ବିଜୟ ନାୟକ
ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ପୁରୀର ପ୍ରାଧାନ୍ୟକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏମନ୍ତ ଆଶଙ୍କା କ’ଣ ସତ୍ୟର ନିକଟବର୍ତ୍ତୀ ହୋଇପାରିବ? କାଳେ କାଳେ ନୀଳାଦ୍ରି ଓ ନୀଳାମ୍ବୁ ବିଶ୍ୱମାନସରେ ଆକର୍ଷଣର ସୁବର୍ଣ୍ଣ ସ୍ମାରକୀ ହୋଇ ରହିଆସିଛନ୍ତି ଏବଂ ଯାବତ୍ ଚନ୍ଦ୍ରାର୍କେ ରହିଥିବେ ମଧ୍ୟ। ଦାରୁବ୍ରହ୍ମଙ୍କ ଆଦିପୀଠ ଅନାଦିକାଳରୁ ଅଦ୍ୱିତୀୟ। ପୃଥିବୀର ଯେ କୌଣସି ସ୍ଥାନରେ ଥିବା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପୂଜ୍ୟ କିନ୍ତୁ ନାଭିକମଳରେ ବ୍ରହ୍ମ ସ୍ଥାପିତ ହୋଇଥିବାରୁ ପୁରୀର ଶ୍ରୀଜଗନ୍ନାଥ ଜୀବନ୍ତ ପ୍ରତିମା। ତାଙ୍କର ବିକଳ୍ପ କାହିଁ? ବହୁ ମୁନିମନୀଷୀଙ୍କ ପଦପାତରେ ଶ୍ରୀମୟ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରର ତୁଙ୍ଗିମା ପୁଣି ଅତୁଳନୀୟ। କପିଳ ସଂହିତାରେ ଯଥାର୍ଥରେ ଉଲ୍ଲେଖ ରହିଛି: “ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମମ୍, ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀପୁରୁଷୋତ୍ତମଃ।” ସବୁ କ୍ଷେତ୍ର ଶ୍ରୀକ୍ଷେତ୍ର ହୋଇପାରନ୍ତି ନା ସବୁ ମନ୍ଦିର ଶ୍ରୀମନ୍ଦିର ହୋଇପାରନ୍ତି! ତେବେ ତଥାକଥିତ ଆଶଙ୍କାକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରର ଦର୍ଶନପୂଜନ, ନୀତିକାନ୍ତି ଆହୁରି ବ୍ୟବସ୍ଥିତ ହେବା ଉଚିତ ନୁହେଁ କି? ଉଚିତ ନୁହେଁ କି ମହାପ୍ରଭୁଙ୍କ ବିଜେସ୍ଥଳୀର ପାରିପାର୍ଶ୍ୱିକ ବିକାଶ ପ୍ରତି ଅଧିକ ଧ୍ୟାନ ଦିଆଯିବା? ପୁରୀ ସହରର ପରିଚ୍ଛନ୍ନତା ଓ ଯାତ୍ରୀ ଅନୁକୂଳ ବାତାବରଣ ସୃଷ୍ଟି କରାଯିବା ମଧ୍ୟ ସମୟର ଆହ୍ୱାନ। ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ କିପରି ଓଡ଼ିଶା ଆସିବେ ସେ ବିଷୟରେ ଆଉ କେତେ ବିଳମ୍ବରେ ଚିନ୍ତା କରିବା ଆମେ?
ଚାରିପାଖରେ ଥିବା ସ୍ଥାନ ଓ ଆସ୍ଥାନ ପାଇଁ ପୁରୀର ପ୍ରସିଦ୍ଧି ମଧ୍ୟ ପ୍ରଥିତ। ମରାଳ-ମାଳିନୀ ଚିଲିକାର ଚାରୁ ଚିତ୍ରପଟ, କୋଣାର୍କର କମନୀୟ କାରୁକଳା, ମନ୍ଦିରମାଳିନୀ ଭୁବନେଶ୍ୱରର ଶିଳା-ଶିଳ୍ପ, ଖଣ୍ଡଗିରି ଓ ଉଦୟଗିରିର ଗୁମ୍ଫା ଗହ୍ୱର, ଦୟାନଦୀ ଅବବାହିକାରେ କଳିଙ୍ଗ ଯୁଦ୍ଧର ସ୍ମାରକୀ, ବାରବାଟୀ ଦୁର୍ଗ ସାଙ୍ଗକୁ ଅଦୂରବର୍ତ୍ତୀ ପୁଷ୍ପଗିରି ମହାବିହାରର କୀର୍ତ୍ତିରାଜି ତଥା ବିରଜା କ୍ଷେତ୍ର ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଗବେଷକ ଓ କବିକୋବିଦଙ୍କ ପାଇଁ ବିପୁଳ ବିସ୍ମୟ ହୋଇ ରହିଛି ଓ ରହିଥିବ। କଟକର ନେତାଜୀ ଜନ୍ମସ୍ଥଳୀ ଏକ ଇପ୍ସିତ ସ୍ମୃତିତୀର୍ଥ ମଧ୍ୟ। ପୁରୀ ସହିତ ଦୀଘାର ତୁଳନା ତେଣୁ ଅବାନ୍ତର ମନେହୁଏ। ଅସଂଖ୍ୟ ଗୀର୍ଜା ଓ ମସଜିଦ ରହିଛି ପୃଥିବୀରେ। ସେଗୁଡ଼ିକ କ’ଣ ଭାଟିକାନ ବା କାବା ସଙ୍ଗେ ତୁଳନୀୟ!
ହୋଇପାରନ୍ତି ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା, ସେ କିନ୍ତୁ ଜଗତର ନାଥ ଏବଂ ବିଶ୍ୱବ୍ରହ୍ମାଣ୍ଡର ଠାକୁର। ସେ ସର୍ବଦା ପୂଜ୍ୟ, ସର୍ବଥା ପୂଜ୍ୟ, ସର୍ବତ୍ର ପୂଜ୍ୟ। ସାରା ପୃଥିବୀରେ ସହସ୍ରାଧିକ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି, ଦୀଘାରେ ଆଉ ଏକ ମନ୍ଦିର ନିର୍ମିତ ହେବାରେ ବାଧା କେଉଁଠି? କିନ୍ତୁ ଦୀଘା ମନ୍ଦିରଟି ଶ୍ରୀଜଗନ୍ନାଥ ଧାମ ଭାବରେ ନାମିତ ହୋଇଥିବାରୁ ପ୍ରତିବାଦର ସ୍ୱର ଉଠିବା ସ୍ୱାଭାବିକ। ଆଦି ଶଙ୍କରାଚାର୍ଯ୍ୟ ଚାରିଧାମ ପ୍ରତିଷ୍ଠା କରିଥିଲେ ଭାରତରେ ଯାହା ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। ସର୍ବୋତ୍ତମ ଅବଶ୍ୟ ଅନୁକରଣୀୟ। କିନ୍ତୁ ଅବିଚାରିତ ଓ ଅବିକଳ ନକଲ ମୂଳ ସୃଷ୍ଟିର ମହତ୍ତ୍ୱ ହ୍ରାସ କରେନାହିଁ ବରଂ ନୂତନ ସୃଷ୍ଟିର ନ୍ୟୂନତାକୁ ପ୍ରକଟ କରେ। ‘ଜଗନ୍ନାଥ ଧାମ’ ନାମକରଣ ଦୀଘାକୁ ଗୌଣ କରୁନାହିଁ କି?
ଦୀଘା ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିରର ଏକ କ୍ଷୁଦ୍ର ପ୍ରତିକୃତି। କଳିଙ୍ଗ ସ୍ଥାପତ୍ୟ ଶୈଳୀ ଆଧାରରେ ନିର୍ମିତ ଏହି ମନ୍ଦିର ଓଡ଼ିଶୀ ଭାସ୍କର୍ଯ୍ୟର ବିଜୟ ବୈଜୟନ୍ତୀ ଉଡ଼ାଉଛି ବଙ୍ଗଭୂମିରେ। ଏହା ଓଡ଼ିଶା ପାଇଁ ଗୌରବର କଥା। ଉତ୍କର୍ଷ କଳା ସଦା ଭୂଗୋଳର ଊର୍ଦ୍ଧ୍ୱରେ। ଓଡ଼ିଶାର ଚାନ୍ଦୁଆ, କାଷ୍ଠ ଶିଳ୍ପ, ଓଡ଼ିଶୀ ନୃତ୍ୟ, ଖଣ୍ଡୁଆ ପାଟ ଓ ପଟ୍ଟଚିତ୍ରର ଝଲକ ମଧ୍ୟ ସେହି ମନ୍ଦିର ପରିସରରେ ପରିଦୃଷ୍ଟ। ଏସବୁ ଓଡ଼ିଶାର କଳାତ୍ମକ ଉତ୍କୃଷ୍ଟତାର ନିଦର୍ଶନ। ତେବେ ଶ୍ରୀଚୈତନ୍ୟ ଓ ଶ୍ରୀମନ୍ତ ଶଙ୍କର ଦେବଙ୍କ ପୁରୀ ଅବସ୍ଥାନ ସମୟରୁ ଶ୍ରୀମନ୍ଦିରରେ ପ୍ରଚଳିତ ପୂଜ୍ୟପାଦ ଅତିବଡ଼ୀ ଜଗନ୍ନାଥ ଦାସ କୃତ ଭାଗବତ ପଠନର ପରମ୍ପରା ଦୀଘା ମନ୍ଦିରରେ ମଧ୍ୟ ଅନୁସୃତ ହେବା ଉଚିତ।
ବଙ୍ଗରେ ପର୍ଯ୍ୟଟକ ମାଫିକ ବେଳାଭୂମିର ଅଭାବକୁ ଦୃଷ୍ଟିରେ ରଖି ବିଧାନ ବାବୁଙ୍କ ଅମଳରୁ ଦୀଘା ବେଳାଭୂମିକୁ ବିକଶିତ କରାଯାଇଥିଲା। କିନ୍ତୁ ପଥର ଖଚିତ ସେହି ବେଳା ଖୁବ୍ ବେଶୀ ଆକର୍ଷଣୀୟ ନୁହେଁ। ତେଣୁ ଦୀଘାରେ ପର୍ଯ୍ୟଟକଙ୍କ ପଦପାତ ଉତ୍ସାହଜନକ ବୋଲି କହିହେବନାହିଁ। ଜଗନ୍ନାଥ ମନ୍ଦିର ନିର୍ମିତ ହେବା ପରେ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଣୁ ଦୀଘାର ପର୍ଯ୍ୟଟକମାନେ ଯେମିତି ଓଡ଼ିଶାମୁହାଁ ହେବେ ସେଥିପ୍ରତି ଯଥାଦୃଷ୍ଟି ଦିଆଯିବା ଉଚିତ ନୁହେଁ କି?
ଦୀଘା ନିକଟ ଓଡ଼ିଶାର ହୁଗୁଳି ଗ୍ରାମରେ ବିଜେ ଶ୍ରୀ ଚନ୍ଦନେଶ୍ୱର। ଏହି ମନ୍ଦିର ବେଶ୍ ସୁନ୍ଦର ଓ ସୁଦୃଶ୍ୟ। ଦୈନିକ ହଜାର ହଜାର ବଙ୍ଗୀୟ ଭକ୍ତ ଚନ୍ଦନେଶ୍ୱର ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭକ୍ତ ରୋଗ ବ୍ୟାଧି ନିବାରଣ ପାଇଁ ପ୍ରଭୁଙ୍କ ପାଖରେ ‘ଅଧିଆ’ ପଡ଼ନ୍ତି। ସେଠାରେ ତିନିଦିନ ବ୍ୟାପୀ ଆୟୋଜିତ ବାର୍ଷିକ ଚଡ଼କ ମେଳାରେ ଲକ୍ଷ ଲକ୍ଷ ଧର୍ମପ୍ରାଣ ବଙ୍ଗବାସୀ ଅଂଶଗ୍ରହଣ କରନ୍ତି। ଚନ୍ଦନେଶ୍ୱର ମନ୍ଦିରର ପୁନରୁଦ୍ଧାର ଓ ହୁଗୁଳିକୁ ଏକ ସୁନ୍ଦର ସହର ରୂପ ଦିଆଗଲେ ଅଧିକ ସଂଖ୍ୟାରେ ଯାତ୍ରୀ ଚନ୍ଦନେଶ୍ୱର ଆସିବାକୁ ଇଚ୍ଛା ପ୍ରକାଶ କରିବେ। ସେହିପରି ସୁବର୍ଣ୍ଣରେଖା ମୁହାଣରେ ପୂଜିତ ଭୁଷଣ୍ଡେଶ୍ୱର ଏସିଆ ମହାଦେଶର ସର୍ବବୃହତ୍ ଶିବଲିଙ୍ଗ। ବାଟରେ ପଡ଼ିବ ପୁଣି ‘ମନ୍ମଥ-ମନୋଜ’ ପୀଠ, ଯାହା ଦେଶବ୍ୟାପୀ ସାହିତ୍ୟିକମାନଙ୍କର ଦୃଷ୍ଟି ଆକର୍ଷଣ କରେ। ଜଳେଶ୍ୱର ରାଜଘାଟରୁ ଭୁଷଣ୍ଡେଶ୍ୱର ପର୍ଯ୍ୟନ୍ତ ସୁବର୍ଣ୍ଣରେଖାରେ ନୌଯାତ୍ରା ମନୋମୁଗ୍ଧକର ହୋଇପାରିବ। ପୁନଶ୍ଚ ମୁହାଣ ଅଞ୍ଚଳରେ ନୌବିହାରର ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ନିଶ୍ଚୟ।
ଦୀଘା ବେଳାକୁ ଲାଗିରହିଛି ଓଡ଼ିଶାର ଏକାଧିକ କୁଆଁରୀ ବେଳା। ଉଦୟପୁର, ତାଳସାରି, କୃଷ୍ଣନଗର, ବିଚିତ୍ରପୁର ଓ ଚନ୍ଦ୍ରାବାଲି ବେଳାର ତୁଳନା ନାହିଁ। ପୁଣି ସୁବର୍ଣ୍ଣରେଖା ଆରପାରିରେ ଡଗରା ବେଳା। ଏହିସବୁ ବେଳାରେ ବିଜନବେଳା ବିତାଇଲେ ଆଉ କାହିଁ ଯିବାକୁ ପର୍ଯ୍ୟଟକମାନଙ୍କ ମନ ବଳିବ ନାହିଁ। ତରଙ୍ଗ-ଭଙ୍ଗ ଦିଗନ୍ତ ଘେରା ଭୋଗରାଇ ଅଞ୍ଚଳର ଗାଁଗୁଡ଼ିକ ଆହା କେଡ଼େ ସୁନ୍ଦର ସତେ! ଦେଶୀ ବିଦେଶୀ ପର୍ଯ୍ୟଟକମାନେ ସମୁଦ୍ରକୂଳିଆ ଗାଁସବୁ ଦେଖିବାକୁ ପସନ୍ଦ କରିବେ, ଆଗ୍ରହ ପ୍ରକାଶ କରିବେ ଗାଁରେ ରହିବାକୁ। ବିଜୟବାସୁଳୀ ଓ ପୁଟିଣେଶ୍ୱର ପରି ପ୍ରାଚୀନ ମନ୍ଦିର ମଧ୍ୟ ବିଦ୍ୟମାନ ସେହି ଅଞ୍ଚଳରେ। ଅଦୂରରେ ଅବସ୍ଥିତ ଐତିହାସିକ ରାଇବଣିଆ ଦୁର୍ଗ। ସେଠାରୁ ଶିମିଳିପାଳ, କ୍ଷୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ୱର ଓ ଚାନ୍ଦିପୁର ଯିବା ମଧ୍ୟ ସହଜ। ପ୍ରକୃତି ଓ ପୂର୍ବଜ ଆମକୁ ସବୁ ଦେଇଛନ୍ତି। ତା’ର ସଦୁପଯୋଗ କରିବା ଦାୟିତ୍ୱ କ’ଣ ଆମର ନୁହେଁ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬