ବ୍ୟାଙ୍କିଙ୍ଗ୍‌ ସୂତ୍ର: ବ୍ୟାଙ୍କ୍ ଲକର୍‌ର ବିଧିବିଧାନ

ଚୋରତସ୍କରଙ୍କ ଠାରୁ ବଞ୍ଚାଇବା ପାଇଁ ଲୋକେ ନିଜର ଗହଣାଗାଣ୍ଠି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବ୍ୟାଙ୍କ୍ ଲକର୍‌ରେ ରଖନ୍ତି। ମାତ୍ର ଲକର୍ ବ୍ୟବହାରର ବିଧିବିଧାନ ଜାଣି ନ ଥିଲେ ଅନେକ ସମୟରେ ଗ୍ରାହକଙ୍କୁ ହଟହଟା ହେବାକୁ ପଡେ। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଲକର୍ ରାଜିନାମାର ସର୍ତ୍ତାବଳୀରେ ମଧ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି। ଆସନ୍ତୁ ଜାଣିବା ଲକର୍‌କୁ ନେଇ ବ୍ୟାଙ୍କ୍‌ର ନିୟମାବଳୀ କ’ଣ ରହିଛି।

 ଲକର୍‌ ନେବାବେଳେ ବ୍ୟାଙ୍କ୍‌ ସହ ଗ୍ରାହକର ସଂପର୍କ ଲିଜ୍‌ଦାତା ଓ ଭଡ଼ାଟିଆର ସଂପର୍କ ଭଳି। ବ୍ୟାଙ୍କ୍ ଗ୍ରାହକକୁ କେବଳ ନିର୍ଦ୍ଦିଷ୍ଟ ଲକର୍‌ଟି ଭଡ଼ା ସୂତ୍ରରେ ଦେଇଥାଏ। ସେଥିରେ ଗ୍ରାହକ କ’ଣ ରଖନ୍ତି ବା ତାହାର ମୂଲ୍ୟ କେତେ, ସେସବୁ ସହ ବ୍ୟାଙ୍କ୍‌ର କୌଣସି ସଂପର୍କ ନାହିଁ।
 ଲକର୍ ଭିତରେ କ’ଣ ରହିଲା, ନ ରହିଲା ତାହା ଗ୍ରାହକଙ୍କର ବ୍ୟକ୍ତିଗତ ଦାୟିତ୍ବ ହୋଇଥିଲେ ମଧ୍ୟ ଯଦି ବ୍ୟାଙ୍କର ଅବହେଳା କାରଣରୁ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡ଼େ, ସେଥିପାଇଁ ବ୍ୟାଙ୍କକୁ କ୍ଷତିପୂରଣ ଦେବାକୁ ହୁଏ। ଏହି କ୍ଷତିପୂରଣର ପରିମାଣ ସଂପୃକ୍ତ ଲକର୍‌ର ବାର୍ଷିକ ଭଡ଼ାର ଶହେଗୁଣ ରଖାଯାଇଛି।
 ଲକର୍‌ର ଚାବି ସୁରକ୍ଷିତ ରଖିବା ଗ୍ରାହକଙ୍କର ନିଜ ଦାୟିତ୍ବ। ଚାବି ହଜିଗଲେ ଲକର୍‌ର ତାଲା ଭାଙ୍ଗିବା ଓ ନୂଆ ତାଲା ଲଗାଇବାର ସମସ୍ତ ଖର୍ଚ୍ଚ ଗ୍ରାହକଙ୍କୁ ଦେବାକୁ ପଡ଼େ।
 ଲଗାତାର ତିନିବର୍ଷ ଧରି ଭଡ଼ା ଅନାଦେୟ ରହିଲେ ବ୍ୟାଙ୍କ ଏହାକୁ ଭାଙ୍ଗିଦେଇ ପାରିବେ। ପୁଣି ଭଡ଼ା ଦେଉଥିଲେ ମଧ୍ୟ ୭ ବର୍ଷ ଧରି ଲକର୍ ଅବ୍ୟବହୃତ ରହିଲେ ବା ଗ୍ରାହକଙ୍କୁ ଯୋଗାଯୋଗ କରିନହେଲେ ନିୟମାନୁସାରେ ଏପରି ଅବ୍ୟବହୃତ ଲକର୍ ଭାଙ୍ଗିବା ପାଇଁ ବ୍ୟାଙ୍କ୍‌ର ଅଧିକାର ରହିଛି।
 ରିଜର୍ଭ ବ୍ୟାଙ୍କ୍‌ର ସଂଶୋଧିତ ନିୟମ ଅନୁସାରେ ବ୍ୟାଙ୍କ୍ ଲକର୍ ଭିତରେ ନଗଦ ଟଙ୍କା, ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ନିଶାଦ୍ରବ୍ୟ ଆଦି ରଖିବା ନିଷେଧ।
 ଏହାଛଡ଼ା ରିଜର୍ଭ ବ୍ୟାଙ୍କ୍‌ର ନିୟମ ଅନୁସାରେ କେୱାଇସି ପ୍ରମାଣପତ୍ର ଦେବା ସହିତ, ସଂଶୋଧିତ ରାଜିନାମାପତ୍ର ସ୍ବାକ୍ଷର କରି ନ ଥିଲେ ଯଥାଶୀଘ୍ର ବ୍ୟାଙ୍କ୍ ସହ ଯୋଗାଯୋଗ କରି ଏସବୁ କରାଇଦେବା ଜରୁରି।

ସମ୍ବନ୍ଧିତ ଖବର