ପ୍ରଜ୍ଞାପନ ମେଢ଼ ବାଦ୍‌ ପ୍ରସଙ୍ଗ: ଓଡ଼ିଶାରୁ ପ୍ରତିବାଦର ସ୍ବର ଶୁଭୁନି, ବାଦ୍‌ ପଡ଼ିଥିବା ରାଜ୍ୟମାନେ କରୁଛନ୍ତି ହୋ ହଲ୍ଲା

ଲଗାତାର ଦୁଇ ବର୍ଷ ହେଲା ସାମିଲ ହେଉନି ଓଡ଼ିଶା ମେଢ଼

ନୂଆଦିଲ୍ଲୀ: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସାମିଲ କରାଯାଇ ନାହିଁ। ଲଗାତାର ଦୁଇ ବର୍ଷ ଧରି ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପରେଡ୍‌ରେ ସାମିଲ କରାଯାଉ ନଥିଲେ ମଧ୍ୟ ଏଥି ପାଇଁ ଓଡ଼ିଶା ସରକାର ବା ଅନ୍ୟ କାହା ଠାରୁ ପ୍ରତିବାଦର ସ୍ବର ଶୁଭୁନାହିଁ। ଅନ୍ୟ ପକ୍ଷରେ ତାଲିକାରୁ ବାଦ୍‌ ପଡ଼ିଥିବା ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡ଼ୁ ଆଦି ରାଜ୍ୟ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଦୃଢ଼ ପ୍ରତିବାଦ କରିଛନ୍ତି।

ସ୍ବାଧୀନତାର ୭୫ ବର୍ଷ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏଥି ପାଇଁ ରାଜ୍ୟମାନଙ୍କ ଠାରୁ ବିଷୟବସ୍ତୁ ଆଧାରିତ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଥିଲା। ଅର୍ଥାତ ରାଜ୍ୟମାନେ ସେମାନଙ୍କ ରାଜ୍ୟର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପ୍ରଜ୍ଞାପନ ମେଢ଼ରେ ପ୍ରମୁଖତା ଦେବେ ବା ରାଜ୍ୟମାନେ ସ୍ବାଧୀନତା ପରେ କରିଥିବା ବିକାଶକୁ ମେଢ଼ ଜରିଆରେ ପ୍ରଦର୍ଶନ କରିବେ। ୨୦୨୨ ପରେଡ୍‌ ପାଇଁ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରୁ ସମୁଦାୟ ୫୬ଟି ପ୍ରସ୍ତାବ ମିଳିଥିଲା। ତେବେ ସେଥି ମଧ୍ୟରୁ କେବଳ ୨୧ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପାଇଁ ମୋଟ ୫ଟି ପ୍ରସ୍ତାବ ପଠାଯାଇଥିଲା। ଯେଉଁଥିରେ ବକ୍ସି ଜଗବନ୍ଧୁ – ପାଇକ ବିଦ୍ରୋହ, ବୀର ସୁରେନ୍ଦ୍ର ସାଏ – ଓଡ଼ିଶା ବୟନ ଶିଳ୍ପ, ଚାଖି ଖୁଣ୍ଟିଆ, ଓଡ଼ିଶାର ହକି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଭଳି ବିଷୟବସ୍ତୁ ରହିଥିଲା। ଓଡ଼ିଶାର ତିନିଟି ସଂସ୍ଥା ଦ୍ବାରା ଉପରୋକ୍ତ ବିଷୟବସ୍ତୁ ଉପରେ ‘ଡିଜାଇନ୍‌’ ପ୍ରସ୍ତୁତ କରାଯାଇ ବିଶେଷଜ୍ଞ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା। ଓଡିଶାର ୫ ଟି ‘ଡିଜାଇନ୍‌’ରୁ କେବଳ ବକ୍ସି ଜଗବନ୍ଧୁ-ପାଇକ ବିଦ୍ରୋହ ‘ଡିଜାଇନ୍‌’କୁ ତିନିଟି ବୈଠକରେ ଆଲୋଚନା କରାଯାଇଥିବାବେଳେ ଚତୁର୍ଥ ବୈଠକରେ ଏହାକୁ ବାଦ୍‌ ଦିଆଯାଇଥିଲା।
ପ୍ରସ୍ତାବକୁ ବାଦ୍‌ ଦେବା ନେଇ ବିଶେଷଜ୍ଞ କମିଟି କୌଣସି କାରଣ ଦର୍ଶାଇ ନାହିଁ। ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇପାରିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗତ ଶୀତ ଅଧିବେଶନରେ ଲିଖିତ ଉତ୍ତର ରଖିଥିଲେ। ଏହି ପରିପେକ୍ଷୀରେ ବିଶେଷଜ୍ଞ କମିଟି ଉପରୋକ୍ତ ବିଷୟବସ୍ତୁକୁ ବିଚାର କରିନଥିବା ଚର୍ଚ୍ଚା ହେଉଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ରାଜପଥରେ ଓଡ଼ିଶାର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ପ୍ରଜ୍ଞାପନ ମେଢ଼ ଗଡ଼ିଥିଲା। ଏହା ବିଶେଷ ଭାବେ ଆଦୃତ ହେବା ସହ ମେଢ଼ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ହେଲେ ୨୦୨୧ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଓଡ଼ିଶା ସରକାରଙ୍କ ଜଗନ୍ନାଥ ସଂସ୍କୃତି ଏବଂ ବୌଦ୍ଧ ସଂସ୍କୃତି ଆଧାରିତ ବିଷୟବସ୍ତୁକୁ ବିଶେଷଜ୍ଞ କମିଟି ଚୟନ କରିନଥିଲା।

ସମ୍ବନ୍ଧିତ ଖବର