ବିଶ୍ବକପରେ ଇରାନ ଆନ୍ଦୋଳନର ନିଆଁ ; ନିଜ ଜାତୀୟ ସଂଗୀତକୁ ବର୍ଜନ କଲେ ଇରାନ ଖେଳାଳି

ଦୋହା : ଇରାନରେ ଗତ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ଏବେ କାତାର ବିଶ୍ବକପରେ ପହଞ୍ଚିଛି । ଇରାନର ଖେଳାଳିମାନେ ନିଜ ଦେଶର ଜାତୀୟ ସଂଗୀତକୁ ବର୍ଜନ କରି ଆନ୍ଦୋଳନକୁ ସମର୍ଥନ କରିବା ସହ ଇରାନର ଶାସକଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ।

ଆଜି ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଇରାନ ଓ ଇଂଲଣ୍ଡ ମ୍ୟାଚ ପୂର୍ବରୁ ଦୁଇ ଦେଶର ଜାତୀୟ ସଂଗୀତ ଗାନ କରାଯାଉଥିଲା ।  ତେବେ ନିଜ ଦେଶର ଜାତୀୟ ସଂଗୀତ ଗାନ କରାଯାଉଥିବାବେଳେ ନୀରବ ରହିଥିଲେ ଇରାନ ଟିମର ୧୧ ଜଣ ଯାକ ଖେଳାଳି । ନିଜ ଦେଶରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଇରାନର ଖେଳାଳିମାନେ ଏହା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନି ନାମକ ଯୁବତୀଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୩୪୭ ଜଣ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ରହିଛନ୍ତି । ଏହି ଆନ୍ଦୋଳନକୁ  ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି । ଏପର୍ଯ୍ୟନ୍ତ ଇରାନ ସରକାର ୫ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଲେଣି ।

 

ସମ୍ବନ୍ଧିତ ଖବର