ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପବନ ୟୁପିଏସସି ପରୀକ୍ଷାରେ ହେଲେ ସଫଳ: ଟଙ୍କା ମାଳା ପିନ୍ଧାଇ ପୁଅକୁ ପାଛୋଟି ନେଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ବସବାସ କରୁଥିବା ପବନ କୁମାର ୟୁପିଏସସି ପରୀକ୍ଷାରେ ୨୩୯ତମ ସ୍ଥାନ ଅଧିକାର କରିଛନ୍ତି। ପବନ କୁମାରଙ୍କ ଏହି ସଫଳତା ପ‌ରେ ତାଙ୍କ ପରିବାର ସମେତ ଗ୍ରାମରେ ଖୁସିର ବାତାବରଣ ଦେଖା ଦେଇଛି।

ତେବେ ସମ୍ପୂର୍ଣ୍ଣ ଗାଁ ଲୋକ ମିଶି ଗାଁର ପୁଅ ପବନ କୁମାରଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଥିଲେ। ୟୁପିଏସସି ପରୀକ୍ଷା ଉତ୍ତୀର୍ଣ୍ଣ ହେବାପରେ ପବନ ଯେତେବେଳେ ପ୍ରଥମଥର ନିଜର ପୈତୃକ ଗାଁ ରଘୁନାଥପୁରକୁ ଯାଇଥିଲେ ଗାଁ ଲୋକ ତାଙ୍କୁ ଫୁଲ ଚନ୍ଦନ ଦେବା ସହିତ ବାଜା ବଜାଇ ବାଣ ଫୁଟାଇ ଟଙ୍କାରେ ଗୁନ୍ଥା ହୋଇଥିବା ମାଳା ପିନ୍ଧାଇ ଗ୍ରାମ ଭିତରକୁ ପାଛୋଟି ନେଇଥିଲେ।

ଏହି ସମୟରେ ପବନ ଗାଡ଼ି ଭିତରୁ ବାହାରି ଅତି ଶାନ୍ତ ସ୍ବଭାବ‌ରେ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବ‌ା ସହିତ ସେମାନଙ୍କ ଅଭିବାଦନକୁ ଗ୍ରହଣ କରିଥିଲେ।

ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପବନ କୁମାର ବୁଲନ୍ଦସହର ଜିଲ୍ଲା ରଘୁନାଥପୁର ଗ୍ରାମରେ ବସବାସ କରନ୍ତି। ତାଙ୍କ ବାପା ମୁକେଶ କୁମାର ଓ ମା’ ସୁମନ ପୁଅର ଏଭଳି ସଫଳତା ପରେ ଖୁସିରେ କାନ୍ଦି ପକାଇଥିଲେ। କାରଣ ପବନଙ୍କ ପରିବାରର ଆର୍ଥିକସ୍ଥିତି ଭଲ ନଥିବା ବେଳେ ପୁଅ ଖୁବ ପରିଶ୍ରମ କରି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତୃତୀୟ ପ୍ରୟାସରେ ପବନଙ୍କୁ ଏହି ସଫଳତା ମିଳିଛି।

ପବନଙ୍କ ଛାତ ଘର ଖଣ୍ଡେ ନଥିବା ବେଳେ ମା’ ଓ ଭଉଣୀ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା କାଠରେ ଘରେ ଚୁଲି ଜଳିଥାଏ। ଉଜ୍ଜ୍ବଳା ଯୋଜନା ଜରିଆରେ ପବନଙ୍କ ପରିବାରକୁ ଗ୍ୟାସ ସିଲିଣ୍ଡର ସିନା ମିଳିଯାଇଛି କିନ୍ତୁ ଏହା ଶେଷ ହେବାପରେ ଗ୍ୟାସ ଭରିବା ପାଇଁ ତାଙ୍କ ପରିବାରର ସାମର୍ଥ୍ୟ ନାହିଁ।

ସମ୍ବନ୍ଧିତ ଖବର