୧୪ ବର୍ଷରେ ପ୍ରଥମ: ଜୁନ୍‌ରେ ବଡ଼ଧରଣର ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ: ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକରୁ ଉତ୍ପାଦନ ହ୍ରାସ ପାଇଥିବାରୁ ଜୁନ୍ ମାସରେ ଦେଶରେ ବଡ଼ ଧରଣର ବିଦ୍ୟୁତ୍‌ ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସଙ୍କଟକୁ ଏଡ଼ାଇବା ଲାଗି ପାୱାର ପ୍ଲାଣ୍ଟଗୁଡ଼ିକରେ ହେବାକୁ ଥିବା ରକ୍ଷଣାବେକ୍ଷଣ ସମୟକୁ ଆଗକୁ ବଢ଼ାଇବା ଏବଂ ବନ୍ଦ ପଡ଼ିଥିବା ପ୍ଲାଣ୍ଟଗୁଡ଼ିକୁ ପୁନର୍ବାର ଚାଲୁ କରିବା ଉପରେ ସରକାର ବିଚାର କରୁଛନ୍ତି। ଜୁନ୍‌ରେ ପିକ୍ ସମୟରେ ୧୪ ଗିଗାୱାଟ୍ ବିଦ୍ୟୁତ୍‌ ଅଭାବ ଦେଖାଦେବା ଆଶଙ୍କା ରହିଛି। ଗତ ୧୪ ବର୍ଷ ଭିତରେ ପ୍ରଥମ ଥର ପାଇଁ ବିଦ୍ୟୁତ୍‌ରେ ଏଭଳି ବଡ଼ ଧରଣର ଅଭାବ ଦେଖାଦେବ। ଶେଷ ଥର ପାଇଁ ୨୦୦୯-୧୦ରେ ସେଭଳି ସଙ୍କଟ ଦେଖାଦେଇଥିଲା।

ବିଜୁଳି ସ୍ଥିତିର ସମୀକ୍ଷା କରିବା ଲାଗି ଗତ ସପ୍ତାହରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ ଏକ ବୈଠକ ଡକାଇଥିଲେ। ରକ୍ଷଣାବେକ୍ଷଣ ଲାଗି ଯେଉଁ ପାୱାର ପ୍ଲାଣ୍ଟଗୁଡ଼ିକୁ ବନ୍ଦ କରିବାର ଯୋଜନା ଥିଲା ତାହାର ସମୟ ବଢ଼‌ାଇବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ପଡ଼ିଥିବା ୫ ଗିଗାୱାଟ୍‌ର ପାୱାର ପ୍ଲାଣ୍ଟକୁ ପୁନର୍ବାର ଖୋଲିବାକୁ ଯୋଜନା ହୋଇଛି। ଉତ୍ପାଦନ ବଢ଼ାଇବା ଲାଗି ଉଦ୍ୟମ ହେଉଥିବାରୁ ଜୁନ୍‌ରେ ଦିନ ବେଳା ଏବଂ ରାତି ସମୟରେ ବିଦ୍ୟୁତ ଚାହିଦା ପୂରଣ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ କହିଛନ୍ତି। ଗ୍ରିଡ୍‌ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଛି ଯେ ଜୁନ୍‌ରେ ରାତିର ସର୍ବାଧିକ ବିଦ୍ୟୁତ୍‌ ଚାହିଦା ୨୩୫ ଗିଗାୱାଟ୍ ହେବ। ଯୋଗାଣ ପାଇଁ ତାପଜ ବିଦ୍ୟୁତ୍‌ ପ୍ରକଳ୍ପରୁ ୧୮୭ ଗିଗାୱାଟ୍ ଏବଂ ଅକ୍ଷୟ ଶକ୍ତି ଉତ୍ସରୁ ୩୪ ଗିଗାୱାଟ୍ ବିଜୁଳି ଉପଲବ୍ଧ ରହିଛି। ଗ୍ୟାସ୍‌ ଓ ‌କୋଇଲା ଆମଦାନି କରୁଥିବା ପାୱାର ପ୍ଲାଣ୍ଟଗୁଡ଼ିକୁ ପୂର୍ଣ୍ଣ କ୍ଷମତାରେ ଉତ୍ପାଦନ କରିବାକୁ ଗତ ମାସରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର