ରାଜଧାନୀର ପ୍ରବେଶ ପଥରେ ଠିଆହୋଇଛି ମରଣ: ୫ ବର୍ଷରେ ହୋଇ ପାରିଲାନି ଫୁଟ୍‌ ଓଭରବ୍ରିଜ୍‌

ସରୁନି ହଂସପାଳ ଓଭରବ୍ରିଜ୍‌

ଭୁବନେଶ୍ବର: ଆଉ କେତେ ମୁଣ୍ଡ ଗଡ଼ିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନ ବୁଝିବ! ‌ଦେଶରେ ଦ୍ରୁତଗତିରେ ହଜାର ହଜାର କିଲୋମିଟର ରାସ୍ତା ତିଆରି ହେଉଛି ବୋଲି ଦାବି କରା ଯାଉଛି। ଏଠାକାର ଲୋକଙ୍କର ଜୀବନର ମୂଲ୍ୟ ନାହିଁ ବୋଲି ବୋଧହୁଏ ଏହି କେନ୍ଦ୍ରୀୟ ସଂସ୍ଥା ଧରି ନେଇଛି! ନହେଲେ ଗୋଟେ ଫୁଟ୍‌ ଓଭରବ୍ରିଜ୍‌ କାମ ଆରମ୍ଭ କରିବାକୁ ଏବଂ ଆରମ୍ଭ ହୋଇଥିବା ହଂସପାଳ ଓଭରବ୍ରିଜ୍‌ ସାରିବାକୁ ୫ ବର୍ଷରୁ ଅଧିକ ସମୟ ଲାଗନ୍ତା ନାହିଁ। ଯଦି ଏନ୍‌ଏଚ୍‌ଆଇ କରୁନାହିଁ, ତେବେ ଅନ୍ତତଃ ରାଜ୍ୟ ସରକାର ଏଦିଗରେ ଗମ୍ଭୀରତାର ସହିତ ଚିନ୍ତା କରିବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ ମତ ଦେଉଛନ୍ତି। ଗତକାଲି ପଳାସୁଣି ଛକରେ ଦୁର୍ଘଟଣା ଘଟି ଦମ୍ପତିଙ୍କ ଜୀବନ ଚାଲିଯିବା ପରେ ସ୍ଥାନୀୟ ବାସିନ୍ଦା ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏନ୍‌ଏଚ୍‌ଏଆଇ ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ରାଜଧାନୀର ଦୁଆରମୁହଁ ହଂସପାଳରୁ ପଳାଶୁଣି ଛକ ପାଲଟିଛି ଡେଥ୍ ପଏଣ୍ଟ। ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା। ସେଥିରେ ନିୟମିତ ଧନ ଜୀବନ ଯାଉଛି। ଗତକାଲିର ଘଟଣା ଥିଲା ବାସ୍ତିବିକ ହୃଦୟବିଦାରକ। ସୋନପୁର-ଭୁବନେଶ୍ୱର ବସରୁ ଓହ୍ଲାଇ ଉକ୍ତ ଦମ୍ପତି ରାସ୍ତା ପାର ହେବାବେଳେ ଘଟିଥିଲା ଅଭାବନୀୟ ଘଟଣା। ପ୍ରଥମେ ମହିଳା ଜଣଙ୍କୁ ଚାପି ଦେଇଥିଲା ଏକ ଦ୍ରୁତଗାମୀ ଟ୍ରକ। ଆଖି ଆଗରେ ସ୍ତ୍ରୀଙ୍କର ମୃତଦେହ ଦେଖି ସ୍ବାମୀଙ୍କର ମୁଣ୍ଡକୁ କିଛି ବୁଦ୍ଧି ଦିଶି ନଥିଲା। ପଳାଉଥିବା ଟ୍ରକ୍‌କୁ ଅଟକାଇବା ଉଦ୍ଦେଶ୍ୟରେ ସେ ଟ୍ରକ୍‌ ପଛରେ ଓହଳିଥିବା ଏକ ଚେନ୍‌କୁ ଭିଡ଼ି ଧରିବାକୁ ସେଥିରେ ଓହଳି ପଡ଼ିଥିଲେ। କିନ୍ତୁ ମଣିଷ ମରା ଦାନବ ଟ୍ରକ୍‌ ଅଟକିବା ପରିବର୍ତ୍ତେ ତାଙ୍କୁ ଘୋଷାଡ଼ି ନେଇଥିଲା। ସମସ୍ତେ ଦେଖୁଥିବା ଅବସ୍ଥାରେ ପ୍ରାୟ ଅଧକିଲୋମିଟର ଦୂର ପର୍ଯ୍ୟନ୍ତ ଟ୍ରକ୍‌ ତାଙ୍କୁ ରାସ୍ତାରେ ଘୋଷାରି ନେଇଥିଲା। ‌ଶେଷରେ ଟ୍ରକର ଚକ ତଳେ ଚାପି ହୋଇ ଯାଇଥିଲେ ସ୍ବାମୀ। ଏ ଲୋମଟାଙ୍କୁରା ଦୃଶ୍ୟକୁ ଯିଏ ଦେଖିଛି, ‌ସେ ନକାନ୍ଦି ରହିପାରିନି।

ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହି ଛକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ଉଦ୍‌ବେଗ ପ୍ରକାଶ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏପରିକି ସେହି ବାଟରେ ନିଜର ଅନେକ ସହପାଠୀଙ୍କୁ ହରାଇଥିବା ଛୋଟ ଛୋଟ ସ୍କୁଲପିଲା ମଧ୍ୟ ଆନ୍ଦୋଳନ କରିଛନ୍ତି। କିନ୍ତୁ ପ୍ରତ୍ୟେକ ଥର ପ୍ରଶାସନ ବୁଝାସୁଝା କରି ଆନ୍ଦୋଳନକୁ ଭଣ୍ଡୁର କରିଛି। ବାରମ୍ବାର ଦାବି ପରେ ପଳାସୁଣିରେ ଫୁଟ୍‌ ଓଭରବ୍ରିଜ୍‌ କରିବା ପାଇଁ ଗତ ୫ ବର୍ଷ ହେବ କହୁଛି ଏନ୍‌ଏଚ୍‌ଏଆଇ। ୨ କୋଟିର ବ୍ୟୟରେ ଫୁଟ୍‌ ଓଭରବ୍ରିଜ୍‌ କାମ ହେବ ବୋଲି ୨ ବର୍ଷ ତଳେ ଘୋଷଣା ହୋଇଥିଲା। ଏହାପରେ ମାଟି ପରୀକ୍ଷା ବି ହୋଇଥିଲା। କିନ୍ତୁ କାମ ଆଗେଇ ପାରିଲା ନାହିଁ। ସେହିପରି ଗତ ୫ ବର୍ଷ ହେବ ହଂସପାଳ ଓଭରବ୍ରିଜ୍‌ କରୁଛି ବ୍ରିଜେସ୍‌ ଅଗ୍ରୱାଲ୍‌ ନାମକ ଏକ ଠିକାସଂସ୍ଥା। ୨୩ କୋଟି ଟଙ୍କାର ଏହି କାମ ୨ ବର୍ଷ ତଳୁ ‌ଶେଷ ହେବା କଥା। ହେଲେ ଅବଧି ସରିବା ପୂର୍ବରୁ ଏନ୍‌ଏଚ୍‌ଏଆଇ କାର୍ଯ୍ୟ ଶେଷ କରିବା ତାରଖ ବଢ଼ାଉଛି।

ଏମିତି ୩ ଥର ଅବଧି ବଢ଼ା ସରିଲାଣି। କିନ୍ତୁ ଏବେ ପର୍ଯ୍ୟନ୍ତ କାମ ସରି ପାରୁନାହିଁ। ଗତ ମାର୍ଚ୍ଚ ମାସ ଭିତରେ କାମ ଶେଷ ନହେଲେ ଠିକାସଂସ୍ଥା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ କଳା ତାଲିକାଭୁକ୍ତ କରିବାକୁ କହିଥିଲା ଏନ୍‌ଏଚ୍‌ଏଆଇ। କିନ୍ତୁ ମାର୍ଚ୍ଚ ମାସ ସରିବା ପରେ ଠିକା ସଂସ୍ଥାକୁ ପୁଣି ଦୁଇ ମାସ ସମୟ ଦିଆଯାଇଛି। ଠିକାଦାର-ଏନ୍‌ଏଚ୍‌ଏଆଇ ମଧୁଚନ୍ଦ୍ରିକାରେ ପ୍ରତ୍ୟେକ ଦିନ ଟ୍ରାଫିକ୍‌ ଜାମ୍‌‌ରେ ଫସୁଛନ୍ତି ଲୋକେ। ଦୁର୍ଘଟଣା ଘଟୁଛି, ଜୀବନ ବି ଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି କର୍ପୋରେଟର, ବିଧାୟକ, ସାଂସଦଙ୍କୁ ବାରମ୍ବାର ଅନୁରୋଧ କରିବା ସହ ଆନ୍ଦୋଳନ ଓ ରାସ୍ତାରୋକ କଲେ ବି କିଛି ଲାଭ ହେଉନାହିଁ। ଲୋକପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଯେମିତି ନିଦାବିଷ୍ଣୁ ପାଲଟିଛନ୍ତି। ଏନେଇ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାଓ କହିଛନ୍ତି, ‘‘ପଳାସୁଣି ଫୁଟ୍‌ ଓଭରବ୍ରିଜ୍‌ ଟେଣ୍ଡର ନିର୍ବାଚନ ପରେ ଖୋଲା ଯାଇ ଜୁନ୍‌ ମାସରେ କାମ ଆରମ୍ଭ ହେବ। ହଂସପାଳ ଓଭରବ୍ରିଜ୍‌ର ଡାହାଣ ପାଖ ୪ ଦିନ ମଧ୍ୟରେ ଖୋଲିବ। ଭୁବନେଶ୍ବରରୁ କଟକ ପାଖ କାମ ସରିବାକୁ ପ୍ରାୟ ଦେଢ଼ମାସ ସମୟ ଲାଗିବ।’’

ସମ୍ବନ୍ଧିତ ଖବର