ଆଜି ଅକ୍ଷୟ ତୃତୀୟା: ସୁନା ବିକ୍ରି ୧୫% ବଢ଼ିବ

ଦେଶରେ ୨୫ ଟନ୍ ବିକ୍ରି ହେବ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଦେଶରେ ଅକ୍ଷୟ ତୃତୀୟା ପାଳନ ହେଉଛି। ଅକ୍ଷୟ ତୃତୀୟାକୁ ଲୋକମାନେ ଏକ ଶୁଭଦିନ ଭାବେ ବିବେଚନା କରିଥାନ୍ତି। ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ଗ୍ରାହକମାନେ ଏହି ଦିନ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ଭଲ ବ୍ୟବସାୟ ଆଶାରେ ସୋ’ରୁମ୍‌ଗୁଡ଼ିକ ମଧ୍ୟ ଏହି ଦିନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କିନ୍ତୁ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ଭୂ‌ରାଜନୈତିକ ଅସ୍ଥିରତା ଓ ଅନ୍ୟାନ୍ୟ କାରଣରୁ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଉକ୍ତ ମୂଲ୍ୟବାନ ଧାତୁର ଦର ଉଚ୍ଚସ୍ତରରେ ପହଞ୍ଚିଥିଲେ ମଧ୍ୟ ଅକ୍ଷୟ ତୃତୀୟାକୁ ନେଇ ବ୍ୟବସାୟୀମାନେ ବେଶ୍‌ ଆଶାବାଦୀ ଅଛନ୍ତି।

ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ରାଜ୍ୟରେ ସୁନା ବିକ୍ରି ବେଶ୍‌ ଉତ୍ସାହଜନକ ରହିବ। ଗତବର୍ଷ ତୁଳନାରେ ଏଥର ବିକ୍ରି ୧୪-୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ବୋଲି ଜଣେ ପ୍ରତିଷ୍ଠିତ ଗହଣା ବ୍ୟବସାୟୀ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ସୁନା ଦର ଉଚ୍ଚ ସ୍ତରରେ ଥିଲେ ମଧ୍ୟ ତାହା କିଣାକିଣିକୁ ବିଶେଷ ପ୍ରଭାବିତ କରିବ ନାହିଁ। କାରଣ ଲୋକମାନେ ବୁଝିସାରିଲେଣି ଯେ ଦାମ୍‌ରେ ଏଭଳି ବୃଦ୍ଧିର ଧାରା ଜାରି ରହିବ। ତେଣୁ ଜୁଏଲର୍ସମାନେ ଘୋଷଣା କରିଥିବା ଅଫରର ସଦୁପଯୋଗ କରି‌ ସେମ‌ାନେ ନିଜ ପସନ୍ଦର ସୁନା କିଣିବାକୁ ଆଗେଇ ଆସିବେ। ବିବାହ ଆଦି କାର୍ଯ୍ୟ ଲାଗି ଲୋକମାନେ ଏହି ସମୟରେ ନିଜର ଗହଣା କିଣିବା କାମ ସାରିଦେବା ଉପରେ ଜୋର୍‌ ଦେବେ। ଲୋକମାନେ ଉଭୟ ଓଜନିଆ ଓ ହାଲୁକା ଗହଣା କିଣିବେ ବୋଲି ସେ କହିଛନ୍ତି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୬,୧୫୦ ଟଙ୍କା ରହିଛି।

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ମାର୍କେଟିଂ ଅଧିକାରୀ ସିଦ୍ଧେଶ୍ବର ରଥ କହିଛନ୍ତି ଯେ ଗତ ରବିବାରଠାରୁ ସୁନା କିଣାକୁ ନେଇ ଲୋକମାନଙ୍କ ଭିତରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ସ୍ବାଭାବିକ ଦିନ ତୁଳନାରେ ଅଧିକ ଗ୍ରାହକ ଷ୍ଟୋର୍‌କୁ ଆସି କିଣାକିଣି କରୁଛନ୍ତି। ସୁନାରେ ଲୋକମାନେ ନେକ୍‌ଲେସ୍‌, ଚୁଡ଼ି, ଚେନ୍, ମୁଦି ଆଦି କିଣୁଥିବା ବେଳେ ହୀ‌ରାରେ ମଧ୍ୟ ମୁଦି, ନେକ୍‌ଲେସ୍‌ ଆଦି ବିକ୍ରି ହେଉଛି। ଷ୍ଟୋନ୍ ଖଚିତ ଗହଣାଗୁଡ଼ିକର ମଧ୍ୟ ଚାହିଦା ରହିଥିବା ସେ କହିଛନ୍ତି। ଆସନ୍ତାକାଲି ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ହେବା ଆଶା କରାଯାଉଥିବାରୁ ସୋ’ରୁମ୍‌ଗୁଡ଼ିକ ବ୍ୟାପକ ପ୍ରସ୍ତୁତି କରିଛନ୍ତି। କିଛି ସୋ’ରୁମ୍ ସକାଳ ୮ଟା ସୁଦ୍ଧା ଖୋଲିବ। ଷ୍ଟୋର୍‌ଗୁଡ଼ିକରେ ଅତିରିକ୍ତ ପେମେଣ୍ଟ କାଉଣ୍ଟର ଖୋଲାଯାଇଛି। ପୂର୍ବରୁ ବୁକିଂ କରିଥିବା ଗ୍ରାହକଙ୍କୁ ଡେଲିଭରି ଦେବା ଲାଗି ମଧ୍ୟ ଅଲଗା କାଉଣ୍ଟର ରହିଛି। ପାର୍କିଂ ଓ ନିରାପତ୍ତାକୁ ନେଇ ମଧ୍ୟ ସୋ’ରୁମ୍‌ଗୁଡ଼ିକ ବ୍ୟବସ୍ଥା କରିଛନ୍ତି।

ଆସନ୍ତାକାଲି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲି ହେବାର ଥିବାରୁ କିଛି ସୋ’ରୁମ୍ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷ କରି ଜନପଥରେ ଥିବା ସୋ’ରୁମ୍‌ଗୁଡ଼ିକର ବ୍ୟବସାୟ ସେହି ସମୟରେ ପ୍ରଭାବିତ ହେବା ଆଶଙ୍କା ରହିଛି। ଜୟଆଲ୍ଲୁକାସର ଶାଖା ପ୍ରବନ୍ଧକ ସୁଭାଷ ଏମ୍ କହିଛନ୍ତି ଯେ ଆସନ୍ତାକାଲି ବିକ୍ରିରେ ଆମେ ୨୦-୨୫ ପ୍ରତିଶତ ବୃଦ୍ଧି ଆଶା କରୁଛୁ। ଲୋକମାନେ ଷ୍ଟୋର୍‌କୁ ଅଧିକ ସଂଖ୍ୟାରେ ଆସୁଛନ୍ତି। ଆସୁଥିବା ଗ୍ରାହକଙ୍କ ଭିତରୁ ୯୫ ପ୍ରତିଶତ କିଣାକିଣି କରୁଛନ୍ତି। ବିବାହ ଗହଣାଗୁଡ଼ିକ ଅଧିକ ବିକ୍ରି ହେଉଛି। ଲୋକମାନେ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ନେକ୍‌ଲେସ୍‌, ୬ ଲକ୍ଷ ଟଙ୍କାର ହୀରା ନେକ୍‌ଲେସ୍‌, ସୁନା ଚୁଡ଼ି, ମୁଦି, ପୁରୁଷମାନଙ୍କ ‌ବ୍ରେସ୍‌ଲେଟ୍ ଓ ଚେନ୍ ଆଦି କିଣାକିଣି କରୁଛନ୍ତି। ପରିବାର ସହ ଆସି ଅଧିକ ଗ୍ରାହକ କିଣାକିଣି କରୁଥିବା ସେ କହିଛନ୍ତି।

ଦେଶରେ ୨୫ ଟନ୍ ବିକ୍ରି ହେବ

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାରେ ଦେଶରେ ପ୍ରାୟ ୨୫ ଟନ୍ ସୁନା ବ୍ୟବସାୟୀମାନେ ବିକ୍ରି କରିବେ ବୋଲି ଅନୁମାନ କରାଯାଉଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍‌ର ରାଷ୍ଟ୍ରୀୟ ପ୍ରବକ୍ତା କୁମାର ଜୈନଙ୍କ କହିବାନୁଯାୟୀ, ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ ଗ୍ରାହକମାନେ ଆଗୁଆ ବୁକିଂ କରୁଛନ୍ତି। ଲୋକମାନେ ହାଲ୍‌କା ଗହଣା ଏବଂ ସୁନା ମୁଦ୍ରା କିଣିବା ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ତେଣୁ ଆଶା କରାଯାଉଛି ଚଳିତବର୍ଷ ଅକ୍ଷୟ ତୃତୀୟାରେ ୨୪ରୁ ୨୫ ଟନ୍ ସୁନା ବିକ୍ରି ହେବ ବୋଲି ସେ କହିଛନ୍ତି। ଗତବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୨୨ ଟନ୍ ସୁନା ବିକ୍ରି ହୋଇଥିଲା। ଗତବର୍ଷ ଏହି ସମୟରେ ୨୪ କ୍ୟାରେଟ୍‌ ସୁନା ମୂଳ୍ୟ ୬୧,୩୦୦ ଟଙ୍କା ରହିଥିଲା। କିନ୍ତୁ ଚଳିତବର୍ଷ ଏହା ୭୨ ହଜାର ଟଙ୍କା ପାଖାପାଖି ରହିଛି। ତେଣୁ ସୁନାରେ ନିବେଶ କରିଥିବା ବ୍ୟକ୍ତିମାନେ ପାଖାପାଖି ୧୭ ପ୍ରତିଶତ ଲାଭ ପାଇଛନ୍ତି। ଉଚ୍ଚମୂଲ୍ୟ ପରିପ୍ରେକ୍ଷୀରେ ଗ୍ରାହକମାନେ ବର୍ତ୍ତମାନ ହାଲ୍‌କା ସୁନା ଗହଣାର ପ୍ରାକ୍-ବୁକିଂ କରୁଛନ୍ତି। ଏସବୁ ଗହଣାକୁ ଅକ୍ଷୟ ତୃତୀୟା ଦିନ ହିଁ ଗ୍ରାହକମାନେ ଘରକୁ ନେବେ ବୋଲି ଶ୍ରୀ ଜୈନ କହିଛନ୍ତି। ଏଥିସହିତ ଗ୍ରାହକମାନେ ୪ରୁ ୫ ଗ୍ରାମ୍‌ ପର୍ଯ୍ୟନ୍ତ ସୁନା ମୁଦ୍ରା ମଧ୍ୟ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିଛି ଗ୍ରାହକ ପୁରୁଣା ସୁନା ଗହଣାକୁ ବଦଳାଇ ନୂଆ ସୁନା ଗହଣା ମଧ୍ୟ କ୍ରୟ ଉପରେ ଗୁରୁତ୍ବ ଦେଉଛନ୍ତି। ବିକ୍ରି ବଢ଼ାଇବା ଲାଗି ସୋରୁମ୍ ଗୁଡ଼ିକ ମଧ୍ୟ ବ୍ୟାପକ ମାତ୍ରାରେ ନୂଆ ଗହଣା ସମ୍ଭାର ରଖିଛନ୍ତି। ଏଥିସହିତ ଗଢ଼ା ମଜୁରି ଉପରେ ଆକର୍ଷଣୀୟ ରିହାତି ଦେଉଛନ୍ତି।

ସମ୍ବନ୍ଧିତ ଖବର