ଅରୁଣ ଗୋଏଲ୍ଙ୍କୁ ‘ବିଜୁଳି ବେଗରେ’ ନିର୍ବାଚନ କମିସନର୍ ଭାବେ ନିଯୁକ୍ତି ଦେବାର କାରଣ ପଚାରିଲେ ସୁପ୍ରମ୍ କୋର୍ଟ
ନୂଆଦିଲ୍ଲୀ: ପୂର୍ବତନ ‘ଆଇଏଏସ୍’ ଅଫିସର୍ ଅରୁଣ ଗୋଏଲ୍ଙ୍କୁ ‘ବିଜୁଳି ବେଗ’ରେ ମୁଖ୍ୟ ନିର୍ବାଚନ କମିସନର୍ ଭାବେ ନିଯୁକ୍ତ ଦେବାରେ କ’ଣ କାରଣ ଥିଲା ବୋଲି ଆଜି ସୁପ୍ରିମ୍ କୋର୍ଟ ସରକାରଙ୍କୁ ପଚାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ କମିସନ୍ର୍ ଅରୁଣ ଗୋଏଲ୍ଙ୍କ ନିଯୁକ୍ତିର ମୂଳ ଫାଇଲ୍ ଖୋଜୁଥିବା ସୁପ୍ରିମ୍ କୋର୍ଟ କହିଲେ, ଅତି କ୍ଷିପ୍ର ବେଗରେ ଏ ଫାଇଲ୍ ଅନୁମୋଦନ କରାଯାଇଛି। ପ୍ରତ୍ୟୁତ୍ତରେ ସରକାରୀ ଓକିଲ ଅଦାଲତଙ୍କୁ କହିଲେ, ନିରବତା ଅବଲମ୍ବନ କରି ଏ ପ୍ରସଙ୍ଗରେ ସାମଗ୍ରିକତା ଉପରେ ଦୃଷ୍ଟି ଦିଅନ୍ତୁ।
ସରକାରଙ୍କ କଥାରେ ‘ହଁ’ ମାରୁଥିବା ବ୍ୟକ୍ତି ନିର୍ବାଚନ କମିସନ୍ର ନ ହେବା ଉଚିତ ବୋଲି ବୁଧବାର ଦିନ ସୁପ୍ରିମ୍ କହିଥିଲେ। ଆଜି ଏହି ନିଯୁକ୍ତି ସଂକ୍ରାନ୍ତରେ ଶୁଣାଣି କରି ସୁପ୍ରିମ୍ କୋର୍ଟ ଦର୍ଶାଇଛନ୍ତି, ସଂକ୍ଷିପ୍ତ ତାଲିକାରେ ଥିବା ୪ଜଣଙ୍କ ମଧ୍ୟରୁ ଆଇନ ମନ୍ତ୍ରୀ ଜଣଙ୍କୁ ଚୟନ କରିଛନ୍ତି। ନଭେମ୍ବର ୧୮ ତାରିଖରେ ପ୍ରସ୍ତୁତ କରାଯାଇଥିବା ଫାଇଲ୍ ସେହି ଦିନ ହିଁ ଆଗତ କରାଯାଇଛି। ପ୍ରଧାନମନ୍ତ୍ରୀ ବି ସେହିଦିନ ତାଙ୍କ ନାଁକୁ ସୁପାରିସ କରିଛନ୍ତି। ଆମେ ଏ ସଂକ୍ରାନ୍ତରେ ବିବାଦ କରିବାକୁ ଚାହୁଁନାହୁଁ। କିନ୍ତୁ, ଏତେ ତରବରିଆ ଭାବେ ନିର୍ବାଚନ କମିସନର୍ଙ୍କୁ ନିଯୁକ୍ତି ଦେବା କ’ଣ ଆବଶ୍ୟକ ପଡ଼ିଲା?
ଅଦାଲତ ଆହୁରି ମଧ୍ୟ କହିଛନ୍ତି, ମେ ୧୫ରୁ ନିର୍ବାଚନ କମିସନର୍ ପଦବୀ ଖାଲି ପଡ଼ିଥିଲା। ମେ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଖାଲି ଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ଏତେ ତରବର ହେବାକୁ ପଡ଼ିଲା କାହିଁକି, ଆମକୁ ଜଣାଅ। ପୁଣି, ଏହି ନିଯୁକ୍ତି ପ୍ରକ୍ରିୟା ଗୋଟିଏ ଦିନରେ ଆରମ୍ଭ ହୋଇ ଗୋଟିଏ ଦିନରେ ଶେଷ ହୋଇଗଲା। ପ୍ରକ୍ରିୟା ସମ୍ପନ୍ନ ହୋଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ୨୪ ଘଣ୍ଟା ବି ଲାଗିଲା ନାହିଁ। ଏ କ୍ଷେତ୍ରରେ କେଉଁ ପ୍ରକାର ମୂଲ୍ୟାୟନ କରାଗଲା କି? ଆମେ ଅରୁଣ ଗୋଏଲ୍ଙ୍କ ଯୋଗ୍ୟତା ଉପରେ ସନ୍ଦେହ କରୁନାହୁଁ, ତାଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ସନ୍ଦେହ କରୁଛୁ।
କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣି ପ୍ରତିକ୍ରିୟା ବ୍ୟକ୍ତ କରି କହିଲେ, ଦୟାକରି କିଛି ସମୟ ପାଇଁ ଚୁପ୍ ରୁହନ୍ତୁ। ଏ ଘଟଣାର ସାମଗ୍ରିକତା ଉପରେ ଦୃଷ୍ଟିପାତ କରିବା ପାଇଁ ଆପଣଙ୍କୁ ମୋର ନିବେଦନ।
କିନ୍ତୁ, ଅଦାଲତ ପୁଣି କହିଲେ, ଆମେ ବୁଝିପାରୁନାହୁଁ। ସାବଧାନତା ଅବଲମ୍ବନ କରାଯାଇ ସରକାରଙ୍କ ‘ୟେସ୍ ମ୍ୟାନ୍’ (ବୋଲକରା) ଭାବେ ୪ଜଣଙ୍କ ନାମ ବଛା ଯାଇଥିଲା। ଆମେ ସେହି ଚୟନ ପ୍ରକ୍ରିୟା କଥା ପଚାରୁଛୁ। ‘କର୍ମଚାରୀ ବିଭାଗ’ର ‘ଅଫିସର୍ସ ଡାଟାବେସ୍’ ଏହି ୪ଟି ନାଁ କିଭଳି ସଂକ୍ଷିପ୍ତ ତାଲିକାଭୁକ୍ତ କରାଗଲା।
ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ କମିସନର୍ ଓ କମିସନର୍ଙ୍କ ନିଯୁକ୍ତିର ସାମ୍ବିଧାନିକତାକୁ ଚାଲେଞ୍ଜ୍ କରି ଆଗତ ପିଟିସନ୍ର ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।