ଅବସର ପରେ ମୁହଁ ଖୋଲିଲେ ଜଷ୍ଟିସ୍ କୁରିୟନ ଜୋସେଫ : ‘ତତ୍କାଳୀନ ମୁଖ୍ୟବିଚାରପତି ଦୀପକ ମିଶ୍ରଙ୍କୁ ବାହାରୁ କେହି ନିୟନ୍ତ୍ରଣ କରୁଥିଲେ’

ନୂଅାଦିଲ୍ଲୀ : ଅବସର ଗ୍ରହଣ କରିଥିବା ବରିଷ୍ଠ ବିଚାରପତି କୁରିୟନ୍ ଜୋସେଫ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ୨୦୧୮, ୧୨ ଜାନୁୟାରିରେ ସୁପ୍ରିମକୋର୍ଟର ୪  ତତ୍କାଳୀନ  ବରିଷ୍ଠ ବିଚାରପତି ( ଜଷ୍ଟିସ୍ ଜେ.ଚେଲମେଶ୍ୱର,ରଞ୍ଜନ ଗୋଗୋଇ,ଏମ୍.ବି.ଲୋକୁର ଏବଂ କୁରିଅନ ଜୋସେଫ୍) କରିଥିବା ସାମ୍ବାଦିିକ ସମ୍ମିଳନୀ ପଛର ଗୁମର ଖୋଲିଛନ୍ତି ।

ସେ କହିଛନ୍ତି, ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ  କୌଣସି ବାହ୍ୟଶକ୍ତି  ନିୟନ୍ତ୍ରଣ କରୁଛି ବୋଲି ମନେହେବାରୁ ସେମାନେ ସୁପ୍ରିମକୋର୍ଟର ସ୍ବାଧୀନତାକୁ ବଜାୟ ରଖିବା ଲାଗି ଏହି ସାମ୍ବାଦିିକ ସମ୍ମିଳନୀ ଡକାଇଥିଲେ । ତେବେ ଏ ନେଇ ତାଙ୍କ ମନରେ ତିଳେ ମାତ୍ର ଦୁଃଖ ନାହିଁ ।

Image Courtesy of India Today

ଏହା ବ୍ୟତୀତ ସେସମୟରେ ହେଉଥିବା କେସ୍ ଆବଣ୍ଟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦୀପକ ମିଶ୍ର ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ହେବା ପରେ ତାଙ୍କ ଉପରେ ବାହ୍ୟଶକ୍ତିର ପ୍ରଭାବ ପଡ଼ୁଥିବାର ଅନେକ ଉଦାହରଣ ଥିଲା । ନିର୍ଦିଷ୍ଟ ଚିନ୍ତାଧାରରେ ପରିଚାଳିତ ଜଜଙ୍କୁ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର ଲାଗି ଦିଅାଯାଉଥିଲା। ହାଇକୋର୍ଟ ଜଜଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ବେଞ୍ଚ ଗଢ଼ିବା ମାମଲାରେ ତତ୍କାଳୀନ ମୁଖ୍ୟବିଚାରପତି  ବାହ୍ୟ ପ୍ରଭାବ ଦ୍ବାରା ପରିଚାଳିତ ହେଉଥିଲେ। ଏ କଥା ଅାମେ ତାଙ୍କୁ ଭେଟି ଅବଗତ କରିବା ସହ ପତ୍ର ଲେଖି ଜଣାଇଥିଲୁ। ମାତ୍ର ସେ ଏହାକୁ ଗୁରୁତ୍ବର ସହ ବିଚାର ନ କରି ପୂର୍ବ କାର୍ଯ୍ୟଶୈଳୀ ଜାରି ରଖିଲେ। ତେଣୁ ବାଧ୍ୟ ହୋଇ ୪ ବରିଷ୍ଠ ବିଚାରପତି  ମିଶି ସାମ୍ବାଦିିକ ସମ୍ମିଳନୀ ଡାକିଲୁ।

ସୂଚନାଯୋଗ୍ୟ ୧୨ ଜାନୁୟାରୀ ୨୦୧୮ରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ । ସର୍ବୋଚ୍ଚ ଅଦାଲତର ବିଚାରପତିମାନେ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ସାମ୍ବାଦିକ ସମ୍ମିଳନୀ ଡକାଇ ବ୍ୟକ୍ତ କରିଥିଲେ ।  ସୁପ୍ରିମକୋର୍ଟରେ ବିଚାରପତିଙ୍କୁ ମାମଲା ଆବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଅଭିଯୋଗ କରିଥିଲେ ।

ସେମାନେ ସିଧାସଳଖ ଏ ନେଇ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଉପରେ ଦୋଷାରୋପ କରିଥିଲେ । ସୁପ୍ରିମକୋର୍ଟର ପ୍ରଶାସନ ଓ ବିଧିବ୍ୟବସ୍ଥା ଉଚିତ୍ ଶୈଳୀରେ ପରିଚାଳିତ ହେଉନାହିଁ ବୋଲି ଅଭିଯୋଗ ବାଢ଼ିଥିଲେ ଚାରି ବରିଷ୍ଠ ବିଚାରପତି । ତେବେ ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଥିଲା ।

ସୂଚନାଯୋଗ୍ୟ ବରିଷ୍ଠ ବିଚାରପତି କୁରିୟନ୍ ଜୋସେଫ୍ ଗତ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି । ସେ ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠତମ ବିଚାରପତି ଥିଲେ । ୮ ମାର୍ଚ୍ଚ ୨୦୧୩ରେ ତାଙ୍କୁ ସୁପ୍ରମିକୋର୍ଟର ବିଚାରପତି ନିଯୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର