ଆଇଏଏସ୍‌ ପୂଜା ସିଂଘଲଙ୍କ ଘରେ ଇଡି ଚଢ଼ଉ, ନଗଦ ୨୫ କୋଟି ଜବତ

ନୂଆଦିଲ୍ଲୀ : ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍‌ ଅଫିସର ପୂଜା ସିଂଘଲ ଏବଂ ତାଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୮ଟି ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ଉ ଆରମ୍ଭ କରିଥିଲେ। ଝାଡ଼ଖଣ୍ଡର ରାଞ୍ଚି, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଏବଂ ଗୁରୁଗ୍ରାମ, ପଶ୍ଚିମ ବଂଗର କୋଲାକାତା, ବିହାରର ମୁଜାଫରପୁର ଏବଂ ଦିଲ୍ଲୀ ଏନ୍‌ସିଆର ଅଂଚଳରେ ଏହି ଚଢ଼ଉ ହୋଇଛି। ଆଇଏଏସ୍‌ ପୂଜା ସିଂଘଲଙ୍କ ବାସଭବନରୁ ନଗଦ ୨୫ କୋଟି ଟଙ୍କା ଜବତ ହୋଇଛି। ଚଢ଼ଉ ଜାରି ରହିଛି ଏବଂ ପୂଜାଙ୍କ ବାସଭବନରୁ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ପୂଜାଙ୍କ ସରକାରୀ ବାସଭବନ ସମେତ ମୋଟ ୪ଟି ଠିକଣାରେ ଚଢ଼ଉ ଚାଲିଛି। ପୂଜାଙ୍କ ଘରୁ ଜବତ ଟଙ୍କା ଗଣିବା ପାଇଁ ନିୟୋଜିତ ମେସିନ ଗରମ ହୋଇ ଖରାପ ହୋଇଯିବାରୁ ନୂଆ ମେସିନ ମଗାଯାଇଛି। ଏବେ ଝାଡ଼ଖଣ୍ଡର ଉଦ୍ୟୋଗ ଓ ଖଣି ସଚିବ ଥିବା ପୂଜା ସିଂଘଲ ରାଜ୍ୟ ଖଣି ବିକାଶ ନିଗମର ଅଧ୍ୟକ୍ଷା ମଧ୍ୟ ରହିଛନ୍ତି। ପୂର୍ବରୁ ପୂଜା ସିଂଘଲ ବିଜେପି ସରକାରରେ କୃଷି ସଚିବ ପଦରେ ଥିଲେ।

ସେହିଭଳି ଖୁଣ୍ଟି ଜିଲ୍ଲାରେ ୧୮ କୋଟି ଟଙ୍କାର ମନରେଗା ପାଣ୍ଠି ହେରଫେର ସମ୍ପର୍କିତ ମାମଲାରେ ମଧ୍ୟ ଚଢ଼ଉ ହୋଇଛି। ଏଥିରେ ମଧ୍ୟ ପୂଜା ସିଂଘଲଙ୍କ ସଂପୃକ୍ତି ନେଇ ଏକାଧିକ ମାମଲା ରୁଜୁ ହୋଇଛି। ୨୦୨୦ରେ ମନରେଗା ଦୁର୍ନୀତି ମାମଲାରେ ଝାଡଖଣ୍ଡର ଜଣେ କନିଷ୍ଠ ଯନ୍ତ୍ରୀ ଗିରଫ ହେବାପରେ କ୍ଷମତାର ଦୁରୁପଯୋଗ କରି ୧୮ କୋଟି ଟଙ୍କା ହଡ଼ପ କରିନିଆଯାଇଥିବା ଜଣାପଡ଼ିଥିଲା। ସେତେବେଳେ ପୂଜା ସିଂଘଲ ଖୁଣ୍ଟିର ଜିଲ୍ଲାପାଳ ଥିଲେ। ଏ ବାବଦରେ ୧୬ଟି ଏଫ୍ଆଇଆର୍ ଏବଂ ଚାର୍ଜସିଟ୍‌କୁ ନେଇ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର