ସବୁ ଜିଲ୍ଲାରେ ପାଳନ ହେବ ମହର୍ଷି ଦୟାନନ୍ଦଙ୍କ ୨୦୦ତମ ଜୟନ୍ତୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ପାଳନ କମିଟିର ପ୍ରସ୍ତୁତି ବୈଠକ ଆଜି ଚନ୍ଦ୍ରଶେଖରପୁରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାମୀଜୀ କହିଲେ ମହର୍ଷି ଦୟାନନ୍ଦ ଆଜକୁ ୨୦୦ ବର୍ଷ ତଳେ ଜନ୍ମ ହୋଇ ୧୮୭୫ ମସିହାରେ ଆର୍ଯ୍ୟସମାଜ ପ୍ରତିଷ୍ଠା କରିଥିଲେ। ମହାନ ଧର୍ମଗ୍ରନ୍ଥ ‘ବେଦ’କୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ସହ ହିନ୍ଦୁଧର୍ମରେ ଯେଉଁ ସଂସ୍କାରର ବାର୍ତ୍ତା ଦେଇଥିଲେ ତାହାକୁ ସ୍ମରଣ କରି କେନ୍ଦ୍ର ସରକାର ମହର୍ଷିଙ୍କ ଜୟନ୍ତୀକୁ ଏକବର୍ଷ ଧରି ସରକାରୀ ଭାବେ ପାଳନ କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ଆମ ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ମହର୍ଷି ଦୟାନନ୍ଦ ଓ ଆର୍ଯ୍ୟ ସମାଜର ସ୍ୱାଧୀନତା ସମୟରେ ଓ ସ୍ୱାଧୀନତା ପରବର୍ତ୍ତୀ କାର୍ଯ୍ୟକ୍ରମର ଏକ ପୁସ୍ତକ ଓଡ଼ିଆରେ ପ୍ରକାଶ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କମିଟିର ସାଧାରଣ ସମ୍ପାଦକ ପ୍ରଫେସର ବୁଦ୍ଧଦେବ ମିଶ୍ର ଏବଂ ପୂର୍ବତନ ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ମହାପାତ୍ର ନାରୀ ଶିକ୍ଷା ଠାରୁ ଆରମ୍ଭ କରି ବିଧବା ବିବାହ ଭଳି ସଂସ୍କାରବାଦୀ କାର୍ଯ୍ୟକ୍ରମର ମହର୍ଷି ଦୟାନନ୍ଦ ସରସ୍ୱତୀ ସୂତ୍ରଧର ଥିଲେ ବୋଲି କହିଥିଲେ। ଏହି ଅବସରରେ ସମାଜସେବୀ ଗୁରୁଚରଣ ପ୍ରଧାନ, ଜ୍ଞାନେନ୍ଦ୍ର ମଲ୍ଲିକ, ପିୟୂଷ ମହାନ୍ତି, ସୁବାସ କୁମାର ତାରଣିଆ, ମନୋରଞ୍ଜନ ମିଶ୍ର ଓ ପ୍ରନ୍ତୋଷ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଧନ୍ୟବାଦ ଦେଇଥିବା ବେଳେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ କରିଥିଲେ। ବୈଠକରେ ପୂର୍ବତନ ସିବିଆଇ ଜଜ୍‌ ସଞ୍ଜୟ ପଣ୍ଡା, ଆଡଭୋକେଟ୍‌ ବନ ମହାନ୍ତି, ମନୋଜ ରଥ, ଜିତେନ୍ଦ୍ର ମହାପାତ୍ର ଅଂଶଗ୍ରହଣ କରିଥିଲେ। ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ବରୁଣ ରାଜ, ଭବାନୀକାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର