ବାଚସ୍ପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରନ୍ତୁ: ଅୱେସି

ବିରୋଧୀ ଦଳମାନେ ଭୁଲ୍‌ ଦାବି କରୁଛନ୍ତି

ନୂଆଦିଲ୍ଲୀ : ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବା ଉଚିତ ନୁହେଁ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ। ୧୯ଟି ବିରୋଧୀ ଦଳ ଆଜି ସଂସଦ ଭବନ ଉଦ୍‌ଘାଟନକୁ ବର୍ଜନ କରିବେ ବୋଲି ମିଳିତ ବିବୃତି ଜାରି କରିଥିବାବେଳେ ଏଭଳି ସମୟରେ ଅୱେସି ଏହି ଟିପ୍ପଣୀ ଦେଇଛନ୍ତି। ଅୱେସି କହିଛନ୍ତି, ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା କଥାରେ ସେ ଏକମତ ନୁହନ୍ତି। ନୂଆ ସଂସଦ ଭବନର ଆବଶ୍ୟକତା ଅଛି।

ଏହାକୁ କେହି ମନା କରିପାରିବେନି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଆମେ ବିରୋଧ କରୁଛୁ। ଅୱେସି କହିଛନ୍ତି, ବିରୋଧୀ ଦଳମାନେ ମୋ ସହ ଯୋଗାଯୋଗ କରିନାହାନ୍ତି। କିନ୍ତୁ ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ ବୋଲି ସେମାନେ ଯେଉଁ ମତ ରଖିଛନ୍ତି ତାହା ଭୁଲ୍‌ । ବାଚସ୍ପତି ହେଉଛନ୍ତି ଲୋକସଭାର ମୁରବୀ। ବାଚସ୍ପତି ହିଁ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ ବୋଲି ସେ କହିଛନ୍ତି। ଯଦି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ତେବେ ଆମେ ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବୁ ବୋଲି ଅୱେସି କହିଛନ୍ତି।

ସମ୍ବନ୍ଧିତ ଖବର