ମଣିଷ ବିଚାର

କଥାଟିଏ-ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଜଣେ ବ୍ୟକ୍ତି ପଚାରିଲା- ଆଚ୍ଛା ମୁଲ୍ଲା, ତୁମେ ଠିକ୍‌ କଥା କହିପାରିବ? କହିଲ ଦେଖି ଅମକ ଲୋକଟା ପ୍ରକୃତରେ କେମିତି?
ମୁଲ୍ଲା କହିଲେ- ତୁମେ କ’ଣ ଭାବି ମୋ ପାଖକୁ ଆସିଛ? ପ୍ରଥମେ ତୁମେ ଯାଇ ଗାଁରେ କିଛି ଲୋକଙ୍କୁ ମୋ ବାବଦରେ ପଚାରି ଆସ। ତା ପରେ ମୁଁ ତୁମକୁ ସେ ଲୋକଟି କେମିତି ସେ ବାବଦରେ କହିବି।
ଲୋକଟି ଏହା ଶୁଣି ଗାଁର କିଛି ଲୋକଙ୍କୁ ପଚାରିଲା- ଭାଇ କହିଲ, ଆମ ମୁଲ୍ଲା ନସିରୁଦ୍ଦିନଟା କେମିତି ଲୋକ?
ଏହାର ଉତ୍ତରରେ କିଏ କହିଲା- ବୁଢ଼ା ଭାରି କୃପଣ, କିଏ କହିଲା ସେ ମହା ଧୂର୍ତ୍ତ, କିଏ କହିଲା ସେ ବହୁତ ସ୍ବାର୍ଥପର, ତ ଆଉ କିଏ କହିଲା ତା ଭଳି ବାଜେ ଲୋକ କେହି ନାହାନ୍ତି। କେହି କେହି ଅବଶ୍ୟ କହିଲେ- ବୁଢ଼ା ମହା ଚତୁର।
ସେ ଲୋକଟି ଆଉ ମୁଲ୍ଲାଙ୍କ ପାଖକୁ ଫେରିଲା ନାହିଁ। କୌଣସି ଲୋକ ମୁଲ୍ଲାଙ୍କୁ ଅନ୍ୟ କୌଣସି ଲୋକ ବିଷୟରେ ରାୟ ମାଗିଲେ, ମୁଲ୍ଲା ଏଇ ଉପାୟକୁ ଆପଣାଉଥିଲେ। ଯେ ଯାଉଥିଲା, ସେ ଆଉ ମୁଲ୍ଲାଙ୍କ ନିକଟକୁ ଫେରୁ ନ ଥିଲା।
କିନ୍ତୁ ଜଣେ ଫେରିଲା।
ମୁଲ୍ଲା ପଚାରିଲେ- ତୁମେ ଫେରିଲ ଯେ? ଲୋକେ ମୋ ବିଷୟରେ କଅଣ କହିଲେ କି?
ଲୋକଟି କହିଲା- ଲୋକେ ତୁମ ବିଷୟରେ ଯାହା କହିଲେ ତାହା କହିବାକୁ ଜିଭ ଲେଉଟୁ ନାହିଁ। ତେବେ ତୁମେ ପଚାରୁଛ ବୋଲି କହୁଛି। ଲୋକେ ତୁମକୁ ବିଶେଷ ଭଲ ବୋଲି ଭାବନ୍ତି ନାହିଁ। ସେମାନେ କହିଲେ- ତୁମେ କୃପଣ, ଧୂର୍ତ୍ତ ଇତ୍ୟାଦି ଇତ୍ୟାଦି।
ମୁଲ୍ଲା କହିଲେ- ତଥାପି ତୁମେ ଅମକ ଲୋକ ବିଷୟରେ ମୋ ମତ କଅଣ ତାହା ଶୁଣିବାକୁ ଆସିଛ? ହଉ ଆସିଛ ଯଦି ଶୁଣ। ସେ ଲୋକ ବି ଧୂର୍ତ୍ତ, କୃପଣ, ଲୋଭୀ ଇତ୍ୟାଦି ଇତ୍ୟାଦି।
ଲୋକଟି କହିଲା- ଏ କେମିତି କଥା? ଲୋକେ ତୁମ ବିଷୟରେ ଯାହା କହିଲେ, ତୁମେ ତା ବିଷୟରେ ବି ସେୟା କହୁଛ।
ମୁଲ୍ଲା କହିଲେ- ସେଇ କଥା ତ? ଆମ ଆଖିରେ ଅନ୍ୟମାନେ ସମସ୍ତେ ଏମିତି, କିନ୍ତୁ ନିଜେ ନିଜ ଆଖିରେ ଗୋଟାପଣେ ସୁନା। ଏହା ହେଉଛି ମଣିଷ ବିଚାର। ଏବେ ଯାଆ।

ସମ୍ବନ୍ଧିତ ଖବର