କୋଭିଡ ପଜିଟିଭ ହେଲେ କିଙ୍ଗ ଖାନଙ୍କ ସହ କ୍ୟାଟ୍ରିନା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ କରୋନା ମାମଲା ବଢ଼ିବାରେ ଲାଗିଛି | ଯାହାକି ରାଜ୍ୟ ସରକାରଙ୍କର ଚିନ୍ତାକୁ ବଢ଼ାଇଛି | କିଛି ଦିନ ତଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନ୍ କରୋନା ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଥିଲେ। ଅକ୍ଷୟ କୁମାର ସୁସ୍ଥ ହୋଇଯାଇଛନ୍ତି। କାର୍ତ୍ତିକ ଶନିବାର ଏକ ଟ୍ୱିଟରେ କହିଛନ୍ତି ଯେ ତାଙ୍କ ରିପୋର୍ଟ ସକରାତ୍ମକ ହୋଇଛି। ତେବେ ତାଜା ସୂଚନା ମୁତାବକ ଏବେ ବଲିଉଡ ଅଭିନେତା ଶାହରୁଖ ଖାନ, ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ହୋଇଛି | ମିଳିଥିବା ସୂଚନା ମୁତାବକ କ୍ୟାଟ୍ରିନା ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ଦ୍ୱିତୀୟ ଥର ପାଇଁ ତାଙ୍କ କୋଭିଡ ପରୀକ୍ଷା ସକରାତ୍ମକ ହୋଇଛି। ଗତ ବର୍ଷ ଏପ୍ରିଲରେ ମଧ୍ୟ କ୍ୟାଟ୍ରିନା କରୋନାରେ ସଂକ୍ରମିତ ହୋଇଥିଲେ।

ତେବେ କୋଭିଡ ମାମଲା ବଢ଼ୁଥିବାରୁ ବିଏମସି ସତର୍କ ରହିବାକୁ କହିଛି। ସେଠାରେ କୌଣସି ଫିଲ୍ମ ଷ୍ଟୁଡିଓରେ ପାର୍ଟି ଆୟୋଜନ ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଅନୁଯାୟୀ, ବିଏମସି ଷ୍ଟୁଡିଓ ମାଲିକମାନଙ୍କୁ ଅନୁରୋଧ କରିଛି ଯେ କୌଣସି ପାର୍ଟିର ଆୟୋଜନ କରିବା ପୂର୍ବରୁ ସୂଚନା ଦିଅନ୍ତୁ | ଯାହାଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କର କୋଭିଡ ପଜିଟିଭ୍ ରିପୋର୍ଟ ଆସେ ତେବେ ତାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯିବ | ଯାହାଦ୍ୱାରା ସଂକ୍ରମଣ ବ୍ୟାପିବ ନାହିଁ |

ଉଲ୍ଲେଖ ଥାଉ କି ଲଗାତାର ୩ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧,୦୦୦ ଉପରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ୧୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୧୧୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଶନିବାର ଚିହ୍ନଟ ହୋଇଥିବା ୧୩୫୭ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୮୮୯ଜଣ କରୋନା ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର