଇ ସେମାନଙ୍କୁ ପରିଚାଳିତ କରୁଛି; ଏବ˚ ତା’ ସହିତ ଆଳାପ-ଆଲୋଚନା କରିବାର ମୌଳିକ ଉଦ୍ଦେଶ୍ୟକୁ ଅତିକ୍ରମ କରି ତାହା ବର୍ତ୍ତମାନ ରେଡିଓ, କ୍ୟାମେରା, ଟେପ୍‌ ରେକର୍ଡର, କାଲକୁଲେଟର, କ୍ୟାଲେଣ୍ତର, ଆଲାର୍ମ ଘଣ୍ଟା, ଟେଲିଭିଜନ ଇତ୍ୟାଦିର ଭୂମିକାରେ ଅବତୀର୍ଣ୍ଣ ହୋଇ ଆମ ଜୀବନରୁ ଉପରୋକ୍ତ ଯନ୍ତ୍ରଗୁଡ଼ିକୁ ସ୍ଥାନଚ୍ୟୁତ କରି ଆବର୍ଜନା କୁଢ଼ରେ ନିକ୍ଷେପ କରାଇ ସାରିଲାଣି। ତା’ ସହିତ ଅନୁସନ୍ଧାନ, ଜ୍ଞାନାର୍ଜନ, ଗବେଷଣା, ବାର୍ତ୍ତା-ପ୍ରେରଣ ଭଳି ଅନେକ କ୍ଷେତ୍ରରେ ଏହା ଏଭଳି ପରିବର୍ତ୍ତନମାନ ସ˚ଘଟିତ କରିଛି, ଯହିଁରେ ଅନେକ ପୁରୁଣା ଅଭ୍ୟାସ ଅନ୍ତର୍ହିତ ହୋଇଗଲେଣି; ଯେମିତି ପାଠାଗାର ଯାଇ ପୁସ୍ତକମାନରୁ ତଥ୍ୟ ଆହରଣର ଅଭ୍ୟାସ ଅଥବା ଶୁଭେଚ୍ଛା ବାର୍ତ୍ତା ବହନକାରୀ ଗ୍ରିଟି˚ସ କାର୍ଡ ପ୍ରେରଣ କରିବାର ଅଭ୍ୟାସ।

୧୯୯୨ ମସିହା ଡିସେମ୍ବର ମାସରେ ରିଚାର୍ଡ ଜାର୍ଭିସ୍‌ ସର୍ବ ପ୍ରଥମେ ନିଜ କ˚ପ୍ୟୁଟରରୁ ‘ଖ୍ରୀଷ୍ଟମାସର ଶୁଭେଚ୍ଛା’ ମୂଳକ ସନ୍ଦେଶଟିଏ ପ୍ରେରଣ କରିବା ସହିତ ସେଲ୍‌ ଫୋନ୍‌ରେ ବାର୍ତ୍ତା ପ୍ରେରଣର ପ୍ରଥମ ଦୃଷ୍ଟାନ୍ତ ସ୍ଥାପନ କରିଥିଲେ। ତହିଁରୁ ଆରମ୍ଭ କରି ୧୯୯୭ ମସିହାରେ ‘ନୋକିଆ’ କ˚ପାନି (ଫିନଲାଣ୍ତ) ଦ୍ବାରା ମୁଷ୍ଟି ଆବଦ୍ଧ ହୋଇ ପାରୁଥିବା ଭଳି ଛୋଟିଆ ସେଲ୍‌ ଫୋନ୍‌ର ନିର୍ମାଣ ବା ୨୦୦୧ ମସିହାରେ ଜାପାନରେ ‘୩-ଜି’ ଭଳି ଦ୍ରୁତ ବେଗ ସ˚ପନ୍ନ ଇଣ୍ଟରନେଟ୍‌ ପ୍ରଯୁକ୍ତିର ବିକାଶ ଅଥବା ୨୦୦୪ ମସିହାରେ ଆଣ୍ତ୍ରଏଡ୍‌ ପ୍ରଯୁକ୍ତି ଏବ˚ ‘ଆପ୍‌’ ସମ୍ଭାରର ବିକାଶ ଅଥବା ୨୦୦୭ ମସିହାରେ ପ୍ରଥମ ‘ଆଇଫୋନ୍‌’ (ଆପଲ କ˚ପାନି)ର ବଜାର ପ୍ରବେଶ କିମ୍ବା ୨୦୧୯ ମସିହାରେ ଦ୍ରୁତତମ ଇଣ୍ଟରନେଟ୍‌ ପ୍ରଯୁକ୍ତି ‘୫-ଜି’ର ଆଗମନ ପର୍ଯ୍ୟନ୍ତ ଘଟଣାକ୍ରମରେ ମାନବ ସମାଜ ଆଉ ଯାହା ଦେଖିଛି, ତାହା ହେଲା ‘ଡିଜିଟାଲ୍‌-ସାକ୍ଷର’ ଏବ˚ ‘ଡିଜିଟାଲ୍‌-ନିରକ୍ଷର’ ଭଳି ଦୁଇ ଭାଗରେ ବିଭକ୍ତ ଏକ ପୃଥିବୀ, ଯହିଁରେ ଡିଜିଟାଲ-ନିରକ୍ଷରମାନେ ଦ୍ରୁତ ଗତିରେ ସୀମାନ୍ତରିତ ହେବାରେ ଲାଗିଲେଣି; ଯାହାର ଏକ ଅତ୍ୟନ୍ତ ସରଳ ଦୃଷ୍ଟାନ୍ତ ହେଲା ସ୍କୁଲ ବା କଲେଜରେ ଅନ୍‌ଲାଇନ୍‌ ନାମ ଲେଖା ପ୍ରକରଣ, ଯହିଁରେ ମଫସଲର ଅନେକ ଦରିଦ୍ର ପରିବାରର ସନ୍ତାନମାନେ ସତେ ଯେମିତି ଏକ ଅପରିଚିତ ପୃଥିବୀରେ ବାସ କରୁଥିବା ଭଳି ଭାବନାର ଶରବ୍ୟ ହୋଇଥାଆନ୍ତି। କିନ୍ତୁ କଟୁ ହେଲେ ମଧୢ ଏହା ସ୍ବୀକାର କରିବାକୁ ହେବ ଯେ ଯୋଗ୍ୟତମଙ୍କୁ ତିଷ୍ଠି ରହିବାର ସୁଯୋଗ ପ୍ରଦାନ କରୁଥିବା ବିବର୍ତ୍ତନବାଦ ବସ୍ତୁତଃ ଡିଜିଟାଲ-ସାକ୍ଷରମାନଙ୍କୁ ହିଁ ପରିଶେଷରେ ଏହି ପୃଥିବୀରେ ବଞ୍ଚି ରହିବାର ସୁଯୋଗ ଦେବ, ଯେଉଁମାନଙ୍କ ହାତରେ ସେଲ୍‌ ଫୋନ୍‌ ଏକ ଆୟୁଧ ଭାବେ ରହିଥିବ।

ତେବେ ସେଲ୍‌ ଫୋନ୍‌ର ଏକ ବିଡ଼ମ୍ବନା ହେଲା ଏହା ଜୀବନର ଏକ ଅବିଚ୍ଛେଦ୍ୟ ଅ˚ଶ ପାଲଟିଥିବା ବେଳେ ଏକ ନିଶାରେ ମଧ୍ୟ ପରିଣତ ହୋଇଛି, ଯାହାକୁ ଚିକିତ୍ସକମାନେ ଡ୍ରଗ୍‌ସ ନିଶା ସହିତ ତୁଳନୀୟ ବୋଲି ଅଭିହିତ କଲେଣି। ସୁତରା˚, ଏହି ନିଶାରୁ ମୁକ୍ତି ଲାଭ କରିବା ଲାଗି ସେଲ୍‌ ଫୋନ୍‌ ବିନା କିଛି ସମୟ କାଟିବା ଲାଗି ମଧୢ ବିଶେଷଜ୍ଞ ପରାମର୍ଶମାନ ମିଳିବାରେ ଲାଗିଲାଣି। କେବଳ ସେତିକି ନୁହେଁ, ଦୀର୍ଘ ସମୟ ଧରି ମୋବାଇଲ୍‌ ଫୋନ୍‌ରେ ନିମଗ୍ନ ରହିବା ଦ୍ବାରା ଦୃଷ୍ଟି ଓ ଶ୍ରବଣ ଜନିତ ବ୍ୟାଧି ଏବ˚ ସର୍ଭିକାଲ ସ୍ପଣ୍ତିଲୋସିସ୍‌, ନିଦ୍ରାହୀନତା ଇତ୍ୟାଦି ସୃଷ୍ଟି ହେଉଛି; ଉଦ୍‌ବେଗ, ଅବସାଦ, ବିଷାଦ ତୀବ୍ର ଅନ୍ୟମନସ୍କତା ଭଳି ମାନସିକ ଉପସର୍ଗମାନ ବ୍ୟାପିବାରେ ଲାଗିଛି; ସେଲ୍‌ ଫୋନ୍‌ ଦ୍ବାରା ଅନେକ କାର୍ଯ୍ୟ ବିନା ଶରୀର ଚାଳନାରେ ସ˚ପାଦିତ ହେଉଥିବାରୁ ଏହା ଯେଉଁ ସ୍ଥବିରତା, ଶ୍ରମହୀନତା ଓ ଆଳସ୍ୟ ସୃଷ୍ଟି କରୁଛି, ତାହା ଜୀବନଶୈଳୀ ବ୍ୟାଧିର କାରଣ ହେଲାଣି। ଏହି ପ୍ରସଙ୍ଗରେ ବର୍ତ୍ତମାନ ନବେ ବର୍ଷ ବୟସରେ ଉପନୀତ ସେଲ୍‌ ଫୋନ୍‌ର ଜନକ ମାର୍ଟିନ୍‌ କୁପରଙ୍କ ଏକ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ: ‘ସେଲ୍‌ ଫୋନ୍‌ ଭିତରେ ନିମଗ୍ନ ରହି ସଡ଼କ ଅତିକ୍ରମ କରୁଥିବା ଲୋକଙ୍କୁ ଦେଖିଲେ ଛାତି ଫାଟିଯାଏ। ମନୁଷ୍ୟ କି ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି ସତେ!’ ଏହି ପରିପ୍ରେକ୍ଷୀରେ ତାଙ୍କର ମାର୍ମିକ ଉପଦେଶ ହେଲା, ‘କିଛି ସମୟ ଲାଗି କୁପରଙ୍କ ଉଦ୍ଭାବନ ଉପରୁ ନଜର ହଟାଅ।’