ନବବର୍ଷରେ ପଳାତକ ବିଜୟ ମାଲ୍ୟାଙ୍କୁ ଝଟ୍‌କା; ବାଜ୍ୟାପ୍ତ ସଂପତ୍ତିକୁ ବିକ୍ରି କରିବାକୁ ବ୍ୟାଙ୍କକୁ ଅନୁମତି ଦେଲେ ଅଦାଲତ

ମୁମ୍ବାଇ/ ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ନୂଆବର୍ଷରେ ଲାଗିଛି ଏକ ବଡ଼ ଝଟ୍‌କା। ମୁମ୍ବାଇସ୍ଥିତ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) କୋର୍ଟ ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେଇ କହିଛନ୍ତି ଯେ ସେମାନେ ବାଜ୍ୟାପ୍ତ କରିଥିବା ବିଜୟ ମାଲ୍ୟାଙ୍କ ସଂପତ୍ତିକୁ ନିଲାମ ଜରିଆରେ ବିକ୍ରୟ କରି ସେମାନଙ୍କ ବକେୟା ଅର୍ଥକୁ ଆଦାୟ କରିପାରିବେ। ଉଲ୍ଲେଖଯୋଗ୍ୟ, ଏହି ବ୍ୟାଙ୍କଗୁଡ଼ିକରୁ ହଜାର ହଜାର କୋଟିର ଋଣଟଙ୍କାକୁ ହଡ଼ପ କରି ବିଜୟ ମାଲ୍ୟା ପଳାତକ ସାଜିଛନ୍ତି।

ଏଥିସହ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କର ଏହି ନିର୍ଦ୍ଦେଶ ଜାନୁଆରି ୧୮ ତାରିଖ ପରେ ହିଁ କାର୍ଯ୍ୟକାରୀ ହୋଇପାରିବ। କାରଣ, କୋର୍ଟଙ୍କ ଏହି ରାୟରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟକ୍ତି ଏହି ସମୟ ମଧ୍ୟରେ ଏହି ରାୟ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରି ପାରିବେ।

Business Today

ଉଲ୍ଲେଖଯୋଗ୍ୟ, ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ୨୦୧୩ ସୁଦ୍ଧା ବିଭିନ୍ନ ବ୍ୟାଙ୍କରୁ ଋଣ ଆକାରରେ ନେଇଥିବା ୬,୨୦୩.୩୫ କୋଟିର ମୂଳ ସହ ବାର୍ଷିକ ୧୧.୫ ହାରରେ ସୁଧ ଅର୍ଥକୁ ହଡ଼ପ କରିବା ସହ ଦେଶ ଛାଡ଼ି ପଳାତକ ସାଜିଛନ୍ତି। ବକେୟା ଋଣ ଓ ସୁଧ ରାଶି ଆଦାୟ କରିବାରେ ବ୍ୟାଙ୍କ କର୍ତ୍ତୃପକ୍ଷ ବିଫଳ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ବିଜୟ ମାଲ୍ୟାଙ୍କ ସଂପତ୍ତିକୁ ଜବତ କରିଥିଲେ। ପରେ ବିଜୟ ମାଲ୍ୟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ପଳାତକ ଅର୍ଥନୈତିକ ଅପରାଧୀ ରୂପେ ଘୋଷଣା କରିବା ସହ ବାଜ୍ୟାପ୍ତ ହୋଇଥିବା ତାଙ୍କର ସମସ୍ତ ସଂପତ୍ତିକୁ ବିକ୍ରୟ କରି ଅନାଦେୟ ଅର୍ଥ ଆଦାୟ କରିବା ପାଇଁ ମୁମ୍ବାଇସ୍ଥିତ ପ୍ରଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) କୋର୍ଟଙ୍କ ଅନୁମତି ମାଗିଥିଲେ।

ସମ୍ବନ୍ଧିତ ଖବର