ପଟେଲଙ୍କ ଉତ୍ତରାଧିକାରୀ ପାଇଁ କଂଗ୍ରେସ-ବିଜେପି ଲଢ଼େଇ

ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୪ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ପଟେଲ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗତକାଲି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶକ୍ତି ସ୍ଥଳରେ ଇନ୍ଦିରାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗତକାଲି ଜମ୍ମୁ କଶ୍ମୀର ପୁନର୍ଗଠନ ହୋଇଥିଲା। ଏହି ଅବସର‌ରେ ମୋଦୀ ଜମ୍ମୁ କଶ୍ମୀର ପୁନର୍ଗଠନକୁ ସର୍ଦ୍ଦାର ପଟେଲଙ୍କ ପାଇଁ ଉତ୍ସର୍ଗ କରିଥିଲେ। ବିଜେପି ଦାବି କରୁଛି ଯେ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନ ପୂରଣ କରିବା ଦିଗରେ ଏହା ନିଷ୍ଠାର ସହ କାର୍ଯ୍ୟ କରୁଛି। ସାରା ଜୀବନ କଂଗ୍ରେସରେ ଥିବା ପଟେଲଙ୍କର ସ୍ବପ୍ନ ଥିଲା ଧାରା ୩୭୦କୁ ଉଚ୍ଛେଦ କରି ସମଗ୍ର ଦେଶକୁ ଏକୁଜଟ୍‌ କରିବା। ବିଜେପି ଏବେ ଏହାର ଶ୍ରେୟ ନେଉଛି। ପଟେଲଙ୍କ ନୀତି ଓ ଆଦର୍ଶର ଦାୟାଦ ହେବାପାଇଁ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହେଉଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗତକାଲି ଏକ ଟ୍ବିଟ୍‌ କରି କହିଥିଲେ ‘ ବିଜେପି ସର୍ଦ୍ଦାର ପଟେଲ୍‌ଙ୍କ ଆଦର୍ଶକୁ ମାନିବା ଏବଂ ପଟେଲଙ୍କୁ ଶ୍ରଦ୍ଧା ସମ୍ମାନ ଦେବା ମତେ ଖୁବ୍‌ ଖୁସି ଦେଇଛି। ବିଜେପିର କୌଣସି ସ୍ବାଧୀନତା ସଂଗ୍ରାମୀ ନାହାନ୍ତି ଏବଂ ପଟେଲ୍‌ଙ୍କ ଶତ୍ରୁମାନେ ବି ଏବେ ତାଙ୍କୁ ପୁଜା କରିବା ଆରମ୍ଭ କରିଦେଇଛନ୍ତି ବୋଲି ପ୍ରିୟଙ୍କା କହିଥିଲେ। ପ୍ରିୟଙ୍କାଙ୍କ ଏହି ଟ୍ବିଟ୍‌ର କଡ଼ା ଜବାବ ଦେଇ ବିଜେପି କହିଛି ଯେ ଆମେ ଦେଶର ସ୍ବାଧୀନତା ପାଇଁ ଲଢ଼ିଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଛୁ। କଂଗ୍ରେସ କେବଳ ଗୋଟିଏ ପରିବାରକୁ ହିଁ ସମ୍ମାନ ଦେଇଆସିଛି ଏବଂ ପଟେଲଙ୍କ ଭଳି ମହାନ ସନ୍ତାନ ପ୍ରତି ସର୍ବଦା ଅବହେଳା ଓ ଉପେକ୍ଷା କରିଆସିଛି।

ସମ୍ବନ୍ଧିତ ଖବର