ଆମାଜନ ବିଗ୍ ବିଲିୟନ ସେଲରେ ମାକବୁକ୍ ଅର୍ଡର କରିଥିଲେ ଯୁବକ, ମିଳିଲା ଭଙ୍ଗା ଏଚପି ଲାପଟପ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବା ବେଳେ ଏବେ ସବୁ ଅନଲାଇନ ସପିଂ ଆପରେ ସେଲ୍ ଆରମ୍ଭ ହୋଇଛି। ଫ୍ଲିପକାର୍ଟ ଓ ଆମାଜନ ଭଳି ଆପରେ ‌ଏବେ ବିଗ୍ ବିଲିୟନ ସେଲ ଚାଲିଛି। ଏହି ସମୟରେ ଅନେକ ଦାମୀ ଜିନିଷ ଉପରେ ଅଧିକ ଅଫର ଥିବାରୁ ଲୋକେ ଏକାଧିକ ଜିନିଷ ଅର୍ଡର କରୁଛନ୍ତି। ତେବେ ଜଣେ ଯୁବକ ଏହି ସେଲର ଲାଭ ଉଠାଇବାକୁ ଯାଇ କ୍ଷତି ସହିଥିବା ଜଣାପଡ଼ିଛି। ଜଣେ ଯୁବକ ଆମାଜନ ବିଗ୍ ବିଲିୟନ ସେଲରେ ମାକବୁକ୍ ଅର୍ଡର କରିଥିଲେ। ହେଲେ ତାଙ୍କୁ ଭଙ୍ଗା ଏଚପି ଲାପଟପ ଡେଲିଭର କରାଯାଇଥିବା ସାମ୍ନାକୁ ଆସିଛି।

ରେଡିଟରେ ନିଜର ଏଭଳି ଖରାପ ଅନୁଭୂତି ସେୟାର କରି ଯୁବକଜଣକ ପୂରା ଘଟଣା ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି, ମୁଁ ଆମାଜନରୁ ମାକବୁକ୍ ଏୟାର ଏମ୧ ଅର୍ଡର କରିଥି‌ଲି। ଅର୍ଡର ସହଜରେ ଗ୍ରହଣ ହେବା ସହ ଖୁବଶୀଘ୍ର ଡେଲିଭର ହୋଇଥିଲା। ଡେଲିଭରୀ ସମୟରେ ଓଟିପି ଦେବା ସହ ଡେଲିଭର ସମୟରେ ପ୍ୟାକେଟ ଖୋଲାନଥିବା ନେଇ ମୁଁ ଆପରେ ସ୍ପଷ୍ଟ କରିଥିଲି। ଏହା ପରେ ଖୁସି ହୋଇ ମୁଁ ପ୍ୟାକେଟ ଖୋଲିବା ବେଳକୁ ଭିତରେ ଭଙ୍ଗା ଏଚପି ଲାପଟପ ଥିବା ଦେଖିଲି। ଏହା ଦେଖି ମୋ ହୋସ ଉଡିଯାଇଥିଲା। ଲାପଟପ ପାଇଁ ମୁଁ ୬୩,୦୦୦ଟଙ୍କା ଦେଇଥିଲି। ଆମାଜନ ଏଭଳି ଠକିବ ବୋଲି ମୁଁ କେବେ ବି ଭାବିନଥିଲି। ମୋ ସହ ଯାହା ଘଟିଲା, ତାହା ଆଉ କାହା ସହ ନଘଟୁ।

ତେବେ ଯୁବକଜଣକ ଏନେଇ ଅଭିଯୋଗ କରିବା ପରେ ୧୪ଦିନ ମଧ୍ୟରେ ତାଙ୍କଠାରୁ ଭଙ୍ଗା ଲାପଟାପ ନିଆଯାଇ ମାକବୁକ୍ ଏୟାର ଏମ୧ ଦିଆଯିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ହେଲେ ଏବେ ମାକବୁକ୍ ଏୟାର ଏମ୧ର ଦାମ ବଢ଼ିଯାଇଥିବାରୁ ତାଙ୍କୁ ଅଧିକ ଟଙ୍କା ଦେବାକୁ ହେବ ବୋଲି ଚିନ୍ତାରେ ପଡ଼ିଛନ୍ତି ଯୁବକ।

ସମ୍ବନ୍ଧିତ ଖବର