ଏଣିକି ବାହାରେ ପାନଛେପ ପକାଇଲେ ଦେବାକୁ ପଡିବ ୨୦୦ଟଙ୍କା ଜରିମାନା

ଭୋପାଳ : ପରିବେଶକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ସରକାର ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି। ସ୍ୱଚ୍ଛତାକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ଏବଂ ସ୍ଲୋଗାନ ଆଦି ଦିଆଯାଉଛି। ତଥାପି ଏହାର ଆଶାନୁରୂପ ସଫଳତା ମିଳୁନଥିବାରୁ ଏବେ ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି। ପରିବେଶ ପ୍ରଦୂଷଣ କିମ୍ବା ଅପରିଷ୍କାର ରଖିଲେ ଉକ୍ତ ସଂସ୍ଥା କିମ୍ବା ଅନୁଷ୍ଠାନଙ୍କଠାରୁ ଜରିମାନା ଆଦାୟ କରାଯିବା ଭଳି ନିୟମ ପ୍ରଣୟନ କରାଯାଇଛି।

ସୂଚନା ଅନୁସାରେ, ଭୋପାଳରେ ଥିବା ଜେପି ଡାକ୍ତରଖାନାର କର୍ତ୍ତୃପକ୍ଷ ଏଭଳି ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଭାବେ ତଥା ଲୋକଙ୍କୁ ସତର୍କ କରାଯାଇଛି ମେଡିକାଲ ପରିସରରେ ପାନ ଛେପ ପକାଇଲେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷ କରି ଖୁଟଖା ଖାଇ ଛେପ ପକାଉଥିବା କୌଣସି ବ୍ୟକ୍ତି ନଜର ଆସିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

photo by : Times of India

ମେଡିକାଲ କର୍ତ୍ତୃପକ୍ଷ ତରଫରୁ ଜାରି ହୋଇଥିବା ନିୟମାନୁସାରେ, ଛେପ ପକାଉଥିବା ବେଳେ ଯଦି କୌଣସି ବ୍ୟକ୍ତି ଧରା ପଡନ୍ତି ତେବେ ତାଙ୍କଠାରୁ ତତକ୍ଷଣାତ୍‌ ୨୦୦ ଟଙ୍କା ଜରିମାନା ବାବଦକୁ ନିଆଯିବ। ଖାଲି ଏତିକି ନୁହେଁ ଛେପ ପକାଇଥିବା ବ୍ୟକ୍ତି ବିଶେଷଙ୍କୁ ଯଦି କେହି ଧରା ପକାଇ ଦେବେ ତେବେ ଧରାଇଦେଇଥିବା ବ୍ୟକ୍ତିଙ୍କୁ ୫୦ ଟଙ୍କା ପୁରସ୍କାର ରୂପେ ମିଳିବ।

ସେହିପରି ବଜାର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଗୁଟଖା କିମ୍ବା ପାନ ଛେପ ପକାଉଥିବା ବ୍ୟକ୍ତିବିଶେଷଙ୍କଠାରୁ ୫୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏଥିସହିତ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ଵାନ ଦିଆଯାଇଛି।

ସମ୍ବନ୍ଧିତ ଖବର