ଶ୍ରୀଲଙ୍କାରେ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି

ଉଗ୍ର ହେଉଛି ବୌଦ୍ଧ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗା

କଲୋମ୍ବୋ: ଶ୍ରୀଲଙ୍କାରେ ମଙ୍ଗଳବାର ମଧ୍ୟାହ୍ନରେ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ଶ୍ରୀଲଙ୍କାରେ ବୌଦ୍ଧ ଓ ମୁସଲମାନମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗା କ୍ରମେ ଉଗ୍ର ରୂପ ନେବାରେ ଲାଗିଥିବା ବେଳେ ଏହା ଯେପରି ବ୍ୟାପକ ଅଞ୍ଚଳକୁ ନ ବ୍ୟାପେ ସେଥିପାଇଁ ସରକାରଙ୍କ ପକ୍ଷରୁ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି ବୋଲି କହିଛନ୍ତି ଜନୈକ ସରକାରୀ ପ୍ରବକ୍ତା।

ଶ୍ରୀଲଙ୍କାରେ ଗତ ପ୍ରାୟ ଏକ ବର୍ଷ ଧରି ବୌଦ୍ଧ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି। କଠୋରପନ୍ଥୀ ବୌଦ୍ଧମାନେ ଅଭିଯୋଗ କରିଛନ୍ତି ଯେ ମୁସଲମାନମାନେ ବଳପୂର୍ବକ ଲୋକମାନଙ୍କର ଧର୍ମାନ୍ତରରୀକରଣ କରାଇ ସେମାନଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରାଉଛନ୍ତି ଏବଂ ଐତିହ୍ୟପୂର୍ଣ୍ଣ ବୌଦ୍ଧ ସ୍ଥଳୀମାନଙ୍କରେ ଅଶୋଭନୀୟ କାର୍ଯ୍ୟକଳାପ ଚଳାଇଛନ୍ତି। ତେବେ, ଏହି ସବୁ ଘଟଣା ପରିପ୍ରେକ୍ଷୀରେ ବୌଦ୍ଧ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ସଂପର୍କ ତିକ୍ତ ହେବା ସହ ଉଭୟ ସଂପ୍ରଦାୟ ମଧ୍ୟରେ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହୋଇଛି। ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ଦଙ୍ଗା ଦିନକୁ ଦିନ ଉଗ୍ର ହେବା ସହ ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି।

ଏ ପରିସ୍ଥିତିରେ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକରେ ଦଙ୍ଗା ଜନିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦେଶରେ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀଲଙ୍କା ସରକାରଙ୍କର ପ୍ରବକ୍ତା ଦୟାଶିରି ଜୟାସିକ୍ର। ଏଥିସହ ଦଙ୍ଗାରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ସରକାର ସେନା ଓ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର