୨ ଦିନିଆ ଭାରତ ଗସ୍ତରେ ମର୍କେଲ୍‌: ଭାରତ-ଜର୍ମାନୀ ୧୭ ରାଜିନାମା ସ୍ବାକ୍ଷର

ନୂଆଦିଲ୍ଲୀ: ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ୍‌ ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ଭାରତ- ଜର୍ମାନୀ ମଧ୍ୟରେ ୧୭ ରାଜିନାମା ସ୍ବାକ୍ଷର ହୋଇଛି। କୃଷି, ସାମୁଦ୍ରିକ ପ୍ରଯୁକ୍ତି, ଆୟୁର୍ବେଦ ଏବଂ ଯୋଗ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ୧୭ଟି ରାଜିନାମା ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମର୍କେଲ୍‌ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସଂପର୍କ ନେଇ ବିସ୍ତୃତ ଆଲୋଚନା‌ କରିବାପରେ ୧୭ ରାଜିନାମା ସ୍ବାକ୍ଷର ହୋଇଥିଲା। ମର୍କେଲ୍‌ କହିଛନ୍ତି, ଏହି ରାଜିନାମା ସ୍ବାକ୍ଷର ହେବା ପ୍ରମାଣ କରିଦେଉଛି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି ଏବଂ ନୂଆ ଆଧୁନିକ ବୈଷୟିଗ ଦିଗରେ ଉଭୟ ରାଷ୍ଟ୍ର ଅଗ୍ରସର ହେଉଛନ୍ତି। ଉଭୟ ଭାରତ ଏବଂ ଜର୍ମାନୀ ମଧ୍ୟରେ ଆଜି ୫ଟି ଚୁକ୍ତିର ମିଳିତ ଘୋଷଣା କରାଯାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ସାମରିକ ପ୍ରକଳ୍ପ କ୍ଷେତ୍ରରେ ସହ‌ଯୋଗ, ସାମୁଦ୍ରିକ ଆବର୍ଜନା ନିରାକରଣ କ୍ଷେତ୍ରରେ ସହଯୋଗ ଏବଂ ରୋବଟିକ୍‌ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ ଦିଗରେ ସ୍ବାକ୍ଷରିତ ଚୁକ୍ତି ଦୁଇ ରାଷ୍ଟ୍ର ଦ୍ବାରା ମିଳିତ ଭାବେ ଘୋଷଣା କରାଯାଇଛି। ସେହିପରି କୃଷି, ବୈଷୟିକ ଏବଂ ବୃତ୍ତିଗତ ତାଲିମ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବ‌ାକ୍ଷର ହୋଇଛି। ମର୍କେଲ୍‌ ଗତକାଲି ରାତିରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ। ଆଜି ସକାଳେ ମର୍କେଲ୍‌ଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର