ମାୟାବତୀଙ୍କ ଚକ୍‌ମା କାମ ଦେଲାନି

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୟୁପିର ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ମୁଖ୍ୟମନ୍ତ୍ରୀ ସରକାରୀ ବଙ୍ଗଳା ଛାଡ଼ି ସାରିଛନ୍ତି। ବଙ୍ଗଳା ଛାଡ଼ିବାପାଇଁ ଦିଆଯାଇଥିବା ଧାର୍ଯ୍ୟ ସମୟ ପୂର୍ବରୁ କେବଳ ଏନ୍‌ ଡି ତିଓ୍ଵାରିଙ୍କୁ ଛାଡ଼ିଦେଲେ ଅନ୍ୟ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବଙ୍ଗଳା ଖାଲି କରିଛନ୍ତି। ପୂର୍ବରୁ ମାୟାବତୀ ନିଜ ପାଖରେ ଥିବା ଗୋଟିଏ ବଙ୍ଗଳା ଛାଡ଼ିଥିବାବେଳେ ଅନ୍ୟଟିକୁ ନିଜ କବ୍‌୍‌ଜାରେ ରଖିି ରାତାରାତି ଏହି ବଙ୍ଗଳାଙ୍କୁ କାଂଶୀରାମ ବିଶ୍ରାମ ସ୍ଥଳରେ ପରିଣତ କରି ବୋର୍ଡ ଲଗାଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ସେ ଅବମାନନା କରି ଏଭଳି ପଦକ୍ଷେପ ନେଇଥିବାରୁ ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେତେକ ମହଲ ଦାବି କରିବା ପରେ ଆଜି ମାୟାବତୀ ଏହି ଦ୍ୱିତୀୟ ବଙ୍ଗଳା ମଧ୍ୟ ଖାଲି କରିଛନ୍ତି। ତେବେ ଏହି ବିଶାଳ ବଙ୍ଗଳାର କିଛି ଅଂଶକୁ ସେ ନିଜର ବ୍ୟବହାର ପାଇଁ ରଖିଥିବାରୁ ଏହାକୁ ମଧ୍ୟ ପ୍ରଶାସନ ବିରୋଧ କରିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଏବଂ ମୁଲାୟମ ସିଂହ ଯାଦବ ସେମାନଙ୍କ ସରକାରୀ ବଙ୍ଗଳା ଛାଡ଼ି ଗତକାଲି ଏକ ଭିଭିଆଇପି ଗେଷ୍ଟ ହାଉସ୍‌କୁ ସ୍ଥାନାନ୍ତର ହୋଇଛନ୍ତି। ମାୟାବତୀ ଗୋଟିଏ ବଙ୍ଗଳାକୁ ବିଏସ୍‌ପି ପ୍ରତିଷ୍ଠାତା କାଂଶୀରାମଙ୍କ ନାମରେ ବିଶ୍ରାମସ୍ଥଳରେ ପରିଣତ କରି ତାହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରିଥିଲେ। ମାୟାବତୀଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ଆଜି ମାୟାବତୀ ଏହାକୁ ଖାଲି କରିବା ସତ୍ତ୍ୱେ କିଛି ଅଂଶକୁ ନିଜ କବ୍‌୍‌ଜାରେ ରଖିଥିବାରୁ ସେଥିରୁ ମଧ୍ୟ ହଟିଯିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଏନ୍‌ଡି ତିଓ୍ଵାରି ଏଯାବତ୍‌ ତାଙ୍କ ସରକାରୀ ବଙ୍ଗଳା ଛାଡ଼ି ନାହାନ୍ତି। ତିଓ୍ଵାରିଙ୍କ ପତ୍ନୀ ଉଜ୍ୱଳା ତିଓ୍ଵାରି ଏନେଇ ଇଷ୍ଟେଟ୍‌ ବିଭାଗରୁ ଅଧିକ ସମୟ ଲୋଡ଼ିଛନ୍ତି। ସ୍ୱାମୀ ଜୀବନର ଶେଷ ଅବସ୍ଥାରେ ଅଛନ୍ତି କହି ସେ ବଙ୍ଗଳା ଛାଡ଼ିବାପାଇଁ ଅଧିକ ସମୟ ଚାହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ମେ’ ୭ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଥିଲେ ଯେ ପଦ ଛାଡ଼ିବାପରେ କୌଣସି ବ୍ୟକ୍ତି ସରକାରୀ ବଙ୍ଗଳାରେ ରହିପାରିବେ ନାହିଁ। ସୁପ୍ରିମକୋର୍ଟ ଏନେଇ ପୂର୍ବରୁ ରହିଥିବା ୟୁପି ବିଧାନସଭା ଆଇନକୁ ରଦ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର