ଧରାପଡ଼ିଲା ୫ଜଣିଆ ଲୁଟେରା ଦଳ: ମୋ’ ବସ୍‌ ଯାତ୍ରୀଙ୍କୁ ଲୁଟୁଥିଲେ

ଭୁବନେଶ୍ବର: ବହୁ ଦିନ ଧରି ରାଜଧାନୀରେ ମୋ’ ବସ୍‌ ଯାତ୍ରୀଙ୍କୁ ଲୁଟୁଥିବା ଏକ ୫ ଜଣିଆ ଲୁଟେରା ଦଳ ଧରାପଡ଼ିଛି। କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଥିବା ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରିଆଜୁଲ୍‌ ଜମିଦର୍‌(୪୫), କଟକ ଦରଘାବଜାରର ସେକ୍‌ ସଲିମ୍‌(୩୫), ଯାଜପୁର ଧର୍ମଶାଳା ଅଞ୍ଚଳର ସେକ୍‌ ଛୁନୁଦ୍ଦିନ୍‌(୪୨), ମୁର୍ତେଜା ହୁସେନ୍‌(୫୦) ଓ ବିଞ୍ଝାରପୁର ଅଞ୍ଚଳର ସେକ୍‌ ସରିଫ୍‌(୪୨)। ପୁଲିସ ସେମାନଙ୍କ ନିକଟରୁ ୨୦ହଜାର ଟଙ୍କା ଓ ୫ଟି ମୋବାଇଲ୍‌ ଜବତ କରିଛି। ନୂଆପଲ୍ଲୀ ଥାନା ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଚୋରା ସାମଗ୍ରୀସବୁକୁ ରିଆଜୁଲ୍‌ କୋଲକାତାରେ ବିକୁଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ପୁଲିସ ଫାଶରୁ ବର୍ତ୍ତିଯାଇଛନ୍ତି ଏବଂ ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଚାଲିଛି। ସେହିଭଳି ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ଧରାଇଲା ସିସିଟିଭି ଫୁଟେଜ୍‌
ମୋ’ ବସ୍‌ ଯାତ୍ରୀଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ଲାଗି ପୁଲିସ ନିୟମିତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଥିଲା। ବସ୍ ଭିତରେ କୃତ୍ରିମ ଭିଡ଼ କରୁଥିବା କିଛି ସନ୍ଦିଗ୍ଧଙ୍କୁ ଫୁଟେଜ୍‌ରୁ ଚିହ୍ନଟ କରାଯାଇଥିଲା। ପ୍ରାୟ ୨୦/୨୫ ଫୁଟେଜ୍‌ରୁ ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଚିହ୍ନଟ କରିବା ପରେ ପୁଲିସ ଅପରେସନ୍‌ ଆରମ୍ଭ କରିଥିଲା। ୨୧ ତାରିଖ ଦିନ ମୋ’ ବସ୍‌ ଯାତ୍ରୀ ଲୁଟ୍‌ର ଶିକାର ହେବା ମାମଲା ବଢ଼ିଯାଇଥିଲା। ପ୍ରାୟ ୧୫ରୁ ଅଧିକ ମୋବାଇଲ୍‌ ଓ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ତେଣୁ ଏହି ଗ୍ୟାଙ୍ଗ୍‌ ରାଜଧାନୀରେ ସକ୍ରିୟ ଥିବା ଜାଣି କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ସବୁ ବଡ଼ବଡ଼ ମୋ’ ବସ୍‌ଷ୍ଟାଣ୍ଡରେ ସାଦା ପୋଷାକରେ ପଇଁତରା ମାରିଥିଲା। ସେଦିନ ସନ୍ଧ୍ୟାରେ ନୂଆପଲ୍ଲୀ ନାବାର୍ଡ ବସ୍‌ଷ୍ଟପ୍‌ ନିକଟରେ ପଇଁତରା ମାରୁଥିବା ପୁଲିସ ଟିମ୍‌ ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ ହୋଇଥିବା ୨/୩ ଜଣଙ୍କୁ ଠାବ କରିଥିଲା। ବିଳମ୍ବ ନ କରି ପୁଲିସ ସେମାନଙ୍କୁ କାବୁ କରିଥିଲା। ଏହାଦେଖି ଅନ୍ୟ ୨ ଜଣ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ନଜରରୁ ବର୍ତ୍ତି ପାରିନଥିଲେ।

ଲୁଟ୍‌ ତରିକା

ଏହି ଗ୍ୟାଙ୍ଗ୍‌ ଏକାଠି ହୋଇ ମୋ’ ବସ୍‌‌ରେ ଉଠୁଥିଲେ। ଯେଉଁ ବସ୍‌ଷ୍ଟପ୍‌ରେ ସବୁବେଳେ ଅଧିକ ଭିଡ଼ ହୁଏ, ସେଠୁ ସେମାନେ ବସ୍‌ ଧରନ୍ତି। ବଡ଼କଥା ହେଉଛି ସେମାନେ କେଉଁ ଯାତ୍ରୀଙ୍କୁ ଲୁଟିବେ, ପ୍ରଥମେ ଠଉରାଇ ନିଅନ୍ତି। ନୂଆ ନୂଆ ମୋ’ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ, ତରବର ହେଉଥିବା ବା ବିଚଳିତ ଜଣାପଡ଼ୁଥିବା କୌଣସି ଯାତ୍ରୀ ଓ ମହିଳାମାନଙ୍କୁ ଏହି ଗ୍ୟାଙ୍ଗ୍‌ ଠଉରାଇ ନିଅନ୍ତି। ଏହାପରେ ତାଙ୍କୁ ହିଁ ଟାର୍ଗେଟ୍‌ କରି ବସ୍‌ ଭିତରେ ଘେରି ରହନ୍ତି। ବସ୍‌ ଭିଡ଼ ଯେତିକି ନ ଥାଏ, ସେମାନେ ଟାର୍ଗେଟ୍‌ କରିଥିବା ବ୍ୟକ୍ତିଙ୍କ ନିକଟରେ ତା’ଠାରୁ ଅଧିକ ଭିଡ଼ କରନ୍ତି। ବେଳେବେଳେ ଡମି ମୋବାଇଲ୍‌ ବା ୧୦/୨୦ ଟଙ୍କିଆ ନୋଟ୍‌ ତଳେ ପକାଇ ଯାତ୍ରୀଙ୍କୁ ଅନ୍ୟମନସ୍କ କରନ୍ତି। ଏହି ମଉକାରେ ପର୍ସ ବା ମୋବାଇଲ୍‌ ଫୋନ୍‌ ଲୁଟ୍‌ କରି ବସ୍‌ରୁ ଓହ୍ଲାଇପଡ଼ନ୍ତି।

ଡେରା ବଦଳାଉଥିଲେ

ଏହି ଗ୍ୟାଙ୍ଗ୍‌ ରାଜଧାନୀରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁନଥିଲେ। କଟକରୁ ଯା’ଆସ କରୁଥିଲେ। ସକାଳୁ କଟକରୁ ଆସିବା ପରେ ଭିଡ଼ ହେଉଥିବା ମୋ’ ବସ୍‌ଷ୍ଟପ୍‌କୁ ଯାଉଥିଲେ। କେତେବେଳେ କଳ୍ପନା ତ ପରଦିନ ନୂଆପଲ୍ଲୀ। କେବେ ପଟିଆ ତ କେବେ ଖଣ୍ଡଗିରି। ବହୁ ସମୟରେ ସେମାନେ ହସ୍ପିଟାଲ୍‌ ନିକଟ ବସ୍‌ଷ୍ଟପ୍‌ରେ ଡେରା ପକାଉଥିଲେ। ଚିକିତ୍ସାଧୀନ ରୋଗୀଙ୍କ ପାଖକୁ ଆସୁଥିବା ସମ୍ପର୍କୀୟମାନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ସେମାନଙ୍କୁ ସହଜରେ ଶିକାର କରୁଥିଲେ।

ସମ୍ବନ୍ଧିତ ଖବର