ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ, ପରୀକ୍ଷା ରଦ୍ଦ କଲା ବିପିୟୁଟି

ଭୁବନେଶ୍ୱର: ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ଡକରା ଦିଆଯାଇଥିବା ଭାରତ ବନ୍ଦର ସୀମିତ ପ୍ରଭାବ ଓଡ଼ିଶା ଉପରେ ପଡିଛି । ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ଯଥା ବଲାଙ୍ଗୀର, ନବରଂଗପୁର ଓ କଳାହାଣ୍ଡିରେ ବନ୍ଦର ଆଂଶିକ ପ୍ରଭାବ ପଡିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ । ତେବେ ଭୁବନେଶ୍ୱରରେ ବନ୍ଦ ପାଳନ କରୁଥିବା ଋଦ୍ର ସେନାର ୫ ଜଣ କର୍ମୀ ଗିରଫ ହୋଇଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ବିପିୟୁଟି ପକ୍ଷରୁ ମଧ୍ୟ ଆଜି ହେବାକୁ ଥିବା ବିଭିନ୍ନ ପରୀକ୍ଷା ବାତିଲ କରିଦିଆଯାଇଛି । ଆଜି ୫୭ଟି ବଷୟରେ ପ୍ରାୟ ୧୦୬୭୯ ଜଣ ପିଲା ପରୀକ୍ଷା ଦେବାକୁ ଥିଲା । ଆଜି ହେବାକୁ ଥିବା ପରୀକ୍ଷା ଏପ୍ରିଲ ୧୨ରୁ ୨୦ ତାରିଖ ମଧ୍ୟରେ ହେବା ନେଇ ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି ।

ସୁପ୍ରିମ କୋର୍ଟ ଦ୍ୱାରା ଏସସି/ଏସଟି ଆଇନକୁ କୋହଳ କରାଯିବ ପ୍ରତିବାଦରେ ଗତ ଏପ୍ରିଲ ୨ତାରିଖରେ ଦଳିତ ସଂଗଠନ ଗୁଡ଼ିକ ବନ୍ଦ ଡାକରା ଦେଇଥିଲେ । ଏହି ବନ୍ଦ ଦିନ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । କିନ୍ତୁ ଆଜିର ବନ୍ଦ ମୁଖ୍ୟତଃ ଦେଶରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ କରିଦିଆଯାଇଥିଲା । ଗତ ବନ୍ଦ ତୁଳନାରେ ଆଜିର ବନ୍ଦ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି । ତେବେ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ସଂରକ୍ଷଣ ବିରୋଧୀ ଓ ସପକ୍ଷବାଦୀ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହିଂସାକାଣ୍ଡ ଦେଖାଦେଇଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର