ମହାବୀର ଓ ତାଙ୍କ ଭାଇ

କଥାଟିଏ - ଯାଯାବର

ଯେତେବେଳେ ମହାବୀର ଘର ଓ ପରିବାର ଛାଡ଼ି ଚାଲି ଯିବାକୁ ବାହାରିଲେ ସେତିକି ବେଳେ ତାଙ୍କ ଭାଇ ତାଙ୍କୁ ବିସ୍ମୟ ସହକାରେ କହିଲେ- ମହାବୀର ତୁମେ ନିର୍ବୋଧ। ତା’ ହୋଇ ନ ଥିଲେ ଏ ରାଜପଦ, ରାଜସି˚ହାସନ ଓ ରାଜ୍ୟ ଛାଡ଼ି ଚାଲି ଯାଉ ନ ଥାଆନ୍ତ।

ସେତିକି ବେଳେ ମହାବୀର ତାଙ୍କ ଶରୀରରେ ଥିବା ଏକମାତ୍ର ବସ୍ତ୍ର କୌପୀନଟିକୁ ଖୋଲିବାର ଉପକ୍ରମ କରୁଥିଲେ। ଭାଇଙ୍କ କଥା ଶୁଣି ସେ ହସି ଦେଇ କହିଲେ- ମୁଁ ଓ ଏଇ କୌପୀନ ପରସ୍ପରକୁ ବାନ୍ଧି ରଖିଛୁ। ସେ କେବଳ ମୋତେ ବାନ୍ଧି ନାହିଁ, ମୁଁ ବି ତା’ ସହିତ ବନ୍ଧା ହୋଇ ରହିଛି। ଏବେ ମୁଁ ସ˚ପୂର୍ଣ୍ଣ ମୁକ୍ତ।

ଏହା କହି ସ˚ପୂର୍ଣ୍ଣ ଉଲଗ୍ନ ମହାବୀର ରାଜଉଆସ ଛାଡ଼ି ଚାଲିଗଲେ ଏବ˚ ଗଲା ବେଳେ କହିଗଲେ ମୁଁ ଏବେ ସ˚ପୂର୍ଣ୍ଣ ମୁକ୍ତ। ମୁଁ ଏବେ ଆଉ କାହାର ଦାସ ନୁହେଁ।

ମହାବୀର ଗଲା ପରେ ତାଙ୍କ ଭାଇ ବୃଦ୍ଧ ମନ୍ତ୍ରୀଙ୍କୁ ପଚାରିଲେ- ମହାବୀର କ’ଣ ଠିକ୍‌ କଥା କହିଦେଇ ଗଲା? ମୁଁ ପରା ଏ ରାଜ୍ୟର ରାଜା। ଏ ରାଜ୍ୟର ପ୍ରଭୁ। ମୁଁ କ’ଣ କାହାର ଦାସ? ଦାସ ନ ହେବା ଲାଗି ରାଜା ହେବା ଦରକାର, ନୁହେଁ କି?

ମନ୍ତ୍ରୀ ସତ୍ୟନିଷ୍ଠ ଥିଲେ। ସେ କହିଲେ- ନା, ମହାରାଜ, ଗହୀରେଇ ଦେଖିଲେ ଆପଣ ପ୍ରଭୁ ନୁହନ୍ତି, ଏ ପ୍ରଭୁପଣର ଦାସ। ଆପଣ ରାଜକୀୟ ଅହ˚କାରର ଦାସ। ଆପଣ ମୁକ୍ତ ନୁହନ୍ତି। ମହାବୀର କିନ୍ତୁ ସତରେ ମୁକ୍ତ।

ମହାବୀରଙ୍କ ଏହି ଅନାସକ୍ତ ଭାବ ହେତୁ ସେ ଜିତେନ୍ଦ୍ରିୟ ନାମରେ ପରିଚିତ ହେଲେ।

ସମ୍ବନ୍ଧିତ ଖବର