କୋଇଲା ପରିବହନଜନିତ ପ୍ରଦୂଷଣ: କ୍ଷତିଗ୍ରସ୍ତ ଚାଷୀଙ୍କୁ ୨ ବର୍ଷର କ୍ଷତିପୂରଣ ମିଳିବ

ସୁନ୍ଦରଗଡ଼: ଏମସିଏଲର କୋଇଲା ପରିବହନଜନିତ ପ୍ରଦୂଷଣରେ  ହେମଗିର ବ୍ଲକ ବାଙ୍କିବାହାଲ-ଟପରିଆ ରାସ୍ତା କଡ଼ସ୍ଥିତ ୧୧ରୁ ଅଧିକ ଗାଁର ଜୀବନଜୀବିକା ଗତ ୮ ବର୍ଷ ହେଲା କଲବଲ ହୋଇ ରହିଛି। କୋଇଲାର କଳା  ଧୂଳିରେ ଜମିର ସୁନା ଧାନ, ପନିପରିବା କଳା ପାଲଟିଯାଉଥିବା ଓ ସେହି କାରଣରୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲ ହରାଇ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ରହିଛି।

ଏ ନେଇ ପ୍ରଭାବିତ ଗାଁ ଲୋକେ କ୍ଷତିପୂରଣ ଦାବିରେ ଅନେକବାର ପ୍ରଶାସନର ଦ୍ବାରସ୍ଥ ହେବା ସହ ଆନ୍ଦୋଳନ କରିଛନ୍ତି। ତେବେ ଏହା ମଧ୍ୟରେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ୨ ବର୍ଷର କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି। ହେମଗିର ତହସିଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ, ୧୧ଟି ଗାଁ ଟପରିଆ, ଗଇକନପାଲି, ସମରପିଣ୍ଡା, କନ୍ଦାଧୁଡ଼ା, ବେଲଢିପା, ଚକରା, ଲୁଆବାହାଲ, ବିଲେଇମୁଣ୍ଡା, ଛତାବର, ପୋଡ଼ଜଲଙ୍ଗା, ରତନସରାର ୨୫୪ ଜଣ ଚାଷୀଙ୍କ ୪୨୬.୯୬ ଏକର ଜମିର ଫସଲ କୋଇଲା ପରିବହନ ଯୋଗୁଁ ନଷ୍ଟ ହୋଇଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳିବ। ଗୁରୁବାର ପ୍ରଭାବିତ ଅଞ୍ଚଳର ଚାଷୀମାନେ ଯୁବନେତା ରାଜେନ୍ଦ୍ର ନାଏକଙ୍କ ସହ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିବା ପରେ ଶ୍ରୀ ବେହେରା ଏହି ସୂଚନା ଦେଇଥିଲେ।

ଏହି ଅବସରରେ ରାସ୍ତା ନିର୍ମାଣ ପାଇଁ ଗୋପାଳପୁରର  ରାସ୍ତା ପାର୍ଶ୍ବଘର ଭଙ୍ଗାଯିବା ପୂର୍ବରୁ କ୍ଷତିଗ୍ରସ୍ତଙ୍କୁ ପୁନର୍ବାସରେ ଘର ଓ ଅନ୍ୟ ସୁବିଧା ଦେବାକୁ ରାଜେନ୍ଦ୍ର ଦାବି କରିଥିଲେ।  ସୂଚନାଯୋଗ୍ୟ, ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ପାଇଁ ସ୍ବତନ୍ତ୍ର କରିଡର ବା ବାଏପାସ ରାସ୍ତା ନିର୍ମାଣର  ପରିବେଶ ମଞ୍ଜୁରି ସର୍ତ୍ତକୁ ଉଲ୍ଲଂଘନ କରି ପ୍ରାୟ ୧୦ ବର୍ଷ ହେଲା ଏମସିଏଲ ଗାଁ ରାସ୍ତାକୁ ହିଁ ବ୍ୟବହାର କରିଆସୁଛି। ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଯମ ଯନ୍ତ୍ରଣା ପାଲଟିଛି।

ପ୍ରଦୂଷଣର କଳା ଧୂଆଁରେ ଛାଇଯାଇଛି ଅଞ୍ଚଳ। ଦିନରାତି ଶହ ଶହ ଟ୍ରକ ଯାତାୟତ ଯୋଗୁଁ ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତା ପାର୍ଶ୍ବ ଗାଁ, ଭୂଇଁ ଅଣନିଃଶ୍ବାସୀ ହୋଇପଡ଼ିଛି। କୋଇଲା ଗୁଣ୍ଡ ଉଡ଼ି ସିଧାସଳଖ ଲୋକଙ୍କ ଚାଷଜମି, କୂଅ, ପୋଖରି, ଘର ଭିତରେ ପଶି  ଖାଦ୍ୟ ପଦାର୍ଥ ତଥା ଘରର ଯାବତୀୟ ଜିନିଷକୁ କଳା ଧୂଳିରେ ପୋତି ପକାଉଛି। ଅଞ୍ଚଳର ପାଣି, ପବନ କଳା ଜହର ପାଲଟିଯାଇଛି।  କେବଳ ସେତିକି ନୁହେଁ, ଅଞ୍ଚଳର ଚାଷୀଙ୍କ ବର୍ଷକର କଷ୍ଟକମାଣି ଧାନ ଓ ବାଡ଼ି ପରିବାକୁ ବି ଖାଇ ଦେଇଛି କୋଇଲା।  ରାସ୍ତା ଦୁଇ ପାର୍ଶ୍ବର ଅଧ କିଲୋମିଟର ପରିବ୍ୟାପ୍ତ ଜମିରେ କୋଇଲାର କଳା ଆସ୍ତରଣ ମାଡ଼ି ଧାନର ରଙ୍ଗକୁ ବି କଳା କରି ଚାଲିଛି। ଧାନର ରଙ୍ଗ ଏତେ କଳା ଯେ, ତାକୁ ଧୋଇଲେ ବି ଛାଡ଼ୁନି।

ଏପରିକି ଧାନକୁ ସିଝାଇଲେ ମଧ୍ୟ କଳା ହୋଇଯାଉଥିବାରୁ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ଚାଷୀମାନେ ନିରାପଦ ମଣୁ ନାହାନ୍ତି। ତା’ ଛଡ଼ା ସରକାରୀ ମଣ୍ଡିରେ ବି ଧାନ  ବିକ୍ରି ଯୋଗ୍ୟ ହୋଇ ନପାରି ଫେରି ଆସୁଛି। ହେମଗିର ବ୍ଲକର  ଏହି ୨୬ କିଲୋମିଟର ରାସ୍ତାରେ ପଡ଼ୁଥିବା ଗାଁ ଟପରିଆ, ଚନ୍ଦରପୁର, ଗଇକନପାଲି, ସମରପେଣ୍ଡା, କନ୍ଦାଡୋଡ଼ା, ଚକରା, ଲୁଆବାହାଲ, ବେଲଢିପା, ବିଲେଇମୁଣ୍ତା, ମୁଣ୍ଡେରକ୍ଷେତ, ଛତାବର, ବଲବସପୁର, ପୋଡ଼ାଝରିଆ, ରତନସରା, ରତନପୁର, ନକଟିଦେଉଳ, ଗୋପାଳପୁର, ହଲଦୀବାହାଲ, ସିଆରମାଲ, ତୁମଲିଆ ଗାଁ ଲୋକେ ଶୋଚନୀୟସ୍ଥିତିରେ ରହିଛନ୍ତି। ୮ ବର୍ଷ ହେଲା ଏହି ଦୁଃଖ ଭୋଗୁଥିବା ଚାଷୀ ଭାଗ୍ୟକୁ ନିନ୍ଦି ନିରବ ରହିବା ପରେ ଦୁଇ ବର୍ଷ ହେଲା ଏ ନେଇ ସ୍ବର ଉଠାଇଥିଲେ।

ଏ ସମ୍ବେଦନଶୀଳ ଖବର ଗତ ୨୦୨୧  ଡିସେମ୍ବର ୧୮ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ପରେ ଡିସେମ୍ବର  ୨୦ ତାରିଖରେ  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶରେ କୃଷି ବୈଜ୍ଞାନିକ ଓ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଏହା ପୂର୍ବରୁ ଗତ ବର୍ଷ ଜୁନ ମାସରେ ହାଇକୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲାପାଳଙ୍କ ପକ୍ଷରୁ ହେମଗିର ତହସିଲ କର୍ତ୍ତୃପକ୍ଷ ମଧ୍ୟ କୋଇଲା ପ୍ରଦୂଷଣଜନିତ ଧାନ ଓ ପନିପରିବା ଫସଲ କ୍ଷୟକ୍ଷତିର  ଆକଳନ ପୂର୍ବକ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ୧୧ଟି ଗାଁ ନୁହେଁ, ପ୍ରଭାବିତ ସମସ୍ତ ଗାଁର ଚାଷୀଙ୍କୁ ଖରିଫ ଚାଷ ଆରମ୍ଭ ପୂର୍ବରୁ   କ୍ଷତିପୂରଣ ଦେବାକୁ ଏମସିଏଲ ପ୍ରଭାବିତଙ୍କ ସ୍ବର ଜନଶକ୍ତି ବିକାଶ ପରିଷଦ ଦାବି କରିଛି।

ସମ୍ବନ୍ଧିତ ଖବର