କଶ୍ମୀର ଆଇଏସ୍‌ ମୁଖ୍ୟ ନିପାତ

୪ ଆତଙ୍କବାଦୀ ନିପାତ ଯବାନ ସହିଦ, ତ୍ରାଲରେ ଗ୍ରେନେଡ ଆକ୍ରମଣ, ୧୦ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷା ବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇସ୍‌୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ କଶ୍ମୀର ଶାଖା ମୁଖ୍ୟ ମଧ୍ୟ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀଙ୍କୁ ଖସାଇବାକୁ ଯୋଜନା କରି ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ପ୍ରାୟ ୨୦ ଜଣ ସ୍ଥାନୀୟ ଯୁବକ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ତ୍ରାଲରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଟ୍ରକ୍‌ ଉପରକୁ ଗ୍ରେନେଡ ମାଡ଼ କରିବାରୁ ୧୦ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଶ୍ରୀଗୁଫ୍‌ଓ୍ଵାରାର ଖୈରାମ ଗ୍ରାମର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ଆଜି ସକାଳେ ସମଗ୍ର ଗ୍ରାମକୁ ଘେରି ଯାଇଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀର ଆଇଏସ୍‌ ସଂଗଠନର ମୁଖ୍ୟ ଦାଉଦ୍‌ ସୋଫି ଏହି ଏନ୍‌କାଉଣ୍ଟରରେ ନିପାତ ହୋଇଥିବା ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି। ଅନ୍ୟ ୩ ଜଣ ନିହତ ଆତଙ୍କବାଦୀ ହେଲେ ମହମ୍ମଦ ଅସରଫ୍‌ ଇଟୋ (୨୮), ମାଜିଦ ଅହମ୍ମଦ ଦାର (୨୨) ଏବଂ ଆଦିଲ ରହମାନ ଭଟ୍ଟ (୨୬)। ଅମରନାଥ ଯାତ୍ରା ପାଇଁ ରହିଥିବା ମାର୍ଗ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିବା ବେଳେ ଆଖପାଖ ଅଂଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି। ଜମ୍ମୁ କଶ୍ମୀରରେ ଆଇଏସ୍‌ ସଂଗଠନର ମାତ୍ର ୮ରୁ ୧୦ ଜଣ ସଦସ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଗତ ଦେଢ଼ ବର୍ଷ ମଧ୍ୟରେ ନିପାତ ହୋଇସାରିଛନ୍ତି। ଜମ୍ମୁ କଶ୍ମୀରରେ ଆଇଏସ୍‌ ସଂଗଠନର ଶାଖା ରହିଥିବା ଏହାର େଓ୍ଵବ୍‌୍‌ସାଇଟ୍‌ରେ ଦାବି କରାଯାଉଛି। ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବାପରେ ଆଜିର ଅପରେସନ ସୁରକ୍ଷା ବାହିନୀର ପ୍ରଥମ ବଡ଼ ପଦକ୍ଷେପ। ଶ୍ରୀନଗରରେ ଗତକାଲି ପହଞ୍ଚିଥିବା ଏନ୍‌୍‌ଏସ୍‌୍‌ଜି କମାଣ୍ଡୋ ସ୍ୱତନ୍ତ୍ର ଅପରେସନ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଏସ୍‌୍‌ଏଫ୍‌୍‌ ଯବାନଙ୍କୁ ପାକ୍‌୍‌ ସ୍ନାଇପର ଟାର୍ଗେଟ୍‌ କରୁଥିବାରୁ ଏହାର କଡ଼ା ଜବାବ ଦେବାକୁ ଏନ୍‌୍‌ଏସ୍‌୍‌ଜି ତୟାର ରହିଛି। ଜମ୍ମୁ କଶ୍ମୀର ଡିଜିପି ଏସ୍‌୍‌ପି ବୈଦ କହିଛନ୍ତି ଯେ ଶ୍ରୀନଗର ଏବଂ ଅନନ୍ତନାଗରେ ହିଂସା ଓ ଉତ୍ତେଜନାକୁ ଦେଖି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି ।

ସମ୍ବନ୍ଧିତ ଖବର