ଆର୍ଥିକ ଠକେଇର ଅଭିଯୋଗ କରିବାକୁ ଆହ୍ବାନ: ବ୍ୟାଙ୍କକୁ ୩୦ ଦିନ ସମୟ ଦିଅ

ସମାଧାନ ନହେଲେ ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କୁ ଜଣାଅ

ଭୁବନେଶ୍ବର: ଡିଜିଟାଲ୍ ମାଧ୍ୟମ‌ରେ ଆର୍ଥିକ ଠକେଇ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ସେଥିରୁ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଏହି ମର୍ମରେ ଆଜି ଭଞ୍ଜ କଳା ମଣ୍ଡପରେ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ବରର ବ୍ୟାଙ୍କିଙ୍ଗ ଲୋକପାଳ ପଙ୍କଜ କୁମାର ନାୟକ ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟାଙ୍କିଙ୍ଗ ସମ୍ପର୍କିତ ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ଆହ୍ବାନ ଦେଇଛନ୍ତି। ଅଭିଯୋଗ ଆସିଲେ ତାହାର ସମାଧାନ ହେବ ବୋଲି ସେ କହିଛନ୍ତି। କୌଣସି ଆର୍ଥିକ ଠକେଇ, ହେରଫେର, ଅଜାଣତରେ ଟଙ୍କା କଟିଯିବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ସେବିଷୟରେ ବ୍ୟାଙ୍କକୁ ଜଣାଅ। ସମାଧାନ ପାଇଁ ବ୍ୟାଙ୍କକୁ ୩୦ ଦିନ ସମୟ ଦିଅ। ତା’ ପରେ ଯଦି ଅଭିଯୋଗର ସମାଧାନ ନହେବେ ତେବେ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲୋକପାଳଙ୍କୁ ସେବିଷୟରେ ଜଣାଇବା ଲାଗି ଶ୍ରୀ ନାୟକ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ‌ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ଲୋକପାଳ ସ୍କିମ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ବ୍ଲକ୍ ସ୍ତରରେ ଆୟୋଜନ କରାଯିବ ବୋଲି ଜଣାଇଥିଲେ। ସାରା ଦେଶରେ ଏକ ମାସ ବ୍ୟାପୀ ଏହି ସଚେତନତା ଅଭିଯାନ ଜାରି ରହିବ। ୟୁନିୟନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିବା ‘ଅଭିଯୋଗ ଶୁଣାଣି ବ୍ୟବସ୍ଥା ଓ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ସଂସ୍ଥା ଏବଂ ରିଜର୍ଭ ବ୍ୟାଙ୍କର ସମନ୍ବିତ ଲୋକପା ସ୍କିମ୍‌’ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଯୋଗ ଦେଇ ଆର୍ଥିକ ଠକେଇ ଏବଂ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ପନ୍ଥା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ୟୁନିୟନ୍ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ସତ୍ୟବାନ ବେହେରା, ମହାପ୍ରବନ୍ଧକ ସର୍ବେଶ ରଞ୍ଜନ, ଚିଫ୍‌ ମ୍ୟାନେଜର ପ୍ରଭାକର ସେଠୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍ (ଗ୍ରାହକ ସେବା) ପ୍ରଶାନ୍ତ କୁମାର, ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଗୌତମ ପାତ୍ର ଏବଂ ବିଭିନ୍ନ ଆର୍ଥିକ ସଂସ୍ଥାର ପ୍ରତିନିଧି ଓ ଗ୍ରାହକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର