ସରକାରଙ୍କ ପ୍ରଥମ ଦଫା ଟିକାକରଣ ଯୋଜନା ଶୀତଳୀକରଣ ପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତି

ସିରମ, ଭାରତ ବାୟୋଟେକ୍‌କୁ ଟିକା ବାବଦରେ ଅଧିକ ତଥ୍ୟ ମାଗିଲେ ସରକାର

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ କବଳରୁ ତ୍ରାହି ପାଇବା ପାଇଁ ଭାରତ ଏକ ପ୍ରଯୁଜ୍ୟ ଟିକାକୁ ଚାତକ ପରି ଚାହି ରହିଥିବା ବେଳେ ବିଭିନ୍ନ ଭେଷଜ କମ୍ପାନି ସେମାନଙ୍କ ଦ୍ବାରା ପ୍ରସ୍ତୁତ ଟିକାର ପ୍ରୟୋଗ ପାଇଁ ଆବଶ୍ୟକ ସରକାରୀ ଅନୁମତି ହାସଲ କରିବା ଲାଗି ଆଗଭର ହୋଇପଡ଼ିଛନ୍ତି। ଭାରତୀୟ ଭେଷଜ ମହାନିୟନ୍ତ୍ରକ ଓ ବିଶେଷଜ୍ଞମାନେ ଏ ଦିଗରେ ସବୁଜ ସଂକେତ ପ୍ରଦାନ କଲା ମାତ୍ରକେ ଭାରତୀୟ ଟିକାନିର୍ମାତାମାନେ ପ୍ରଥମ ଦଫାରେ ୩୦ କୋଟି ନାଗରିକଙ୍କର ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେବେ ବୋଲି ଜଣାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏବେ ଟିକା ଶୀତଳୀକରଣ ପ୍ରକ୍ରିୟା ନିମନ୍ତେ କଣ୍ଟେନର ପ୍ରସ୍ତୁତ କରାଯାଉଛି। ନିକଟରେ କୋଭିଡ୍‌ ଟିକା ଯୋଜନା ସମ୍ପର୍କରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସମ୍ପ୍ରତି ଆଠଟି ବିଭିନ୍ନ କମ୍ପାନି ସେମାନଙ୍କର ଟିକାକୁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚାଇଛନ୍ତି ବୋଲି ସଂକେତ କରିଥିଲେ।

ସେହିପରି ଆଉ ଖୁବ୍‌ କମ୍‌ ସପ୍ତାହ ଭିତରେ ଟିକାଟିଏ ମିଳିଯିବ ବୋଲି ସରକାରଙ୍କ ଠାରୁ ପରୋକ୍ଷ ସୂଚନା ମିଳିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ କୋଭିଡ୍‌-୧୯ ଟିକାର ବିତରଣ ଓ ପରିଚାଳନା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ସମ୍ପ୍ରତି ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ଥିବା ଆଠଟି ଟିକା ମଧ୍ୟରେ ଆଷ୍ଟ୍ରାଜେନେକା କମ୍ପାନି ସହ ସହବନ୍ଧିତ ହୋଇ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୁଥିବା ‘କୋଭିସିଲ୍‌ଡ’, ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ସହ ମିଶି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୁଥିବା ‘କୋଭାକ୍ସିନ୍‌’, ଭେଷଜ କମ୍ପାନି ଜାଇଡସ୍‌-କାଡିଲା ଦ୍ବାରା ବିକଶିତ ‘ଜାଇ-କୋଭ୍‌-ଡି’, ଡ. ରେଡି ଲାବୋରାଟରି ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ରୁଷୀୟ ଟିକା ‘ସ୍ପୁଟନିକ୍‌-ଭି’, ନୋଭାଭାକ୍ସ କମ୍ପାନି ସହବନ୍ଧନରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୁଥିବା ‘ଏନ୍‌ଭିଏକ୍ସ-କୋଭ୍‌-୨୩୭୩’, ଆମେରିକାର ଏମ୍‌ଆଇଟି ସହ ମିଶି ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍‌ ଇ ଲି. ପ୍ରସ୍ତୁତ କରୁଥିବା ‘ପ୍ରୋଟିନ୍‌ ଆଣ୍ଟିଜେନ୍‌’, ଆମେରିକାର ଥମାସ ଜେଫରସନ୍‌ ବିଶ୍ବବିଦ୍ୟାଳୟ ସହ ମିଶି ପୁଣେର ଜେନୋଭା କମ୍ପାନି ପ୍ରସ୍ତୁତ କରୁଥିବା ‘ଏଚ୍‌ଜିସିଓ-୧୯’ ଏବଂ ସେହି ଥମାସ ଜେଫରସନ୍‌ ବିଶ୍ବବିଦ୍ୟାଳୟ ସହ ମିଶି ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୁଥିବା ଅନ୍ୟ ଏକ ଟିକା ରହିଛି। ଏଥି ସହିତ ଅରବିନ୍ଦ ଫାର୍ମା ମଧ୍ୟ ଏକ ଟିକାର ବିକାଶ ଚଳାଇଛି।

ସମ୍ବନ୍ଧିତ ଖବର