ମଲିକ ବନାମ ଫଡ଼ନାବିସ: ଫଡ଼ନାବିସଙ୍କୁ ଲିଗାଲ ନୋଟିସ୍‌ ପଠାଇଲେ ମଲିକଙ୍କ ଜ୍ବାଇଁ

ମଲିକଙ୍କୁ ମାନହାନି ନୋଟିସ୍‌ ପଠାଇଲେ ଫଡ଼ନାବିସଙ୍କ ପତ୍ନୀ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ରାଜ୍ୟ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନୱାବ ମଲିକଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ମଲିକଙ୍କ ଘରେ ଡ୍ରଗ୍ସ ଅଛି ବୋଲି ଫଡ଼ନାବିସ କହିବା ପରେ ମଲିକ ତାଙ୍କଠାରୁ ଏହି ମାମଲାରେ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ମଲିକ କହିଛନ୍ତି, ଯଦି ଫଡ଼ନାବିସ କ୍ଷମା ନ ମାଗନ୍ତି ତେବେ ସେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ। ଅନ୍ୟପକ୍ଷେ ମଲିକଙ୍କ ଜ୍ବାଇଁ ସମୀର ଖାନ୍‌ ଫଡ଼ନାଭିସଙ୍କ ନିକଟକୁ ଏକ ଲିଗାଲ୍‌ ନୋଟିସ ପଠାଇଛନ୍ତି। ତାଙ୍କ ବିରୋଧରେ କୌଣସି ଭିତ୍ତି ନଥାଇ ଗୁରୁତର ଅଭିଯୋଗ ଆଣିଥିବା ନେଇ ସେ ଫଡ଼ନାବିସଙ୍କୁ ନୋଟିସ ପଠାଇଛନ୍ତି। ସେ କହିଛନ୍ତି ତାଙ୍କଠାରୁ କୌଣସି ଡ୍ରଗ୍ସ ମିଳିନାହିଁ। ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଫଡ଼ନାବିସ ଗତ ୧ ତାରିଖରେ କହିଥିଲେ ଯେ, ସମୀର ଖାନ୍‌ଙ୍କ ପାଖରେ ଡ୍ରଗ୍ସ ଅଛି। ଜାନୁଆରି ୧୩ ତାରିଖରେ ସମୀର ଖାନ୍‌ଙ୍କୁ ଏନ୍‌ସିବି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ୮ ମାସ ଜେଲ୍‌ରେ ରହିବାପରେ ତାଙ୍କୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଜାମିନ ମିଳିଥିଲା।

କ୍ଷମା ନ ମାଗିଲେ ମାନହାନି ମାମଲା ରୁଜୁ କରିବି: ମଲିକ

ଅନ୍ୟପ‌କ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସ ଏନ୍‌ସିପି ନେତା ନୱାବ ମଲିକଙ୍କ ପାଖକୁ ଏକ ମାନହାନି ନୋଟିସ୍‌ ପଠାଇଛନ୍ତି। ମଲିକ ନିକଟରେ ତାଙ୍କ ପରିବାରକୁ ନେଇ ଯେଉଁ ଟ୍ବିଟ୍‌ କରିଥିଲେ ଏହାକୁ ବିରୋଧ କରି ଅମୃତା ତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇଛନ୍ତି। ମଲିକ ନିକଟରେ ଏକ ଟ୍ବିଟ୍‌ କରି କହିଥିଲେ ଯେ, ଫଡ଼ନାବିସ ଏବଂ ତାଙ୍କ ପତ୍ନୀଙ୍କର ନିଶା ବେପାରୀ ଜୟଦୀପ ରାଣାଙ୍କ ସହ ସମ୍ପୃକ୍ତ ଅଛି।

ସମ୍ବନ୍ଧିତ ଖବର