କାନାଡ଼ା ବନାଗ୍ନି ଧୂଆଁ ୟୁରୋପରେ ପହଞ୍ଚିଲା

ନ୍ୟୁୟର୍କ : କାନାଡ଼ାରେ ଭୟଙ୍କର ବନାଗ୍ନି ପରିବେଶ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଗତ ୪ ଦିନ ମଧ୍ୟରେ ଏହି ବନାଗ୍ନିଜନିତ ଧୂଆ ଆମେରିକାରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ଏହା ୟୁରୋପରେ ମଧ୍ୟ ପହଞ୍ଚିଯାଇଛି । ନରୱେରେ ଏହି ଧୂଆଁ ପହଞ୍ଚିବା ପରେ ବାୟୁମାନ ଅତି ଖରାପ ହୋଇଯାଇଛି । ଆଗାମୀ ୩ ଦିନ ମଧ୍ୟରେ ଧୂଆଁ ୫ଟି ୟୁରୋପୀୟ ରାଷ୍ଟ୍ରରେ ପହଞ୍ଚିଯିବା ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ମଙ୍ଗଳବାରଠାରୁ ଆମେରିକାର ନ୍ୟୁୟର୍କ ସହରର ବାୟୁମାନ ଅତି ଖରାପ ସ୍ତରକୁ ଚାଲିଯାଇଛି। ଧୂଆଁଳିଆ ପବନରେ ଲୋକଙ୍କ ଆଖିରୁ ପାଣି ବୋହିବା ସହ କାଶ ହେଉଥିବା ଦେଖିବାକୁ ମିଳୁଛି। ଆମେରିକାରେ ଏହି ଧୂଆଁ ଯୋଗୁଁ ପ୍ରାୟ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଏ ନେି ଲୋକମାନଙ୍କୁ ସ୍ବାସ୍ଥ୍ୟ ଚେତାବନୀ ଦିଆଯାଇଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଉପରେ ବହଳ ଧୂଆଁଝୁଲର ଆସ୍ତରଣ ପଡ଼ିଯାଇଛି। ଏମ୍ପାୟାର ଷ୍ଟେଟ୍ ବିଲ୍‌ଡିଂ ଏବଂ ମାନହାଟନର ସବୁକିଛି କମଳା-ଧୂସର କମ୍ବଳ ଘୋଡ଼େଇ ହୋଇଥିବା ପରି ଦେଖାଯାଉଛି। ନ୍ୟୁୟର୍କବାସୀ ଏବେ ଅତି ଖରାପ ବାୟୁକୁ ସାମ୍ନା କରୁଥିବା ବେଳେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବା ଆଶଙ୍କା କରାଯାଉଛି । କାନାଡ଼ା ଜଙ୍ଗଲରେ ଲାଗିଥିବା ନିଆଁ ନିକଟରେ ନିୟନ୍ତ୍ରଣକୁ ଆସିବା ସମ୍ଭାବନା ନଥିବାରୁ ଆମେରିକାରେ ଏହା ଆହୁରି ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର