ମୁଁ ସଲମାନଙ୍କୁ ନେଇ ଚିନ୍ତିତ; ଏଭଳି କହିଲେ ଅନେକ ସଂଗୀନ ଆରୋପ ଲଗାଇଥିବା ପୂର୍ବ ପ୍ରେମିକା ସୋମି

ମୁମ୍ବାଇ: ଚର୍ଚ୍ଚାରେ ୯୦ଦଶକର ଜଣେ ଜଣାଶୁଣା ଅଭିନେତ୍ରୀ ସୋମି ଅଲି । କିଛି ଦିନ ତଳେ ସୋମି ଅଲି, ସଲମାନ ଖାନଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ବଲିଉଡ ସୁପରଷ୍ଟାର ସଲମାନଙ୍କୁ ନେଇ ଅନେକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟଗୁଡିକ ମାଧ୍ୟମରେ ସୋମି ଅଲି, ସଲମାନଙ୍କ ବିରୋଧରେ ଅନେକ ବଡ଼ ଏବଂ ଗମ୍ଭୀର ଅଭିଯୋଗ ଆଣିଥିଲେ।

ହେଲେ ଏବେ ସେ ସଲମାନଙ୍କ ପାଇଁ ଚିନ୍ତିତ ଥିବା କହିଛନ୍ତି | ସଲମାନଙ୍କୁ ହତ୍ୟା ଧମକ ମିଳିବା ସହ ତାଙ୍କ ଘର ବାହାରେ ଗୁଳି ଚାଳନା ହେବାରୁ ସୋମି ଚିନ୍ତିତ ହୋଇପଡିଛନ୍ତି | ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି କହିଛନ୍ତି, “ବର୍ତ୍ତମାନ ସଲମାନଙ୍କ ସହ ଯାହା ଘଟୁଛି, ତାହା ମୋର ଶତ୍ରୁଙ୍କ ସହ ବି କେବେ ଘଟୁ ବୋଲି ମୁଁ ଚାହିଁବି ନାହିଁ | ସେ ଯେଉଁ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ତାହା ଅତି କଠିନ। ମୋର ପ୍ରାର୍ଥନା ତାଙ୍କ ସହିତ ଅଛି। ସଲମାନ ହୁଅନ୍ତୁ କି, ଶାହାରୁଖ କିମ୍ବା ମୋର ପଡ଼ୋଶୀ ହୁଅନ୍ତୁ, କାହା ସହ ଏଭଳି ହେଉ ବୋଲି ମୁଁ ଏହା କେବେବି ଚାହେଁ ନାହିଁ।

ପୂର୍ବରୁ ସଲମାନଙ୍କ ବିରୋଧରେ ଆରୋପ ଲଗାଇ ସେ କହିଥିଲେ, “ପ୍ରେମ ସମ୍ପର୍କରେ ଥିବା ବେଳେ ମୁଁ ସଲମାନଙ୍କ ଦ୍ବାରା ଶାରୀରିକ ଓ ମାନସିକ ହିଂସାର ଶିକାର ହୋଇଥିଲି। ୨୦ବର୍ଷ ପରେ ମୁଁ ଚାହୁଁଛି ଯେ, ସଲମାନ ମୋତେ ଏଥିପାଇଁ କ୍ଷମା ମାଗନ୍ତୁ। ପୂର୍ବରୁ ମୁଁ ତାଙ୍କୁ କିଛି କହିନଥିଲି। ତାଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା। ହେଲେ ୨୦ବର୍ଷ ପରେ ‌ସେ ପୁଣି ମୋ ପଛରେ ଲାଗିଛନ୍ତି।”

ସମ୍ବନ୍ଧିତ ଖବର