ଚିନ୍ମୟ ଚେତନା: ଉଡ଼ନ୍ତା ଚୁମ୍ବନ

ଚିନ୍ମୟ ହୋତା

ନିକଟରେ ରାହୁଳ ଗାନ୍ଧୀଙ୍କର ସଂସଦ ଗୃହ ଭିତରେ ‘ଫ୍ଲାଇଙ୍ଗ କିସ୍‌’ ବା ଉଡ଼ନ୍ତା ଚୁମ୍ବନ ପ୍ରସଙ୍ଗଟି ରାଜନୈତିକ ବାତାବରଣକୁ ସରଗରମ କରି ପକାଇଥିଲା। ପ୍ରତ୍ୟେକ ଉଡ଼ନ୍ତା ଜିନିଷ ପ୍ରତି ମଣିଷର ଅତିଶୟ ଆଗ୍ରହ। ମୁକ୍ତାକାଶରେ ପକ୍ଷୀଟିଏ ଡେଣାମେଲି ଉଡ଼ିଯାଉଥିବା ଦେଖି ସେ ବି ଉଡ଼ିବା ପାଇଁ ମନ କଲା ଓ ଶେଷରେ ଉଡ଼ିବା ଯନ୍ତ୍ର ବାହାର କରି ନିଜେ ଉଡ଼ିବା ଆରମ୍ଭ କରିଦେଲା। ନିଜେ ଉଡ଼ିବା ଓ ଉଡ଼େଇବା ସଙ୍ଗେ ସଙ୍ଗେ ତା’ର କଳ୍ପନାରେ ଉଡ଼ାଣ ଭରି ମଣିଷ କେତେ ସବୁ ଜିନିଷ ଓ ଚରିତ୍ରକୁ ଉଡ଼ନ୍ତା ରୂପରେ ଦେଖିଲା। ଖୁବ୍‌ ବେଗବାନ ଦୌଡ଼ାଳିକୁ ସେ ନାମ ଦେଲା ‘ଫ୍ଲାଇଙ୍ଗ ଶିଖ’, ଦ୍ରୁତ ଗତିର ରେଳଗାଡ଼ିକୁ ସେ କହିଲା ‘ଫ୍ଲାଇଙ୍ଗ ରାଣୀ’, ପୁଣି ଦୁଃସାହସୀ ମଣିଷଟିକୁ ସେ ଡାକିଲା ‘ଝଡ଼ର ଇଗଲ’।
ବାସ୍ତବରେ ହେଉ କି କଳ୍ପନାରେ, ସମସ୍ତ ଉଡ଼ନ୍ତା ବସ୍ତୁ ପ୍ରତି ପ୍ରକୃତିଗତ ଭାବେ ଆକର୍ଷିତ ମଣିଷକୁ ତେଣୁ ରାହୁଳଙ୍କ ଉଡ଼ନ୍ତା ଚୁମ୍ବନ ବିଷୟଟି ବେଶ୍‌ ଆଗ୍ରହୀ କରିପକାଇଲା। ଅବଶ୍ୟ ଏହାକୁ ନେଇ ପାରମ୍ପରିକ ରାଜନୀତି ପୂରା ଦମ୍‌ରେ କାୟା ବିସ୍ତାର କରିଚାଲିଲା। ରାହୁଳଙ୍କ ପ୍ରତିବାଦୀମାନେ କହିଲେ ସେ ଘୃଣ୍ୟ ଚୁମ୍ବନଟିଏ ଉଡ଼ାଇ ସଂସଦର ଗରିମା ନଷ୍ଟ କରିଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କୁଠାରାଘାତ କରିଛନ୍ତି, ସେ ଜଣେ ନାରୀ-ବିଦ୍ୱେଷୀ ଇତ୍ୟାଦି। ସାଂସଦ ସ୍ମୃତି ଇରାନୀ ତ ରାହୁଳଙ୍କ ବଂଶ ପରମ୍ପରାକୁ ଆକ୍ଷେପ କରିବାକୁ ପଛାଇଲେ ନାହିଁ। ଏଣେ ଶାସକ ଦଳର ଏହି ଅଭିଯୋଗ ମଣିପୁର ସଙ୍କଟ ପ୍ରସଙ୍ଗକୁ ଏଡ଼ାଇଯିବା ପାଇଁ ଏକ ସୁପରିକଳ୍ପିତ ରଣକୌଶଳ ବୋଲି କଂଗ୍ରେସ ଦଳ ପକ୍ଷରୁ ଯୁକ୍ତି ବଢ଼ାଯାଇଛି।
ରାଜନୀତିର ଆବରଣ ତଳୁ ଘଟଣାଟିକୁ ଟିକେ ନିରେଖି ଦେଖିଲେ ଜଣାପଡ଼େ ଯେ ସୃଷ୍ଟି ହୋଇଥିବା ବିବାଦ ପାଇଁ ରାହୁଳଙ୍କ ଚପଳତାର ଇତିହାସ ଅନେକାଂଶରେ ଦାୟୀ। ପୂର୍ବରୁ ତାଙ୍କର ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଓ ଆଖି ମାରିବା ଦୃଶ୍ୟ ଆଜିବି ଦେଶବାସୀଙ୍କ ସ୍ମୃତିରେ ସତେଜ ହୋଇ ରହିଛି। ଏମିତି ଆଚରଣ ସହ ତାଙ୍କର କିଛି ହାଲୁକା ଉଚ୍ଚାରଣ ମଧ୍ୟ ତାଙ୍କୁ ଜଣେ ଅପରିପକ୍ବ ରାଜନୀତିଜ୍ଞର ଛବି ପ୍ରଦାନ କରିଥାଏ। ଏବର ଉଡ଼ନ୍ତା ଚୁମ୍ବନ ଅଭିଯୋଗଟି ସେ ଛବି ସହ ମେଳ ଖାଉଥିବାରୁ ସମସ୍ତଙ୍କର ସନ୍ଦେହକୁ ତାହା ଦୃଢ଼ୀଭୂତ କରିପକାଏ, ଯେମିତି ସହରରେ ନୂଆ ଅପରାଧଟିଏ ଘଟିଲେ ସମସ୍ତଙ୍କ ନଜର ଆଗେ ପଡ଼େ ପୁରୁଣା ଦାଗୀମାନଙ୍କ ଉପରେ।
ନିଜର ଚପଳତାପୂର୍ଣ୍ଣ ଇତିହାସର ଶିକାର ରାହୁଳଙ୍କୁ ପୁଣି ଥରେ ଦୋଷୀ ରାୟ ଦେବାପାଇଁ ତତ୍ପର ପ୍ରତିବାଦୀମାନେ ଏକଥା ପ୍ରତି ଧ୍ୟାନ ଦେଉନାହାନ୍ତି ଯେ ଘଟଣାଟିର ଚାକ୍ଷୁଷ ପ୍ରମାଣ କିଛି ନାହିଁ। ସମସ୍ତେ ଜାଣନ୍ତି ଯେ ସଂସଦ ଗୃହରେ ସର୍ବଦା କାର୍ଯ୍ୟରତ ନିରାପତ୍ତା ଓ ଟିଭି କ୍ୟାମେରା ଗୁଡ଼ିକର ନଜରରୁ ଅତି କ୍ଷୁଦ୍ର ଘଟଣାଗୁଡ଼ିକ ମଧ୍ୟ ବାଦ ଯାଇପାରନ୍ତି ନାହିଁ। ସେଇଥିପାଇଁ ତ କେତେକ ରାଜ୍ୟର ବିଧାନସଭା (ଓଡ଼ିଶା ସମେତ) ଗୁଡ଼ିକରେ ସଭାକାର୍ଯ୍ୟ ଚାଲୁଥିବା ବେଳେ କିଛି ସଦସ୍ୟ ଫୋନରେ ଅଶ୍ଳୀଳ ଚିତ୍ର ଓ ଭିଡିଓ ଦେଖୁଥିବାର ଘଟଣା ପ୍ରଘଟ ହୋଇପାରିଥିଲା। ତେଣୁ ମନରେ ପ୍ରଶ୍ନ ଉଠେ ଏଥର ରାହୁଳଙ୍କର ଉଡ଼ନ୍ତା ଚୁମ୍ବନ କୌଣସି କ୍ୟାମେରାରେ ଧରାପଡ଼ିଲା ନାହିଁ କେମିତି?
ଉଡ଼ନ୍ତା ବସ୍ତୁରେ ସଦା କୌତୂହଳୀ ମଣିଷ ଅନେକ ସମୟରେ ତା’ର ବର୍ଣ୍ଣନାଟିକୁ ରୋଚକ କରିବା ପାଇଁ ମନଗଢ଼ା କାହାଣୀଟିଏ ଯୋଡ଼ିଦେଇଥାଏ। ମଣିଷର ଏହି ପ୍ରବୃତ୍ତିଟିକୁ ସୂଚେଇଦେବା ପାଇଁ ‘କୁଆ ଉଡ଼ିଗଲେ ଛୁଆ ଉଡ଼ିଗଲା’ ଭଳି ଆପ୍ତବାକ୍ୟର ସୃଷ୍ଟି। ତା’ ଛଡ଼ା ପୁଣି ରହିଛି ‘ଉଡ଼ନ୍ତା ଥାଳିଆ’ର ଅସମାହିତ ପ୍ରଶ୍ନ। ଏହି ‘ଉଡ଼ନ୍ତା ଥାଳିଆ’ ଚଢ଼ି ଅନ୍ୟ ଗ୍ରହର ଅଧିବାସୀମାନେ ପୃଥିବୀ ଭ୍ରମଣ କରିବାକୁ ଆସନ୍ତି ବୋଲି ଏକ ଧାରଣା ଅନେକଙ୍କ ମନରେ ରହିଯାଇଛି। ମଝିରେ ମଝିରେ କିଛି ଲୋକ ଆକାଶରେ ଉଡ଼ନ୍ତା ଥାଳିଆ ଦେଖିବାର ଦାବି କରିଥାନ୍ତି। ଏହି ଦାବି ଗୁଡ଼ିକର ସଂଖ୍ୟା ଏତେ ଅଧିକ ଓ ବେଳେବେଳେ ଦାବିଦାରର ଉତ୍ସାହ ଏତେ ତୀବ୍ର ହୋଇଉଠେ ଯେ କର୍ତ୍ତୃପକ୍ଷ ଘଟଣାଗୁଡ଼ିକୁ ହାଲୁକାଭାବେ ବରଖାସ୍ତ କରିପାରନ୍ତି ନାହିଁ। ହେଲେ ଦଶକ ଦଶକର ଗବେଷଣା ସତ୍ତ୍ୱେ ଉଡ଼ନ୍ତା ଥାଳିଆ ଯେଉଁ ଉଡ଼ା ଖବରକୁ ସେଇ ଉଡ଼ା ଖବର ହୋଇ ରହିଛି।
ରାହୁଳଙ୍କର ଉଡ଼ନ୍ତା ଚୁମ୍ବନ ବିବାଦର ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦିଗ ହେଲା ସୌହାର୍ଦ୍ଦ୍ୟ ପ୍ରଦର୍ଶନର ଏହି ସାଧାରଣ ଅଭିବ୍ୟକ୍ତିଟିକୁ ଅପସଂସ୍କୃତିର ରୂପ ଦେବାର ପ୍ରଚେଷ୍ଟା। ଏହି ଇଙ୍ଗିତଟି ଆଉ କେବଳ ପ୍ରେମ, ପ୍ରୀତିର ଦ୍ୟୋତକ ହୋଇ ରହି ନାହିଁ, ଏହା ଏବେ ଅନ୍ୟକୁ ସମର୍ଥନ ଦେଖାଇବାର କିମ୍ବା ଅନ୍ୟର ଶୁଭେଚ୍ଛା ସ୍ୱୀକାର କରିବାର ଏକ ସାଧାରଣ ଅଭିବ୍ୟକ୍ତି ହୋଇଗଲାଣି। କୌଣସି ଖେଳାଳିଙ୍କର ସୁନ୍ଦର ପ୍ରଦର୍ଶନ ଯୋଗୁଁ ଦର୍ଶକମାନେ ଉଚ୍ଛ୍ୱସିତ କରତାଳି ଦେଲେ ଖେଳାଳି ଜଣକ ଶୁଭେଚ୍ଛୁମାନଙ୍କୁ ଏହି ଉଡ଼ନ୍ତା ଚୁମ୍ବନ ମାଧ୍ୟମରେ କୃତଜ୍ଞତା ଜଣାଇଥାନ୍ତି। ଏହି ଇଙ୍ଗିତଟି ଏବେ ଆମ ଦେଶରେ ମଧ୍ୟ ବହୁଳ ଭାବରେ ବ୍ୟବହାର ହେଲାଣି। ନାମୀ ଚିତ୍ରତାରକା ଶାହରୁଖ ଖାଁ ତାଙ୍କର ଅଗଣିତ ଅନୁରାଗୀ ଦର୍ଶନାର୍ଥୀମାନଙ୍କୁ ଏହି ଉଡ଼ନ୍ତା ଚୁମ୍ବନ ମାଧ୍ୟମରେ ଧନ୍ୟବାଦ ଜଣାଇଥାନ୍ତି।
ପୁଣି ଆଜିର ଦୁନିଆରେ ଉଡ଼ନ୍ତା ଚୁମ୍ବନ ଏକ ସାଧାରଣ ‘ଇମୋଜି’ ବା ଭାବ-ପ୍ରତୀକ ହିସାବରେ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ବ୍ୟବହୃତ ହେଲାଣି। ମିଚିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ଏହି ଇମୋଜିଟି ଜନପ୍ରିୟତାରେ ଚତୁର୍ଥ ସ୍ଥାନ ଅଧିକାର କଲାଣି। ତେଣୁ ନିଜର ଯୁବସୁଲଭ ବ୍ୟବହାର ପାଇଁ ଚର୍ଚ୍ଚିତ ରାହୁଳ ଏହି ଇଙ୍ଗିତଟିକୁ ଯଦିବି ବ୍ୟବହାର କରିଥିବେ ତେବେ ଏହାକୁ ଏତେ କଦର୍ଥ କରିବା କ’ଣ ଉଚିତ, ବିଶେଷକରି ଏମିତି ଏକ ଭାରତରେ ଯେଉଁଠି ସମୁଦାୟ ଲୋକସଂଖ୍ୟାର ଅର୍ଦ୍ଧାଧିକଙ୍କ ବୟସ ପଚିଶରୁ କମ୍‌? ଆଗକୁ ଯେଉଁ ଗୋଷ୍ଠୀ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବେ ସେମାନେ କ’ଣ ‘ଅପସଂସ୍କୃତି’ର ଏମିତି ବାଦାନୁବାଦ ପ୍ରତି କର୍ଣ୍ଣପାତ କରିବେ?
ଭବିଷ୍ୟତ କଥା ଯାହା ବି ହେଉ, ଆଜିର ରାଜନୀତିରେ କଂଗ୍ରେସର ଅବସ୍ଥା ମୁମୂର୍ଷୁ। ମୃତପ୍ରାୟ ମଣିଷଟିକୁ ଜୀବିତ ରଖିବାପାଇଁ ଯେଉଁ ଡାକ୍ତରୀ ପଦ୍ଧତି ବ୍ୟବହାର କରାଯାଏ ତାହାକୁ ‘କିସ୍ ଅଫ ଲାଇଫ’ ବା ‘ଜୀବନ-ଚୁମ୍ବନ’ ବୋଲି କୁହାଯାଏ। ଆଶା ଏହି ଉଡ଼ନ୍ତା ଚୁମ୍ବନ ଝଟକା ପରେ ରାହୁଳ ସେହି ‘ଜୀବନ-ଚୁମ୍ବନ’ ପ୍ରତି ଅଧିକ ଧ୍ୟାନ ଦେବେ।
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର