ରାଜ୍ୟସଭା ପିଟିସନ୍‌ କମିଟିର ଅଧ୍ୟକ୍ଷ ହେଲେ ସୁଜିତ କୁମାର

ଦୁଇଟି କମିଟିରେ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେଡିକୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍‌ ପିଟିସନ୍‌ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଛି। ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କମିଟିରେ ୧୦ ଜଣ ସଦସ୍ୟ ରହିଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ନଅଟି ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଛି। ଏଥିରେ ଗୋଟିଏ ସ୍ଥାୟୀ କମିଟିରେ ବିଜେଡିକୁ ଅଧ୍ୟକ୍ଷ ପଦ ମିଳିଥିବାବେଳେ ଅନ୍ୟ ଚାରିଟି ସ୍ଥାୟୀ କମିଟିରେ ବିଜେଡି ସାଂସଦମାନେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ କମିଟି ଅନ୍ ରୁଲ୍‌ସରେ ବିଜେଡି ସାଂସଦ ମମତା ମହାନ୍ତ ସ୍ଥାନ ପାଇଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର ଦୁଇଟି କମିଟିରେ ସ୍ଥାନ ପାଇଛନ୍ତି। ପ୍ରକାଶ ଜାଭଡ଼େକରଙ୍କ ଅଧ୍ୟକ୍ଷତାରେ ଗଠିତ ୧୦ ଜଣିଆ କମିଟି ଅନ ଏଥିକ୍‌ସ ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅଫ୍ ପ୍ରିଭିଲେଜ୍‌ରେ ତାଙ୍କୁ ସ୍ଥାନ ମିଳିଛି। ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ କମିଟି ଅନ ସବ୍‌ ଅର୍ଡିନେଟ ଲେଜିସଲେସନ୍‌ରେ ବିଜେଡି ସାଂସଦ ଅମର ପଟ୍ଟନାୟକ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

ଚଳିତ ବର୍ଷ ଜୁଲାଇରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେ‌ଷ ହୋଇଛି। ସେ କମିଟି ଅନ ପିଟିସନ୍‌ସର ଅଧ୍ୟକ୍ଷ ଥିଲେ। ତାଙ୍କ ପରେ ବିଜେଡିକୁ ରାଜ୍ୟସଭାର ପୁନର୍ଗଠିତ ସ୍ଥାୟୀ କମିଟିରେ ଏହି କମିଟିର ଅଧ୍ୟକ୍ଷ ପଦ ମିଳିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ଆଜି ବିଜେଡି ସାଂସଦ ଶ୍ରୀ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା ପରେ ରାଜ୍ୟସଭାରେ ବିଜେଡିର ପତିଆର କାଏମ ରହିଛି।

ସମ୍ବନ୍ଧିତ ଖବର