ଖୋଲିଲା କେଦାରନାଥ ମନ୍ଦିର, ପ୍ରଥମ ଦିନରେ ରେକର୍ଡ ଶ୍ରଦ୍ଧାଳୁ

ଡେରାଡୁନ: ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ କେଦାରନାଥ ମନ୍ଦିର ଖୋଲିଛି । ମନ୍ଦିରର ଦ୍ୱାର ଖୋଲିବା ସହ ଯାତ୍ରାରେ ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ି ହୋଇଛି। ଶୁକ୍ରବାର ୨୯,୦୩୦ ଜଣ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ କରିଥିଲେ। ଇତିହାସରେ ପ୍ରଥମ ଥର ପାଇଁ ଦ୍ବାର ଖୋଲିବା ଅବସରରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସିଥିଲେ।

ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ତିୱାରୀ କହିଛନ୍ତି ଯେ ଏହି ସଫଳତା ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ପ୍ରଥମ ଦିନରେ ଭକ୍ତଙ୍କ ଉତ୍ସାହ ଯେପରି ଦେଖିବାକୁ ମିଳିଛି, ଆଗାମୀ ଦିନରେ ଭକ୍ତଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶା କରାଯାଉଛି।

ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ରାତି ୧ଟାରୁ ଧାଡ଼ି ବାନ୍ଧିବା ଆରମ୍ଭ କରିଥିଲେ। ଶୁକ୍ରବାର ସକାଳ ୬ଟାରୁ ମନ୍ଦିରର କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳ ସାଢ଼େ ୬ଟାରେ କେଦାରନାଥ ଧାମର ମୁଖ୍ୟ ପୂଜକ ରାୱଲ ଭୀମଶଙ୍କର ଲିଙ୍ଗ ପରମ୍ପରା ପାଳନ କରି ମନ୍ଦିରରେ ପହଞ୍ଚିଥିଲେ।

ଏହାପରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଭଗବାନ ଆଶୁତୋଷଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ କେଦାରନାଥ ଧାମର ଦ୍ୱାର ଶୁକ୍ରବାର ସକାଳ ୭ଟାରେ ଖୋଲାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କେଦାରନାଥ ମନ୍ଦିର ପରିଦର୍ଶନ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଏହି ପବିତ୍ର ମୁହୂର୍ତ୍ତକୁ ଦେଖିଥିଲେ।

 

 

ସମ୍ବନ୍ଧିତ ଖବର