ତିନି ରାଜ୍ୟରେ ଝଡ଼ତୋଫାନ:୩୦ ମୃତ, ଦିଲ୍ଲୀରେ ହାଇଆଲର୍ଟ

ଲକ୍ଷ୍ନୌ: ଅଚାନକ ଝଡ଼ ତୋଫାନ ଯୋଗୁଁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡରେ ୪ ଜଣ ଏବଂ ପଶ୍ଚିମବଙ୍ଗରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ଦିଲ୍ଲୀରେ ପୁଣି ଝଡ଼ତୋଫାନ ଆଶଙ୍କା ରହିଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ୟୁପିର ମୋରାଦାବାଦ୍‌ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି। ଏଠାରେ ୨ ଶହରୁ ଅଧିକ କଚ୍ଚା ଘର ଭାଙ୍ଗି ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ୟୁପିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହା ସହିତ ୨୨ ଜଣ ଅହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛି। ସମ୍ଭାଲ୍‌ରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଜାଫରନଗର ଏବଂ ମିରଟ୍‌ରେ ୨ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆମରୋହାରେ ମଧ୍ୟ ୨ ଜଣ ଝଡ଼ତୋଫାନରେ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପଶ୍ଚିମବଙ୍ଗରେ ବଜ୍ରପାତ ଏବଂ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ୧୨ ଜଣ ଆହତ ହୋଇଛନ୍ତି। ଗତ ଗୁରୁବାରଠାରୁ ପଶ୍ଚିମବଙ୍ଗରେ ଲଗାତାର ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିଛି। ତେବେ ଜଣାଯାଇଛି ଯେ ହୁଗୁଳି ଜିଲ୍ଲାରେ ବଜ୍ରପାତ ହେତୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେେଳେ ବୀରଭୁମ ଜିଲ୍ଲାରେ ଜଣଙ୍କର, ପୂର୍ବ ବର୍ଦ୍ଦମାନ ଜିଲ୍ଲାର କାଟ୍‌ଓ୍ଵାରେ ଏବଂ ମଙ୍ଗଲକୋଟ୍‌ରେ କାନ୍ଥ ଭୁଶୁଡ଼ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବଜ୍ରାଘାତ ହେତୁ ହାଓ୍ଵଡ଼ାରେ ଜଣଙ୍କର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡର ମଣ୍ଡଳ ଜିଲ୍ଲାରେ ଝଡ଼ତୋଫାନ ହେତୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଉଲ୍ଳେଖଯୋଗ୍ୟ ଉତ୍ତର ପ୍ରଦେଶରେ ୩ଟି ପର୍ଯ୍ୟାୟରେ ପ୍ରବଳ ଝଡ଼ତୋଫାନ ହେତୁ ୧୩୦ ଜୀବନ ଯାଇଛି।

ସମ୍ବନ୍ଧିତ ଖବର