କମିସନରେଟ୍‌ର ପୁଲିସର ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥା: ଦାୟିତ୍ବରେ ୩୦୦୦ ପୁଲିସ

ଜଗିବ ପିପିବିଏମ୍‌ଏସ୍‌ ଓ ଭିଟିଏସ୍‌ ଆପ୍‌

ଭୁବନେଶ୍ବର: ୨୫ ତାରିଖ ଦିନ ରାଜଧାନୀରେ ମତଦାନ। ପୂର୍ବରୁ ରାଜଧାନୀର କେତେକ ସ୍ଥାନରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଯାଇଛି। ପ୍ରଚାର ସମୟରେ ଓ ବିଳମ୍ବିତ ରାତିରେ ପୋଷ୍ଟର ଲଗାଇବାକୁ ନେଇ ଗଣ୍ଡଗୋଳ ଘଟିଛି। ଏମିତିକି ନୂଆପଲ୍ଲୀରେ ‌ବୋମାମାଡ଼ ବି ହୋଇଛି। ତେଣୁ ମତଦାନ ବେଳେ କୌଣସି ପ୍ରକାର ବିଶୃଙ୍ଖଳା ନ ଘଟିବା ଲାଗି କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ବୁଧବାର ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ପୁଲିସ ଅଧିକାରୀ, କର୍ମଚାରୀ, ବିଭିନ୍ନ ସୁରକ୍ଷା ୱିଙ୍ଗ୍‌ର ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ଜଗିବ ପିପିବିଏମ୍‌ଏସ୍‌ ଓ ଭିଟିଏସ୍‌ ଆପ୍‌
୧୫୨ ସମ୍ବେଦନଶୀଳ ବୁଥ୍‌ ସମେତ ସବୁଠି ସିସିଟିଭି

ଡିସିପି ଶ୍ରୀ ସିଂଙ୍କ ନେତୃତ୍ୱରେ ୫ଜଣ ଏଡିସିପି, ୧୩ ଏସିପି, ୩୫ ଇନ୍ସପେକ୍ଟର, ୨୯୩ ସବ୍‌ଇନ୍ସପେକ୍ଟରଙ୍କ ସମେତ ୩ ହଜାର ପୁଲିସ ସୁରକ୍ଷା ଦାୟିତ୍ବରେ ରହିବେ। ଏଥିରେ ୧୨ କମ୍ପାନି ସିଏପିଏଫ୍‌, ୧୫ ପ୍ଲାଟୁନ୍‌ ସଶସ୍ତ୍ର ବାହିନୀ, ୧୫ ଫ୍ଲାଇଂ ସ୍କ୍ୱାଡ୍‌, ୩୦ଟି ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ ଓ ୨ଟି କ୍ୟୁଆର୍‌ଟି ଟିମ୍‌ ସାମିଲ୍‌ ରହିଛନ୍ତି। ବୁଥ୍‌ ତଦାରଖ ପାଇଁ ୫୧ ମୋବାଇଲ ପାର୍ଟି ରହିବ। ଏହାକୁ ଇନ୍ସପେକ୍ଟର ପାହ୍ୟାର ୨୪ ଅଫିସର ପରିଚାଳନା କରିବେ। ସେହିପରି ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଜଣେ ଲେଖାଏଁ ଅତିରିକ୍ତ ଡିସିପି ନିୟୋଜିତ ରହି‌ବେ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଠାରେ ଅଧା ସେକ୍ସନ ସିଏପିଏଫ୍‌ଙ୍କୁ ମୁତୟନ କରାଯିବ। କୌଣସି ପ୍ରକାର ଗଣ୍ଡଗୋଳର ଆଶଙ୍କା ହେଲେ ଜନସାଧାରଣ ୧୧୨କୁ କଲ୍‌ କରିବେ ବୋଲି କୁହାଯାଇଛି। ୪୭ଟି ବାଇକ୍‌ ପାଟ୍ରୋଲିଂ ଓ ୩୭ ପିସିଆର ଏଥିପାଇଁ ସଜାଗ ରହିବ। ଖବର ପାଇବା ମାତ୍ରେ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବେ। ସେହିଭଳି ବୁଥ୍‌ ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ପାଟ୍ରୋଲିଂ ଓ ବୁଥ୍‌ ମନିଟରିଂ ସିଷ୍ଟମ(ପିପିବିଏମ୍‌ଏସ୍‌), ମୋବାଇଲ ପାର୍ଟିର ଗାଡିଗୁଡ଼ିକର ଗତିବିଧି ଯାଞ୍ଚ ପାଇଁ ଭେଇକିଲ୍‌ ଟ୍ରାକିଂ ସିଷ୍ଟମ(ଭିଟିଏସ୍‌) ଭଳି ୨ଟି ଆପ୍‌ କରାଯାଇଛି।

ଏହି ଆପ୍ଲିକେସନ୍‌ ମାଧ୍ୟମରେ ପାଟ୍ରୋଲିଂ ୟୁନିଟ୍‌ଗୁଡ଼ିକର ଅବସ୍ଥିତିକୁ ନଜରରେ ରଖି ଜରୁରୀ ସମୟରେ ଦରକାର ଥିବା ସ୍ଥାନକୁ ତୁରନ୍ତ ପଠାଯାଇ ପାରିବ। ବୁଥ୍‌ରେ ନିୟୋଜିତ ଥିବା କର୍ମଚାରୀ କଣ୍ଟ୍ରୋଲ୍‌ ରୁମ୍‌କୁ ସିଧାସଳଖ ବୁଥ୍‌ର ପ୍ରତ୍ୟେକ ସମୟର ସ୍ଥିତି ଫୋଟୋ କିମ୍ବା ଭିଡିଓ ଜରିଆରେ ପ୍ରଦାନ କରିପାରିବେ। ଏହାଛଡ଼ା ବିଭିନ୍ନ ଜିଲ୍ଲା ସୀମାନ୍ତରେ ଥିବା ୮ ଟି ଚେକ୍‌ ପୋଷ୍ଟରେ ଚେକିଂ ବଳବତ୍ତର ରହିଛି। ସମସ୍ତ ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚକୁ ଜୋର୍‌ଦାର କରାଯିବା ସହ ରାତ୍ରିକାଳୀନ ବ୍ଲକିଂ, ଚେକିଂକୁ କଡ଼ାକାଡ଼ି କରାଯାଇଛି। ସୂଚନାଯୋଗ୍ୟ ଯେ ରାଜଧାନୀର ଜୟ‌ଦେବ, ମଧ୍ୟ ଭୁବନେଶ୍ବର, ଉତ୍ତର ଭୁବନେଶ୍ବର, ଏକାମ୍ର ଓ ଜଟଣୀ ନିର୍ବାଚନମଣ୍ଡଳୀରେ ୧୫୨ ସମ୍ବେଦନଶୀଳ ବୁଥ୍‌ ଥିବା‌ କମିସନରେଟ୍‌ ପୁଲିସ୍‌ ତାଲିକା କରିଛି। ସେଥିରୁ ୧୬ଟି ବୁଥ୍‌ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସର୍ବାଧିକ ଭାବେ ଜଟଣୀରେ ୩୬ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ସେହିଭଳି ମଧ୍ୟ ଭୁବନେଶ୍ବରରେ ୩୩, ଏକାମ୍ରରେ ୨୯, ଉତ୍ତର ଭୁବନେଶ୍ବରରେ ୨୮ ଓ ଜୟଦେବରେ ୨୬ ସମ୍ବେଦନଶୀଳ ବୁଥ୍‌ ରହିଛି।

ସମ୍ବନ୍ଧିତ ଖବର