ବିରୋଧୀ ଏକଜୁଟ ହେଲେ ୨୦୨୪ରେ ହାରିବ ବିଜେପି, ଏବେଠୁ ପ୍ରସ୍ତୁତି ଆରମ୍ଭ କର: ନୀତୀଶ କୁମାର

ପାଟନା: ମଣିପୁରରେ ଜେଡି(ୟୁ)ର ୬ଜଣ ବିଧାୟକଙ୍କ ମଧ୍ୟରୁ ୫ଜଣ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଜେଡି(ୟୁ)ର ୫ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବା କୌଣସି ସାମ୍ବିଧାନିକ କାର୍ଯ୍ୟ ନୁହେଁ। ଦେଶରେ ନୂଆ ରାଜନୀତି ଚାଲିଛି। ଅନ୍ୟ ଦଳକୁ ଭାଙ୍ଗିବା ଭୁଲ। ସେଥିପାଇଁ ୨୦୨୪ମସିହାରେ ସବୁ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ ଉଚିତ୍ ଶିକ୍ଷା ଦେବୁ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରନ୍ତୁ। ମୁଁ ୨ଦିନ ପରେ ଦିଲ୍ଲୀ ଯିବି। ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବି। ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଜରୁରୀ।

ନୀତୀଶ କୁମାର ସେପ୍ଟେମ୍ବର ୫ରେ ୩ଦିନ ପାଇଁ ଦିଲ୍ଲୀ ଯିବା ସହ ସେଠାରେ ସେ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କୁ ଭେଟିବେ। ଏହା ସହ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ସେ ଭେଟିବେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ରାଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କହିଥିଲେ ଯେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହୋଇଛି। ଖୁବ୍ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ। ନୀତୀଶଙ୍କୁ ଟା‌ର୍ଗେଟ କରି ସେ କହିଥିଲେ ଯେ, ହୋର୍ଡିଙ୍ଗ ଏବଂ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ସମ୍ବନ୍ଧିତ ଖବର