ସେକ୍ସ ଟେପ୍‌ ମାମଲାରେ ପ୍ରଜ୍ୱାଲ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ ମାସରେ ଏକାଧିକ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି କରିଥିବା ନିଲମ୍ବିତ ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ୱାଲ ରେଭାନ୍ନାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ‘କାରଣ ଦର୍ଶାଅ’ ନୋଟିସ୍‌ ଜାରି କରିଛି।

ଗତ ମାସରେ ସେକ୍ସ ସ୍କାଣ୍ଡଲ ସାମ୍ନାକୁ ଆସିବା ପରେ ଫେରାର ଥିବା ହାସନ ସାଂସଦଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ କେନ୍ଦ୍ର ସରକାର ’କାରଣ ଦର୍ଶାଅ’ ନୋଟିସ୍‌ ଜାରି କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଅନୁରୋଧ ପରେ ଜର୍ମାନୀ ପଳାଇ ଆସିଥିବା ପଳାତକ ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗଣମାଧ୍ୟମ ସହ ଆଲୋଚନା ବେଳେ ରେଭାନ୍ନାଙ୍କ କୂଟନୈତିକ ପାସପୋର୍ଟ ବାତିଲ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇଥିଲେ।
ମେ’ ୨୧ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଠାରୁ ବୈଦେଶିକ ମନ୍ତ୍ରାଳୟ ଏହି ଅନୁରୋଧ ପାଇଥିଲା। ଲୋକମାନେ ଗଣମାଧ୍ୟମକୁ ଅନେକ କଥା କହୁଥିଲେ। ମୁଁ ଜାଣେ ନାହିଁ ଅନ୍ୟ ସରକାର/ରାଜ୍ୟ ସରକାର ମାନେ କିପରି କାର୍ଯ୍ୟ କରନ୍ତି। ଆମେ ବୈଦେଶିକ ମନ୍ତ୍ରାଳୟରେ ଅନ୍ତତଃ ଆଇନ ଅନୁଯାୟୀ କାର୍ଯ୍ୟ କରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୧୯୬୭ର ପାସପୋର୍ଟ ଅଧିନିୟମ ଏବଂ ଆନୁସଙ୍ଗିକ ନିୟମାବଳୀ ଅନୁଯାୟୀ ପ୍ରଜ୍ୱାଲଙ୍କ କୂଟନୈତିକ ପାସପୋର୍ଟ ବାତିଲ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରୁଛି।
ଯଦି ପାସପୋର୍ଟ ବାତିଲ ହୋଇଯାଏ ତେବେ ପ୍ରଜ୍ୱାଲଙ୍କ ବିଦେଶରେ ରହିବା ବେଆଇନ ହେବ ଏବଂ ସେ ରହୁଥିବା ଦେଶର ସମ୍ପୃକ୍ତ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ଏହି ମାମଲା ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି।

ଅନ୍ୟପକ୍ଷରେ ପ୍ରଜ୍ୱାଲଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ମଧ୍ୟ ତାଙ୍କ ବିରୋଧରେ ଏକ ସ୍ଥାନୀୟ ଅଦାଲତ ଗିରଫ ପରୱାନା ଜାରି କରିବା ପରେ ତାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି।

ଏସଆଇଟିର ଅନୁରୋଧ ପରେ ଇଣ୍ଟରପୋଲ ପକ୍ଷରୁ ରେଭନ୍ନାଙ୍କ ସମ୍ପର୍କରେ ସୂଚନା ମାଗିବା ପାଇଁ ଏକ ’ବ୍ଲୁ କର୍ନର ନୋଟିସ୍‌’ ଜାରି କରାଯାଇଛି।

ଚଳିତ ମାସ ପ୍ରାରମ୍ଭରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍‌ୱାଲ କହିଛନ୍ତି ଯେ ପ୍ରଜ୍ୱାଲ କୂଟନୈତିକ ପାସପୋର୍ଟରେ ଜର୍ମାନୀ ଗସ୍ତ କରିଥିଲେ ଏବଂ ସେ ଏହି ଗସ୍ତ ପାଇଁ ରାଜନୈତିକ ଅନୁମୋଦନ ଲୋଡ଼ି ନଥିଲେ।
ଜୟସ୍‌ୱାଲ କହିଛନ୍ତି, ଉକ୍ତ ସାଂସଦଙ୍କ ଜର୍ମାନୀ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ରାଜନୈତିକ ମଞ୍ଜୁରୀ ମଗାଯାଇ ନାହିଁ କିମ୍ବା ଜାରି କରାଯାଇ ନାହିଁ। ନିଶ୍ଚିତ ଭାବେ କୌଣସି ଭିସା ନୋଟ୍‌ ମଧ୍ୟ ଜାରି କରାଯାଇ ନାହିଁ। କୂଟନୈତିକ ପାସପୋର୍ଟଧାରୀଙ୍କୁ ଜର୍ମାନୀ ଯିବା ପାଇଁ କୌଣସି ଭିସାର ଆବଶ୍ୟକତା ନାହିଁ। ମନ୍ତ୍ରାଳୟ ଅନ୍ୟ କୌଣସି ଦେଶ ପାଇଁ ଭିସା ନୋଟ୍‌ ଜାରି କରିନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର