ଅଟୋଚାଳକ ଶରଦ ପାୱାର ମଧ୍ୟ ନିର୍ବାଚନ ଲଢ଼ିବେ

ପୁଣେ: ପାୱାର ବନାମ ପାୱାର ଲଢ଼େଇ ଆଡ଼କୁ ଗତି କରୁଥିବା ବାରାମତୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏବେ ଆଉ ଜଣେ ପାୱାର ମଇଦାନକୁ ଓହ୍ଲାଇଛନ୍ତି। ୩୬ ବର୍ଷୀୟ ଅଟୋରିକ୍ସା ଚାଳକ ଶରଦ ପାୱାର ଗୁରୁବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନ୍‌ସିପି (ଏସ୍‌ସିପି) ମୁଖ୍ୟଙ୍କ ନାମ ବହନ କରୁଥିବା ଅଟୋ ଚାଳକ କହିଛନ୍ତି ଯେ ତାଙ୍କ ଜେଜେବାପା ତାଙ୍କୁ ୧୯୮୮ରେ ଏନ୍‌ସିପି ମୁଖ୍ୟଙ୍କ ନାମରେ ନାମିତ କରିଥିଲେ। ମୋ ଜେଜେବାପାଙ୍କର ଶରଦ ପାୱାରଙ୍କ ପ୍ରତି ଖୁବ୍ ସମ୍ମାନ ଥିଲା। ୧୯୮୮ରେ ପାୱାର ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ଅଟୋଚାଳକ ପାୱାର କହିଛନ୍ତି।

ପ୍ରଚାର ପାଇଁ ଟଙ୍କା କେଉଁଠୁ ଆସିବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏଥିପାଇଁ ବେଶି ଟଙ୍କା ଲାଗିବ ନାହିଁ। ସୋସିଆଲ ମିଡିଆରେ ଆମର ଏକ ଶକ୍ତିଶାଳୀ ଅସ୍ତ୍ର ଅଛି ଏବଂ ଲକ୍ଷ ଲକ୍ଷ ଲୋକ ଆମକୁ ସମର୍ଥନ କରୁଛନ୍ତି। ପାୱାର ଇଣ୍ଡିଆନ୍ ଗିଗ୍ ୱାର୍କର୍ସ ଫ୍ରଣ୍ଟର ଏକ ଅଂଶ, ଯାହା ଜିଲ୍ଲାର ଅନ୍ୟ ସମସ୍ତ ଲୋକସଭା ଆସନ ପୁଣେ, ମାଭାଲ ଏବଂ ଶିରୁରରେ ମଧ୍ୟ ପ୍ରାର୍ଥୀ ଦେଇଛି। ଟେମ୍ପୋ ଡ୍ରାଇଭର ମନୋଜ ଭେଟାଲ ପୁଣେରେ ପ୍ରାର୍ଥୀ ହୋଇଥିବା ବେଳେ କ୍ୟାବ୍ ଡ୍ରାଇଭର ସନ୍ତୋଷ ଭାଲଗୁଡେ ମାଭାଲରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଫୁଡ୍ ଡେଲିଭରି ଏଗ୍‌ଜିକ୍ୟୁଟିଭ୍ ସ୍ୱପ୍ନିଲ ଲୋଣ୍ଡେ ଶିରୁରରୁ ନିର୍ବାଚନ ଲଢ଼ୁଛନ୍ତି। ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ ପ୍ରାର୍ଥୀଙ୍କ ସମର୍ଥନରେ ଏକ ରାଲି ଅନୁଷ୍ଠିତ ହେବା ସହ ସେମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଇଣ୍ଡିଆନ୍ ଗିଗ୍ ୱାର୍କର୍ସ ଫ୍ରଣ୍ଟର ସଭାପତି କେଶବ କ୍ଷୀରସାଗର କହିଛନ୍ତି।

ସମ୍ବନ୍ଧିତ ଖବର