ବିଜେପି ଯୁବ ନେତାଙ୍କୁ ହତ୍ୟା କରି ଝୁଲାଇ ଦେଲେ, ସିବିଆଇ ତଦନ୍ତ ଦାବି କଲେ ଶାହ

କୋଲକାତା : ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଗସ୍ତ ମଧ୍ୟରେ ଶୁକ୍ରବାର ଦିନ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଯୁବନେତାଙ୍କୁ ହତ୍ୟା ପରେ ଏକ ପରିତ୍ୟକ୍ତ କୋଠାରେ ଝୁଲାଇ ଦିଆଯାଇଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ କାଶୀପୁର ଅଞ୍ଚଳରେ ବିଜେପିର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଅର୍ଜୁନ ଚୌରାସିଆ (୨୭)ଙ୍କ ମୃତଦେହ ଏକ ପରିତ୍ୟକ୍ତ କୋଠାଘରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଟିଏମ୍‌ସିର ଗୁଣ୍ଡାମାନେ ଚୌରାସିଆକୁ ହତ୍ୟା କରି ଶାହଙ୍କ ଗସ୍ତକୁ ଚ୍ୟାଲେଂଜ କରିଥିବା ବିଜେପି କହିଛି । ଏହି ଘଟଣା ପରେ ବି‌ଜେପି ଶାହଙ୍କ ସ୍ବାଗତ ସମାରୋହ ସହ ଜଡ଼ିତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛି।

ଚୌରାସିଆଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ହିଂସା ସଂସ୍କୃତିକୁ କଡ଼ା ସମାଲୋଚନା କରିଛନ୍ତି। ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା ଶାହ ଚୌରାସିଆଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଅପରାଧୀକୁ କଠୋର ଦଣ୍ଡ ମିଳିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ଚୌରାସିଆ ଖଣ୍ଡା ବୁଲାଇ ବିରୋଧ କରିଥିଲେ। ଏହାକୁ ନେଇ ତାଙ୍କୁ ଟିଏମ୍‌ସି ଟାର୍ଗେଟ୍‌ କରିଥିଲା।

ସମ୍ବନ୍ଧିତ ଖବର